ରଥାରୂଢ଼ ଶ୍ରୀଜିଉଙ୍କୁ ଅଧରପଣା ଲାଗି

ପୁରୀ : ନବଦିନ ଧରି ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ରଥରେ ଅବତରଣ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ ସହ ମୁକ୍ତି ପାଇଁ ଚଣ୍ଡିଚାମୁଣ୍ଡା, ଅଶରୀରୀମାନେ ଘୁରି ବୁଲୁଥାନ୍ତି। ଏମାନଙ୍କୁ ତୃପ୍ତ କରିବା ପାଇଁ ଆଜି ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଅଧରପଣା ପୂଜା ନୀତି ସଂପନ୍ନ ହୋଇଛି। ଚତୁର୍ଦ୍ଧା ମୂର୍ତିଙ୍କଠାରେ ଏହି ପଣା ଲାଗି ହେବା ପରେ ରଥ ଉପରେ ଅଧରହାଣ୍ଡିକୁ ଭାଙ୍ଗି ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଛି। ଆସନ୍ତାକାଲି ରଥାରୂଢ଼ ଚତୁର୍ଧା ମୂର୍ତିଙ୍କ ନୀଳାଦ୍ରି ବିଜେ। ଏହା ପୂର୍ବରୁ ଆଜି ରଥାରୂଢ଼ ଶ୍ରୀବିଗ୍ରହମାନଙ୍କ ସମ୍ମୁଖରେ ଅଧରପଣା ନୀତି ସଂପନ୍ନ ହୋଇଥିଲା। ନୀତି ନିର୍ଘଣ୍ଟ ମୁତାବକ ମଧ୍ୟାହ୍ନ ଧୂପ ପରେ ଠାକୁରମାନଙ୍କ ଅଧର ଉଚ୍ଚର ନିର୍ମିତ ୯ଟି ମାଟି ହାଣ୍ଡିରେ ଏହି ପଣା ତିନି ରଥ ଉପରେ ପୂଜା ହୋଇଥିଲା। ତିନି ଠାକୁରଙ୍କ ସମ୍ମୁଖରେ ତିନୋଟି ଅଧର ହାଣ୍ଡିରେ ପଣା ଲାଗି କରାଯାଇଥିଲା। ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣିଆ ଆପଟ ସେବକମାନେ ପାଣି ଆଣି ପିତ୍ତଳ ହଣ୍ଡାରେ ରଖିବା ପରେ ଅଧର ହାଣ୍ଡି ଉପରେ ଜାଲି କପଡା ଦିଆଯାଇ ପାଣିକୁ ଛଣା ଯାଇଥିଲା। ପାଣି ଭର୍ତି ପରେ ସୁପକାର ସେବକମାନେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥିଲେ। ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶାଇ ଏହି ସ୍ୱତନ୍ତ୍ର ପଣା ପ୍ରସ୍ତୁତ କରାଯାଇଥିଲା। ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ତିନି ରଥରେ ପୂଜାପାଠ ନୀତି ସଂପନ୍ନ କରିଥିବା ବେଳେ ପାଳିଆ ପୂଜାପଣ୍ଡା ପଞ୍ଚ ଉପଚାରରେ ଅଧରପଣାକୁ ପୂଜା କରିଥିଲେ। ପୂଜା ନୀତି ବଢ଼ିବା ପରେ ତିନି ରଥ ଉପରେ ପଣା ହାଣ୍ଡିକୁ ବଡଦେଉଳ ପରମ୍ପରା ମୁତାବକ ଅଶରୀରୀମାନଙ୍କ ଉଦ୍ଧାର ସହ ରଥର ପାର୍ଶ୍ୱ ଦେବଦେବୀ, ଚଣ୍ଡିଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଭଙ୍ଗା ଯାଇଥିଲା।

ଗତକାଲି ରାତି ସାଢ଼େ ୨ଟା ସୁଦ୍ଧା ପହୁଡ଼ ହେବା ପରେ ଆଜି ସକାଳ ୬ଟାରୁ ସାଢ଼େ ୬ଟା ଭିତରେ ମଙ୍ଗଳ ଆଳତି ନୀତି ସଂପନ୍ନ ହୋଇଥିଲା। ପରେ ମଇଲମ, ତଡ଼ପଲାଗି ହୋଇ ସକାଳ ୮ଟାରେ ଅବକାଶ ନୀତି ସଂପନ୍ନ ହୋଇଥିଲା। ୯ଟା ସୁଦ୍ଧା ବେଶ ଶେଷ ପରେ ପୂର୍ବାହ୍ଣ ୧୦ଟାରୁ ସାଢ଼େ ୧୦ଟା ଭିତରେ ବଲ୍ଲଭ ଭୋଗ, ପୂର୍ବାହ୍ଣ ସାଢ଼େ ୧୧ରୁ ମଧ୍ୟାହ୍ନ ସାଢ଼େ ୧୨ଟା ଭିତରେ ସକାଳ ଧୂପ, ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ, ବେଶ ଶେଷ ହୋଇ ଅପରାହ୍ଣ ସାଢ଼େ ୩ଟାରୁ ସାଢ଼େ ୪ଟା ଭିତରେ ମଧ୍ୟାହ୍ନ ଧୂପ ଶେଷ ହୋଇଥିଲା। ମଧ୍ୟାହ୍ନ ଧୂପ ଶେଷ ପରେ ଅଧରପଣା ନୀତି ଆରମ୍ଭ ହୋଇଥିଲା। ରାତିରେ ଅଧରପଣା ନୀତି ଶେଷ ପରେ ମହାସ୍ନାନ, ମଇଲମ, ବେଶ, ସଂଧ୍ୟା ଆଳତି, ସଂଧ୍ୟା ଧୂପ, ମଇଲମ, ଚନ୍ଦନ ଲାଗି ବଡସିଂହାର ବେଶ, ବଡସିଂହାର ଭୋଗ ନୀତି ସଂପନ୍ନ ହୋଇଥିଲା।

ସମ୍ବନ୍ଧିତ ଖବର