ଏଜି ଛକରେ ଟ୍ରାଫିକ ବିଶୃଙ୍ଖଳା : ଏଡିଜିଙ୍କ ଝିଅ ବୋଲି ଛାଡ଼ିଦେଲେ

ଭୁବନେଶ୍ୱର : ରାଜଧାନୀର ପ୍ରମୁଖ ଅଞ୍ଚଳ ଏଜି ଛକରେ ଏଡିଜି (ଅତରିକ୍ତ ପୁଲିସ ମହାନିର୍ଦେଶକ) ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କ ଝିଅ ଖୋଲାଖୋଲି ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ। ଦାୟିତ୍ୱରେ ଥିବା ଟ୍ରାଫିକ୍‌ କନଷ୍ଟେବଳଙ୍କୁ ଗାଳିମନ୍ଦ କଲେ। ସିଧା ସିଧା ଧମକାଇଲେ, ମୁଁ ଏଡିଜିଙ୍କ ଝିଅ। ମୋତେ ଆଇନ ଶିଖାଉଛ। ଏମିତି…। କେବଳ ସେତିିକି ନୁହେଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍‌କେଡ୍‌ ଅଟକାଇବା ଲାଗି ମଧ୍ୟ ଜିଦ୍‌ ଧରିଲେ। ପୁଲିସ ସେଠାରୁ ତାଙ୍କୁ ତଡିବାକୁ ବାଧ୍ୟ ହେଲା।

ହେଲେ ଏତେ ସବୁ କାଣ୍ଡ କାରଖାନା କରିବା ସତ୍ତ୍ୱେ କମିସନରେଟ୍‌ ପୁଲିସ ଖାକି ବିରାଦରି ଖାତିର୍‌ରେ ଏ ପ୍ରସଙ୍ଗକୁ ରଫାଦଫା କରିଦେଇଛି। ମାମଲାକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି ଅଧିକାରୀ। ତଳିଆ ପୁଲିସ ବଡ଼ବଡିଆଙ୍କ ଚାପରେ ଏମିତି ଚପି ଯାଇଛନ୍ତି ଯେ ମୁହଁ ଖୋଲିବାକୁ ନାରାଜ। ସବୁଠାରୁ ବଡ଼ କଥା ହେଲା, ସଂପୃକ୍ତ ଯୁବତୀଙ୍କୁ ତାଗିଦ୍‌ କରିବା ଲାଗି ବି ପୁଲିସ ଅଧିକାରୀମାନେ ସାହସ ଜୁଟାଇ ପାରିଲେ ନାହିଁ। ଓଲଟା ସଂପୃକ୍ତ ଯୁବତୀ ଆଜି ମହିଳା କନଷ୍ଟେବଳଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି ଯେ ତାଙ୍କୁ ମାଡ଼ ମରାଗଲା।

ଏହି ଖବର ଆଜି ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି। ଏଡିଜି ଶ୍ରୀ ଆଚାର୍ଯ୍ୟ ଆସି ତନାଘନା କରିବା ଓ ବରିଷ୍ଠ ପୁଲିସ ଅଧିକାରୀ ଚୁପ୍‌ ହୋଇଯିବା, ସର୍ବୋପରି ଟ୍ରାଫିକ୍‌ ପୁଲିସ ଅଭିଯୋଗ ହୋଇନାହିଁ ବୋଲି କହି ମାମଲାକୁ ଏଡ଼ାଇ ଯିବା ଘଟଣାକୁ କେହି ହଜମ କରିପାରୁନାହାନ୍ତି। ପ୍ରଶ୍ନ ଉଠିଛି, ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ଏତେ ବଡ଼ ଘଟଣା ଘଟିଲା, ଲୋକ କାହିଁକି ଜମା ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପଚାରି ବୁଝିଲେ, ତା ପରେ ଯଦି ମାମଲାର ସ୍ଥିତି ଏୟା, ଉପାନ୍ତ ଅଞ୍ଚଳରେ ପୁଲିସ କେତେ ନିରପେକ୍ଷ ଭାବେ କାର୍ଯ୍ୟ କରୁଥିବ?

ଏହି ଘଟଣାଟି ଲୋକଙ୍କ ମନକୁ ଭେଦିବାର କାରଣ ହେଉଛି, ସପ୍ତାହକ ମଧ୍ୟରେ ଟ୍ରାଫିକ୍‌ ଉଲ୍ଲଂଘନ ଅଭିଯୋଗରେ ପୁଲିସ ଆକ୍ରୋଶର ଶିକାର ହୋଇଛନ୍ତି ସାଧାରଣ ଲୋକେ। ନିକୋପାର୍କ ଛକରେ ପୁଲିସ ବିଶ୍ୱଜିତ ମିଶ୍ର ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। କଳ୍ପନା ଛକରେ ଜଗନ୍ନାଥ ପ୍ରଧାନ ଓ ପ୍ରିୟରଂଜନ ପ୍ରଧାନଙ୍କ ବିରୋଧରେ ବି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଇନାହିଁ। ଏପରିସ୍ଥଳେ ସଂପୃକ୍ତ ଯୁବତୀଙ୍କୁ ପୁଲିସ କେମିତି ଛାଡିଦେଲା? ରାଜ୍ୟରେ ସାଧାରଣ ଲୋକ ଓ ବଡ଼ବଡିଆଙ୍କ ପାଇଁ ଆଇନ କ’ଣ ଅଲଗା?

ଘଟଣାଟି ହେଉଛି ଏମିତି। ଆଜି ଅପରାହ୍ନ ପ୍ରାୟ ସାଢ଼େ ୫ଟା। ଏଡିଜିଙ୍କ ଝିଅ ୟୁନିଟ-୧ ହାଟ ପଟୁ ଆସି ଏଜି ଛକର ୟୁ ଟର୍ନ ରାସ୍ତାରେ ଗାଡି ଲଗାଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ମହିଳା ଟ୍ରାଫିକ୍‌ କନଷ୍ଟେବଳ ଜଣକ ତାଙ୍କୁ ୟୁ ଟର୍ନ କରି ରାଜମହଲ ଛକ ଆଡେ ଯିବାକୁ କହିଥିଲେ। କିନ୍ତୁ ଯୁବତୀ ଜଣକ ରାଜଭବନ ଛକ ଆଡେ ଯିବେ କହି ନିଜ କାର୍‌ ସେହି ରାସ୍ତାରେ ପୂର୍ବଭଳି ରଖିଥିଲେ। ଫଳରେ ପଛପଟେ ଗାଡି ମୋଟର ଜାମ୍‌ ହୋଇଯାଇଥିଲା। କନଷ୍ଟେବଳ ଜଣକ ପୁଣି ଥରେ ଯୁବତୀଙ୍କୁ ଗାଡି ବୁଲାଇବାକୁ କହିବାରୁ ସେ ଏଥର କାର୍‌ଟିକୁ ଛକର ମଝି ସ୍ଥାନକୁ ନେଇ ଆସିଥିଲେ। ଆଉ ସଂପୃକ୍ତ ଯୁବତୀଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା।

କିଛି ସମୟ ପରେ ସେ ରାଗ ତମତମ ହୋଇ ରାଜଭବନ ଆଡକୁ ଗା଼ଡି ଛୁଟାଇଥିଲେ। କିଛି କ୍ଷଣ ଅନ୍ତରରେ ଏହି ଗା଼ଡିଟି ପୁଣି ଫେରିଥିଲା। ଏଥର ସେ ପୁଣି ଏଜି ଛକର ସେହି ୟୁ ଟର୍ନ ରାସ୍ତାରେ କାର୍‌ ଲଗାଇ ଦେଇ ଆରମ୍ଭ କରିଥିଲେ ଗର୍ଜତ ତର୍ଜନ।

ନିଜକୁ ଏଡିଜିଙ୍କ ଝିଅ ବୋଲି କହି ଚିତ୍କାର କରିଥିଲେ। କହିଥିଲେ, ମୋ କାର୍‌ ଏଇଠି ରହିବ। ମୁଁ ୟୁ ଟର୍ନ କରି ପାରିବି ନାହିଁ। ମୋର କିଏ କ’ଣ କରିବ ମୁଁ ଦେଖିବି। ଆହୁରି ବି କହୁଥିଲେ କାହାରିକୁ ଛାଡିବି ନାହିଁ। ଗୋଟି ଗୋଟି କରି ତୁମ ଚାକିରି ଖାଇବି। ମୋର କାର ଛୁଇଁବାକୁ ସାହସ କଲ କିଭଳି ?

ରାଜଧାନୀର ନୋ ଟଲରେନ୍ସ ଜୋନ୍‌ କୁହାଯାଉଥିବା ଏଜି ଛକରେ ଜଣେ ଯୁବତୀ ଏଭଳି ଚିତ୍କାର କରିବା ଘଟଣା ସମସ୍ତଙ୍କ ଉପସ୍ଥିତିରେ ହିଁ ଘଟୁଥିଲା। ଠିକ୍‌ ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ ଆସିବାର ଥିଲା। ଏଣୁ ସଂପୃକ୍ତ ମହିଳା କନଷ୍ଟେବଳ ତାଙ୍କୁ ସେଠାରୁ ତଡିବାକୁ ଉଦ୍ୟମ କରିଥିଲେ। ହେଲେ ସେ ହଟିବେ କଣ, ଓଲଟା ଧମକାଇଥିଲେ, ମୁଖ୍ୟମନ୍ତ୍ରୀଙ୍କ କାର୍‌ ଆଗରେ ଠିଆ ହୋଇ ଘଟଣା ବିଷୟରେ ଜଣାଇବି।

ସେତେବେଳକୁ ସୁର କମ୍ପାନି ଛକରେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ହୋଇସାରିଥିଲା। ଏଜି ଛକର ଏହି ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ନିର୍ଦେଶ ମିଳିଥିଲା ଯେ ସଂପୃକ୍ତ ଯୁବତୀଙ୍କୁ ହଟାଅ। ଆଉ ମହିଳା ଟ୍ରାଫିକ୍‌ କନଷ୍ଟେବଳ ଜଣକ ଯୁବତୀଙ୍କୁ ଠେଲିଠେଲି ଏଜି ଛକରୁ ହଟାଇ ଦେଇଥିଲେ। ଏହାକୁ ନେଇ ଯୁବତୀ ଜଣକ ଆହୁରି ଉତ୍‌କ୍ଷିପ୍ତ ହୋଇ ଏଭଳି ଆଚରଣ ପ୍ରଦର୍ଶନ କରିଥିଲେ ଯେ ତାଙ୍କୁ ସମ୍ଭାଳିବା କଷ୍ଟକର ହୋଇ ପଡ଼ିଥିଲା। ଏହି ଘଟଣାକୁ ନେଇ ସେ ଅଞ୍ଚଳ ଲୋକାରଣ୍ୟ ହୋଇଯାଇଥିଲା।ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ ସେହି ରାସ୍ତାରେ ଅତିକ୍ରମ କରିଥିଲା। ମୁଖ୍ୟମନ୍ତ୍ରୀ ତାଙ୍କ ସୁରକ୍ଷାକର୍ମୀଙ୍କୁ ‘କ୍ୟା ଚଲ ରହାହେ’ ବୋଲି ପଚାରିଥିଲେ।

ଏପଟେ ଖବର ପାଇ ହଠାତ୍‌ ଟ୍ରାଫିକ୍‌ ଥାନାରେ ପହଞ୍ଚିଥିଲେ ଏଡିଜି ଶ୍ରୀ ଆଚାର୍ଯ୍ୟ। ଶ୍ରୀ ଆଚାର୍ଯ୍ୟ ମଧ୍ୟ ଝିଅକୁ ସମର୍ଥନ ଜଣାଇ ଟ୍ରାଫିକ ପୁଲିସ ଉପରେ ବର୍ଷିଥିଲେ। ଆଉ ତା’ ପରେ ସମସ୍ତେ ଚୁପ୍‌।

ଖବର ମିଳିଛି, କମିସନରେଟ ପୁଲିସ ପକ୍ଷରୁ ଘଟଣାର ଯାଞ୍ଚ ଆରମ୍ଭ ହୋଇଛି। ଏ ନେଇ ଟ୍ରାଫିକ୍‌ ଏସିିପି ଅନୁପ କାନୁନଗୋଙ୍କୁ ଘଟଣାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ନିର୍ଦେଶ ଦେଇଛନ୍ତି। କମିସନରେଟ ପୁଲିସ ମୁଖ୍ୟାଳୟରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ଯାଞ୍ଚ ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଯୁବତୀ ଜଣକ ସଂପୃକ୍ତ ମହିଳା କନଷ୍ଟେବଳଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କୁ ମା଼ଡ଼ ମରାଯାଇଥିବା ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗର ତଦନ୍ତ କରୁଛି।

ଡିସିପି ଅନୁପ ସାହୁ କହିଛନ୍ତି, ମହିଳା ଟ୍ରାଫିକ୍‌ କନଷ୍ଟେବଳ ଯୁବତୀଙ୍କୁ ମାଡ଼ ମାରିବା ଘଟଣା ସଂପୂର୍ଣ ମିଛ। ବରଂ ଯୁବତୀ ଟାଫିକ୍‌ ନିୟମର ଉଲଂଘନ କରିଛନ୍ତି।

ସମ୍ବନ୍ଧିତ ଖବର