ଏଆଇସିଟିିଇ ଗାଇଡ୍‌ଲାଇନ ଉଲ୍ଲଂଘନ : ଗଜପତି ଓ ବ୍ରହ୍ମପୁର ପଲିଟେକ୍‌ନିକରେ ନାମ ଲେଖା ବନ୍ଦ

କଟକ : ଏ ବର୍ଷ ୨ ସରକାରୀ ପଲିଟେକ୍‌ନିକରେ ନାମଲେଖା ବନ୍ଦ । ଗାଇଡ୍‌ଲାଇନ ପୂରଣ ନ ହେବା କାରଣରୁ ନାମ ଲେଖା ସୁଯୋଗ ନ ଦେବା ପାଇଁ ସଫା ସଫା ମନା କରିଦେଇଛନ୍ତି ଏଆଇସିଟିିଇ କର୍ତ୍ତୃପକ୍ଷ। ଏହି ତାଲିକାରେ ଗଜପତି ଓ ବ୍ରହ୍ମପୁର ପଲିଟେକନିକ ରହିଛି।

ଏଆଇସିଟିିଇ ଗାଇଡ୍‌ଲାଇନ ଅନୁଯାୟୀ, ସରକାରୀ ପଲିଟେକ୍‌ନିକର ଅଧ୍ୟକ୍ଷ ପଦ ପିଏଚ୍‌ଡି ଡିଗ୍ରୀଧାରୀ ହେବା ଆବଶ୍ୟକ ଏବଂ ଅଧ୍ୟାପକମାନେ ଏଆଇସିଟିିଇ ହାରରେ ଦରମା ପାଉଥିବେ । ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦୃଷ୍ଟିରୁ ବୈଷୟିକ ଶିକ୍ଷାନୁଷ୍ଠାନରେ ୨୦:୧ ଅନୁପାତ ହାରରେ ଅଧ୍ୟାପକ ନିଯୁକ୍ତି ହୋଇଥିବେ। ସେହିପରି, ଆବଶ୍ୟକ ଭିତ୍ତିଭୂମି, ସ୍ମାର୍ଟ ଶ୍ରେଣୀଗୃହ, ଅତ୍ୟାଧୁନିକ ପାଠାଗାର ଆଦି ଆନୁଷଙ୍ଗିକ ବ୍ୟବସ୍ଥା ରହିଥିବ।

ତେବେ ରାଜ୍ୟରେ ଥିବା ସମସ୍ତ ୩୨ଟି ସରକାରୀ ପଲିଟେକନିକରେ ଊଣାଅଧିକ ଏହିସବୁ ଗାଇଡ୍‌ଲାଇନ ଉଲ୍ଲଂଘନ କରିଛନ୍ତି। ତେବେ, ରେଙ୍ଗାଳି(ସମ୍ବଲପୁର), ବ୍ରହ୍ମପୁର, ଗଜପତି ଏବଂ ମାଲକାନଗିରି ସରକାରୀ ପଲିଟେକନିକରେ ଏଆଇସିଟିିଇର ପ୍ରମୁଖ ଗାଇଡ୍‌ଲାଇନ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। ଏଆଇସିଟିଇର ପ୍ରତିନିଧି ଦଳ ଏହିସବୁ ପଲିଟେକ୍‌ନିକ ପରିଦର୍ଶନ କରିବା ପରେ ଗାଇଡ୍‌ଲାଇନ ଉଲ୍ଲଂଘନ ହୋଇଥିବା ଜାଣିବାକୁ ପାଇଥିଲେ। ଫଳରେ ଏହିସବୁ ସରକାରୀ ପଲିଟେକନିକଗୁଡିକରୁ ସ୍ୱୀକୃତି ପ୍ରତ୍ୟାହାର କରିବା ସହ ଚଳିତ ଶିକ୍ଷାବର୍ଷ (୨୦୧୮-୧୯)ଠାରୁ ଡିପ୍ଲୋମା ପାଠ୍ୟକ୍ରମରେ ନାମ ନ ଲେଖାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏ ନେଇ ସରକାରୀ ପଲିଟେକନିକଗୁଡିକ ଏଆଇଟିସିଇଠାରେ ପୁନଃ ଆବେଦନ କରିବା ପରେ ଏଆଇଟିସିଇ ସେସବୁର ପୁନଃସମୀକ୍ଷା କରିବା ପାଇଁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡିକୁ ନୂଆଦିଲ୍ଲୀ ଡକାଇଥିଲେ । ଗତ ମାର୍ଚ୍ଚ ମାସରେ ଗଜପତି ଓ ବ୍ରହ୍ମପୁର ପଲିଟେକନିକ କର୍ତ୍ତୃପକ୍ଷ ନୂଆଦିଲ୍ଲୀରେ ଏଆଇଟିସିଇ କର୍ତ୍ତୃପକ୍ଷଙ୍କ ନିକଟରେ ପୁଣି ଥରେ ତଥ୍ୟ ଉପସ୍ଥାପନ କରିଥିଲେ ମଧ୍ୟ ଏଆଇଟିସିଇ ସେଥିରେ ସନ୍ତୁଷ୍ଟ ହୋଇ ନଥିବା ଜଣାପଡିଛି । ଫଳରେ ଚଳିତବର୍ଷ ଗଜପତି ଓ ବ୍ରହ୍ମପୁର ସରକାରୀ ପଲିଟେକନିକରେ ଡିପ୍ଲୋମା ପାଠ୍ୟକ୍ରମରେ ନାମ ଲେଖା ବନ୍ଦ ହେବା ଏକପ୍ରକାର ନିଶ୍ଚିତ ହୋଇଛି ।

ସମ୍ବନ୍ଧିତ ଖବର