ଭାଙ୍ଗିବା ଆଗରୁ ପଣା ନେଇଗଲେ

ପୁରୀ: କେବଳ ରଥଯାତ୍ରା, ବାହୁଡ଼ା ଯାତ୍ରାରେ ବ୍ୟବସ୍ଥାବଳୀକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇନି ଆଜି ଶ୍ରୀମନ୍ଦିର ପ୍ରଶାସନର ଏହି ବ୍ୟବସ୍ଥାବଳୀକୁ ପାଦରେ ଦଳି ଦିଆଯାଇଛି। ପରମ୍ପରା ଅନୁଯାୟୀ, ଚଣ୍ଡୀ, ଚାମୁଣ୍ଡାଙ୍କୁ ଅଧରପଣା ଉତ୍ସର୍ଗ କରିବା ପୂର୍ବରୁ ରଥ ଉପରେ ଥିବା ସେବାୟତମାନେ କୁଡ଼ୁଆ, ହାଣ୍ଡି, ଟିଫିନ୍‌ ଧରି ଏହାକୁ ଆଗୁଆ ନେଇ ପଳାଇଛନ୍ତି। ଯାହା ଧାର୍ମିକ ଭାବନା ପ୍ରତି କୁଠାରଘାତ ସଦୃଶ ହୋଇଛି। ବିଶ୍ୱାସ ରହିଛି, ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଚଣ୍ଡୀ, ଚାମୁଣ୍ଡା, ଅଶରୀରମାନେ ତିନି ରଥ ଚାରିପାଖେ ବୁଲୁଥାନ୍ତି। ଏମାନଙ୍କୁ ତୃପ୍ତ କରିବା ପାଇଁ ରଥଯାତ୍ରା ଶେଷ ପରେ ତିନି ରଥ ଉପରେ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ। ଏହାକୁ ତିନି ଠାକୁରଙ୍କଠାରେ ଲାଗି ହେବା ପରେ ରଥ ଉପରେ ଭାଙ୍ଗି ଦିଆଯାଇଥାଏ। ଭାଙ୍ଗିବା ପୂର୍ବରୁ ଅବା ପରେ ଏହାକୁ ରଥ ଉପରୁ ନେବା ନିଷେଧ କରାଯାଇଛି। ବ୍ୟବସ୍ଥାବଳୀରେ ଏହା ସ୍ପଷ୍ଟ ଉଲ୍ଲେଖ ରହିଛି। ତଥାପି ଏହାକୁ କେହି ମାନିନାହାନ୍ତି। ଅଧରହାଣ୍ଡି ଭଙ୍ଗାଯିବା ପୂର୍ବରୁ ରଥ ଉପରେ ଥିବା ସେବାୟତମାନେ ଟିଫିନ୍‌୍‌, କୁଡ଼ୁଆ ଆଦି ଧରି ହାଣ୍ଡି ଭିତରୁ ପଣା କାଢ଼ି ନେଇଛନ୍ତି। କେବଳ ସେତିକି ନୁହେଁ, ରଥ ଉପରେ ପିତଳ କୁଣ୍ଡ ଓ ଅନ୍ୟାନ୍ୟ ପାତ୍ର ଧରି ଛିଡ଼ା ହୋଇ ରହିଥିବା ସେବାୟତମାନେ ଅଧରହାଣ୍ଡି ଭଙ୍ଗାଯିବା ମାତ୍ରେ ଏହାକୁ ରଥ ଉପରୁ ପୋଛି ନେଇଥିଲେ।

ରଥ ଆଗରେ ଦାନଦକ୍ଷିଣା ଆଦାୟ
ପୁରୀ: ସୁପ୍ରିମ୍‌କୋର୍ଟଙ୍କ ଆଦେଶନାମା ପରେ ରଥଯାତ୍ରା ସମୟରେ ରଥ ଉପରେ ଅବା ଶ୍ରୀମନ୍ଦିରରେ ଭକ୍ତଙ୍କଠାରୁ ଦାନଦକ୍ଷିଣା ଆଦାୟ ଉପରେ କଟକଣା ଜାରି କରାଯାଇଛି। କିନ୍ତୁ ସେବାୟତମାନେ ସୁପ୍ରିମ୍‌କୋର୍ଟଙ୍କ ଏହି ନିର୍ଦେଶକୁ ବି ଖାତିର କରିନାହାନ୍ତି। ଖୋଲାଖୋଲି ଥାଳି ରଖି ଅରୁଣ ସ୍ତମ୍ଭ ଆଗରେ ଦାନଦକ୍ଷିଣା ଆଦାୟ କରିଛନ୍ତି। ଯାହାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରଥଯାତ୍ରା ସମୟରେ ଦାନଦକ୍ଷିଣା ଉପରେ ରୋକ୍‌ ଲଗାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତିନି ରଥରେ ୧୨ଟି ହୁଣ୍ଡି ଲଗାଇଥିଲେ। ଯେଉଁଥିରେ ଶ୍ରୀମନ୍ଦିର ପ୍ରଶାସନ ନିଜ ନାମ ଉଲ୍ଲେଖ କରିବା ସହ ହୁଣ୍ଡିରେ ଦାନଦକ୍ଷିଣା ପକାଇବାକୁ ଅନୁରୋଧ କରିଥିଲା।

ସମ୍ବନ୍ଧିତ ଖବର