ଖାସ୍ ଏଡିଜିଙ୍କ ଝିଅ ବୋଲି ଆଇନ୍କୁ ମୋଡ଼ିମକଚି ଦେଲେ
କାର୍ ଓ ଅଜଣା ଦୁଇ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ, ଖାକି ସଂପର୍କର ନିବି଼ଡତାର ପ୍ରମାଣ ଦେଲା କମିସନରେଟ୍ ପୁଲିସ
ଭୁବନେଶ୍ୱର : ଖାସ୍ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କ ଝିଅ ବୋଲି…ଆଜି କମିସନରେଟ୍ ପୁଲିସ ଦିନ ଦି’ପହରରେ ଆଇନକୁ ମୋଡ଼ି ମକଚି ଦେଇଛି। ଆଜି ‘ସମ୍ବାଦ’ରେ ଖାକି ବିରାଦରି ନେଇ ଖବର ପ୍ରକାଶ ପରେ ପୁଲିସ ସକାଳୁ ସକାଳୁ ମାମଲା ରୁଜୁ କରିଛି ବୋଲି ଦର୍ଶାଇଥିଲା। ହେଲେ ମାମଲା ସଂପର୍କିତ ତଥ୍ୟ ପଦାକୁ ଆସିବା ପରେ କମିସନରେଟ୍ ପୁଲିସର ଅସଲ ଆଭିମୁଖ୍ୟ ପଦାକୁ ଆସିଛି। କେବଳ ଲୋକଲଜ୍ଜାକୁ ଡରି ପୁଲିସ ମାମଲା ରୁଜୁ କରିଥିବା ସ୍ପଷ୍ଟ ହୋଇଯାଇଛି। ଏହାକୁ ନେଇ ପୁଲିସ ସଂଘ, ବୁଦ୍ଧିଜୀବୀ ମହଲ ଓ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି। ଖାକି ଖାକି ଭାଇଭାଇ ବୋଲି ଯେଉଁ ଚର୍ଚ୍ଚା ହୁଏ, ତାହା ସତ ବୋଲି ପ୍ରମାଣିତ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କୌତୂହଳର କଥା ହେଲା, କୌଣସି ଉପାନ୍ତ ଅଞ୍ଚଳ ନୁହେଁ, କମିସନରେଟ୍ ପୁଲିସର କ୍ୟାପିଟାଲ ଥାନା ଏହି ଘଟଣାରେ ଏକ ବିରଳ ମାମଲା ରୁଜୁ କରିଥିବା ଦେଖିବାକୁ ମିଳିଛି। ଗତକାଲି ଶହଶହ ଲୋକଙ୍କ ସମ୍ମୁଖରେ ଏଡିଜିଙ୍କ ଝିଅ ଏଜି ଛକରେ ଟ୍ରାଫିକ୍ ଆଇନ ଭାଙ୍ଗି ଉତ୍ପାତ କଲେ। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଏହି ଘଟଣା ଘଟିଲା। କମିସନରେଟ୍ ପୁଲିସର ବଡ଼ ବାବୁମାନେ ଏଠାରେ ରୁଣ୍ଡ ହୋଇଥିଲେ। ପୁଲିସ ସିସିଟିଭି ଯାଞ୍ଚ କରି ଘଟଣାର ଛାନ୍ଭିନ୍ କଲା।
ନିଜେ ଏଡିଜି ଶ୍ରୀ ଆଚାର୍ଯ୍ୟ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଗଣମାଧ୍ୟମ ଓ ଖବରକାଗଜରେ ସଂପୃକ୍ତ ବ୍ୟକ୍ତି ଓ ଗାଡିର ଫଟୋ ଜଳ ଜଳ ହୋଇ ଦିଶୁଛି।
ହେଲେ, ଦାୟର ହୋଇଥିଲା ଏତଲା ସୂଚାଉଛି ଯେ ସଂପୃକ୍ତ ଯୁବତୀଙ୍କୁ କେହି ଚିହ୍ନି ପାରିନାହାନ୍ତି। କାର୍ ଧରି ଏଜି ଛକରୁ ରାଜଭବନ ଛକ, ପୁଣି ଥରେ ରାଜଭବନ ଛକରୁ ଏଜି ଛକ ପର୍ଯ୍ୟନ୍ତ ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ସଂପୃକ୍ତ ଯୁବତୀ। ତଥାପି ପୁଲିସ ତାଙ୍କ ଗାଡ଼ି ନମ୍ବର ଜାଣି ପାରିନି କି ତାଙ୍କ ବିରୋଧରେଏମ୍ଭି ଆକ୍ଟ ବି ଲଗାଇନି। ଅଭିଯୋଗକାରିଣୀ ମହିଳା ଟ୍ରାଫିକ୍ କନଷ୍ଟେବଲ୍ ତଫସିଲଭୁକ୍ତ ଜାତିର। ଏହି ଦଫା ଲଗାଇବାକୁ ମଧ୍ୟ ପୁଲିସ ଆଗ୍ରହ ଦେଖାଇନାହିଁ। ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କଲେ ଦଫା ୫୦୬ ଲାଗିବା ନିଶ୍ଚିତ। ଏହାକୁ ମଧ୍ୟ ପୁଲିସ ଲଗାଇବାକୁ ଚାହିଁନାହିଁ। ଯେଉଁ ଦଫା ଲଗାଇ ପୁଲିସ ମାମଲା ରୁଜୁ କଲା, ସେହି ଦଫାରେ ସାରା ଓଡ଼ିଶାରେ କେହି ଥାନାରୁ (୪୧ ସିଆର୍ପିସି ନୋଟିସ) ଛଡ଼ା ହୋଇନାହାନ୍ତି। କିନ୍ତୁ ଏ ଘଟଣା ବି ଏଠି ଘଟିଛି।
ପ୍ରକାଶଥାଉକି, ଗତକାଲି ଭୁବନେଶ୍ୱର ଏଜି ଛକରେ ଟ୍ରାଫିକ୍ ନିୟମର ଖୋଲମ୍ଖୋଲା ଉଲ୍ଲଂଘନ କରି ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କ ଝିଅ ଅଭାବନୀୟ କାଣ୍ଡ ଭିଆଇଲେ। ଘଟଣା ପରେ ପୁଲିସ ପକ୍ଷରୁ କମିସନରେଟ ପୁଲିସ ମୁଖ୍ୟାଳୟରେ ଲାଗିଥିବା ସିସିଟିଭି ଯାଞ୍ଚ କରାଯାଇଥିଲା। ଜଣାପଡ଼ିଥିଲା କି ମହିଳା ଟ୍ରାଫିକ୍ କନଷ୍ଟେବଲ ପୁଷ୍ପଲତା ଭୋଇଙ୍କର ସମୁଦାୟ ଘଟଣାରେ କୌଣସି ଦୋଷତ୍ରୁଟି ନାହିଁ। ଓଲଟା ଏଡିଜିଙ୍କ ଝିଅ ଟ୍ରାଫିକ୍ ନିୟମକୁ ଉଲ୍ଲଂଘନ କରିବା ସହିତ ମହିଳା ଟ୍ରାଫିକ କନଷ୍ଟେବଲଙ୍କୁ ଅସଦାଚରଣ କଲେ, ବେଆଇନ ଭାବେ ଅଟକାଇଲେ, ଗାଳିଗୁଲଜ ମଧ୍ୟ କରିଥିଲେ। ଏନେଇ ମହିଳା ଟ୍ରାଫିକ୍ କନଷ୍ଟେବଲ ପୁଷ୍ପଲତା କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ନମ୍ବର ୩୨୬/୧୮ ଦଫା ୩୪୧/୨୯୪/୩୫୩/୩୪ରେ ମାମଲା ରୁଜୁ କରିଛି। ଏତଲା କପିରେ ଅଭିଯୁକ୍ତ ସ୍ଥାନରେ ଏଡିଜିଙ୍କ ଝିଅ ବଦଳରେ ଦୁଇ ଜଣ ଅଜଣା ବ୍ୟକ୍ତି (ଅନ୍ ନୋନ୍) ଲେଖା ହୋଇଛି। କାର୍ ନାଁରେ ମଧ୍ୟ ମାମଲା ରୁଜୁ ହୋଇଥିଲେ ମଧ୍ୟ କାର୍ର ନମ୍ବର ନାହିଁ।
ଏ ସମ୍ପର୍କରେ ବରିଷ୍ଠ ଆଇନଜୀବୀ ଚିତ୍ତରଂଜନ ଦାସ କୁହନ୍ତି, ଏଡିଜିଙ୍କ ଝିଅ କ’ଣ ଆଇନଠାରୁ ଊର୍ଧ୍ୱରେ ? ଯୁବତୀଙ୍କୁ ଗିରଫ କରା ନ ଯାଇ ନୋଟିସ୍ ଦେଇ ଛାଡ଼ିବା ପରେ ପୁଲିସ ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠିଛି। ୩୫୩ ଦଫାରେ କୋର୍ଟ କାହାରିକୁ ସେହି ଦିନ ଜାମିନ୍ ମଧ୍ୟ ପ୍ରଦାନ କରିନାହାନ୍ତି। ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ହେଲେ ଦଫା ୫୦୬ ଲାଗିବା ବାଧ୍ୟତାମୂଳକ। କିନ୍ତୁ ପୁଲିସ ୫୦୬ ଦଫା ମଧ୍ୟ ଲଗାଇ ନାହିଁ। ପୁଲିସ ଏଭଳି ଆଚରଣକୁ ନେଇ ଏବେ ସାଧାରଣରେ ହସ୍ୟାସ୍ପଦ ମଧ୍ୟ ହୋଇଛି। ଅନ୍ୟପକ୍ଷରେ ଡିସିପି ଅନୁପ ସାହୁ କହିଛନ୍ତି, ମାମଲା ରୁଜୁ ହୋଇଛି। ଖୁବ୍ଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।