ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ଦୁର୍ଦାନ୍ତ ମାଓନେତ୍ରୀ ଆଡ଼ମେ ମାଡ଼କାମୀ ଆଜି ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ୨୨ବର୍ଷୀୟା ଆ‌ଡ଼ମେ ମାଥିଲି ବ୍ଲକ୍‌ ଟେମରୁପାଲ୍ଲୀ ଗ୍ରାମର ମୂଳ ବାସିନ୍ଦା। ବାପା ଇଡ଼ମା ମାଡ଼କାମୀ ଜଣେ ଚାଷୀ ହୋଇଥିବା ବେଳେ ୨୦୧୫ ମସିହାରେ ସଂଗଠନରେ ଯୋଗ ଦେଇଥିଲା ଆଡ଼ମେ। ନକ୍ସଲଙ୍କ ତଥାକଥିତ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସଂଗଠନରେ ମିଶିଥିଲା। କିନ୍ତୁ ସେଠାରେ କୌଣସି ଉଦ୍ଦେଶ୍ୟ କିମ୍ବା ଲକ୍ଷ୍ୟ ନେଇ କାମ ହେଉ ନଥିବା ହୃଦ୍‌ବୋଧ ହେବାରୁ ସଂଗଠନ ଛାଡ଼ି ଆଜି ଆତ୍ମସପର୍ମଣ ପରେ ଆଡ଼ମେ ଗଣମାଧ୍ୟମକୁ କହିଛି।

Advertisment

ବହୁଦିନ ହେଲା ପୁଲିସ ପାଇଁ ୱଣ୍ଟେଡ୍‌ ଥିଲା ଆଡ଼ମେ। ଦରଭା ଡିଭିଜନ ପାଇଁ ସେ କାମ କରୁଥିଲା। ପୂର୍ବରୁ ପୁଲିସ ସହ ଯୋଗାଯୋଗ କରି ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆତ୍ମସମର୍ପଣ କରିଥିଲା। ଏହି ଅବସରରେ ପୁଲିସ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଏସ୍‌ପି ଋଷିକେଶ ଖିଲାରୀ ଏବଂ ବିଏସଏଫ କମାଣ୍ଡାଣ୍ଟ ଏ.କେ.ଆର୍ଯ୍ୟ ଉପସ୍ଥିତ ଥିଲେ। ଲମ୍ବା ଅପରାଧିକ ପୃଷ୍ଠଭୂମି ରହିଥିବା ଏହି ଦୁର୍ଦାନ୍ତ ମାଓବାଦୀ ସଂଗଠନରେ ଯୋଗ ଦେବାପରେ ଆଡ଼ମେ ୨୦୧୫ ମସିହା ଅକ୍ଟୋବର ୩୧ ତାରିଖ ଦିନ ଦଣ୍ଡିପଦର ଗ୍ରାମର ଭୀମା ମାଡକାମୀଙ୍କୁ ହତ୍ୟା ଘଟଣାରେ ସଂପୃକ୍ତ ଥିଲା। ସେହିପରି ତା’ ବିରୋଧରେ ୨୦୧୭ ମସିହା ଡିସେମ୍ବର ୧୯ତାରିଖ ଦିନ ଯନ୍ଦ୍ରାଗୁଡ଼ାର ମୁୟା କାବାସୀଙ୍କୁ ହତ୍ୟା, ୨୦୧୮ ମସିହା ଜାନୁଆରି ୧୬ ତାରିଖ ଦିନ ରାସ୍ତା ନିର୍ମାଣରେ ଲାଗିଥିବା ରୋଲରକୁ ନିଆଁ ଲଗାଇ ପୋଡ଼ିଦେବା, ଦଲଦଲି ଓ ମହୁପଦରଠାରେ ପୁଲିସ ଉପରେ ଗୁଳି ଚଳାଇବା, ୨୦୧୮ ମସିହା ଏପ୍ରିଲ ମାସରରେ ଖଟୁଆପଦର ଗ୍ରାମର ପରଦେଶୀ ଦୁରୁଆଙ୍କୁ ହତ୍ୟା କରିବା ଭଳି ସଂଗିନ ମାମଲା ରହିଥିବା ପୁଲିସ କହିଛି। ବର୍ତ୍ତମାନ ନକ୍ସଲ ସଂଗଠନର ମିଲିଟାରି ପ୍ଲାଟୁନର ୩୧ ନମ୍ବରରେ ପାର୍ଟି ମେମ୍ବର ଭାବେ ସେ କାମ କରୁଥିଲା। ସରକାର ଆଡ଼ମେ ନାମରେ ୨ ଲକ୍ଷ ଟଂକାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ।