ରାଜ୍ୟରେ ପ୍ରଥମ : ରେଭେନ୍ସାରେ ଖୋଲିବ ଆଧ୍ୟାତ୍ମିକ ପାଠାଗାର

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଖୋଲିବାକୁ ଯାଉଛି ରାଜ୍ୟର ପ୍ରଥମ ଆଧ୍ୟାତ୍ମିକ ପାଠାଗାର। ଶିକ୍ଷାନୁଷ୍ଠାନର ପରିବେଶ ଅନୁକୂଳ ରଖିବା, ଶୈକ୍ଷିକ ବାତାବରଣ ସୃଷ୍ଟି କରିବା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଧ୍ୟାତ୍ମିକ ମନୋଭାବ ବିକାଶ କରିବା ଲକ୍ଷ୍ୟରେ ଏଭଳି ଯୋଜନା ପ୍ରସ୍ତୁତ କରାଯାଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ କରି ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାବେ କମ୍ପ୍ୟୁଟର ସାଇନ୍ସ ବିଭାଗ ପକ୍ଷରୁ ମଧ୍ୟ ପ୍ରେରଣା ଦାୟକ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ପ୍ରଥମେ ଏହାକୁ ବିଶ୍ୱବିଦ୍ୟାଳୟର ସମସ୍ତ ହଷ୍ଟେଲରେ ଆରମ୍ଭ କରାଯିବ। ପରେ ଏହାକୁ ସମସ୍ତ ବିଭାଗକୁ ସଂପ୍ରସାରଣ କରାଯିବ। ଗୋଟିଏ ହଷ୍ଟେଲରେ ମାସକୁ ଦୁଇଥର ଲେଖାଁଏ ଦେଢ ଘଣ୍ଟାର ଏହି କାର୍ଯ୍ୟକ୍ରମ କରାଯିବ। ଏଥିରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ସଫଳ ବ୍ୟକ୍ତି ବିଶେଷଙ୍କୁ ଅଣାଯାଇ ଛାତ୍ରଛାତ୍ରୀଙ୍କ ସହିତ ମିଶିବାକୁ ସୁଯୋଗ ଦିଆଯିବ। ବିଶେଷ ଭାବେ ବିଭିନ୍ନ ହସ୍ପିଟାଲ ଓ ମେଡିକାଲ କଲେଜର ବିଜ୍ଞ ଡାକ୍ତରଙ୍କୁ ଡକାଯାଇ ଅନ୍ତେବାସୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନା ସୃଷ୍ଟି କରାଯିବ। ଏଥିରେ ଯୋଗ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ନିରୋଗ ରହିବା, ସ୍ମରଣଶକ୍ତି ଓ ଆତ୍ମ ବିଶ୍ୱାସକୁ ବଢାଇବା ପାଇଁ ମଧ୍ୟ ଶିକ୍ଷା ଦିଆଯିବ। ଏହାସହ ବିଶ୍ୱବିଦ୍ୟାଳୟରେ ପ୍ରଥମକରି ଏକ ଆଧ୍ୟାତ୍ମିକ ପାଠାଗାର ଖୋଲାଯିବ। ଯେଉଁ ଠାରେ ଗୀତା, କୋରାନ୍‌, ବାଇବେଲ ଠାରୁ ଆରମ୍ଭ କରି ଅଧ୍ୟାତ୍ମିକ ପୁସ୍ତକ ଓ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଆତ୍ମଜୀବନୀ ରଖାଯିବ। ଆଧ୍ୟାତ୍ମିକ ପାଠାଗାରକୁ ପ୍ରଥମେ କନିକା ଲାଇବ୍ରେରିରେ ଖୋଲାଯିବ ପରେ ଏହା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି କୁଳସଚିବ ମହେଶ୍ୱର ଅଗସ୍ତି ସୂଚନା ଦେଇଛନ୍ତି। ଏନେଇ କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ଡକ୍ଟର ଶଶୀଭୂଷଣ ନାୟକ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟରେ ପ୍ରଥମକରି କମ୍ପ୍ୟୁଟର ସାଇନ୍ସ ବିଭାଗ ପକ୍ଷରୁ ଏପରି କାର୍ଯ୍ୟକ୍ରମ କରାଯାଉଛି। ଏହାସହ ବିଭିନ୍ନ ଧାର୍ମୀକ ଅନୁଷ୍ଠାନଙ୍କ ସହଯୋଗରେ ଏକ ଆଧ୍ୟାତ୍ମିକ ପାଠାଗାର ଖୋଲିବା ପାଇଁ ସ୍ଥିର କାରାଯାଇଛି ବୋଲିି ଶ୍ରୀ ନାୟକ ସୂୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର