ଏଡିଆର ରିପୋର୍ଟ : ୨୦୧୮-୧୯ରେ ବିଜେଡିର ଦଳୀୟ ପାଣ୍ଠି ସଂଗ୍ରହ ୨୪୯ କୋଟି

୫ଟି ଜାତୀୟ ଦଳ ସମେତ ୩୦ଟି ଆଞ୍ଚଳିକ ଦଳ ତଥ୍ୟ ଦେଇନାହାନ୍ତି
ବିଜେପି, କଂଗ୍ରେସ, ଏନସିପି, ସିପିଆଇ ଓ ଏନଇପି ସାମିଲ
୩ଟି ଜାତୀୟ ଦଳ ସହ ୨୨ଟି ଆଞ୍ଚଳିକ ଦଳ ସଂଗ୍ରହ କରିଛନ୍ତି ୧୧୬୩ କୋଟି
ସବୁ ଦଳଠୁ ଅଧିକ ସଂଗ୍ରହ କରିଛି ବିଜେଡି

ଭୁବନେଶ୍ବର : ୨୦୧୮-୧୯ ଆର୍ଥିକ ବର୍ଷରେ ବିଜୁ ଜନତା ଦଳ ସବୁ ରାଜନୈତିକ ଦଳମାନଙ୍କ ଠାରୁ ଅଧିକ ପାଣ୍ଠି ସଂଗ୍ରହ କରିଛି। ଗତ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଭାରତ ନିର୍ବାଚନ କମିସନଙ୍କ ପାଖରେ ଦଳ ଦାଖଲ କରିଥିବା ତଥ୍ୟକୁ ନେଇ ରିପୋର୍ଟ ପ୍ରକାଶ କରିଛି ଆସୋସିଏସନ ଫର୍ ଡେମୋକ୍ରେଟିକ୍ ରିଫର୍ମସ୍ ସଂସ୍ଥା। ରିପୋର୍ଟ ପ୍ରସ୍ତୁତ ହେବା ଭିତରେ ଭାରତୀୟ ଜନତା ପାର୍ଟି ସମେତ ଭାରତୀୟ ଜାତୀୟ କଂଗ୍ରେସ ପରି ୫ଟି ଜାତୀୟ ରାଜନୈତିକ ଦଳ ଓ ୩୦ ଟି ଆଞ୍ଚଳିକ ଦଳ ନିର୍ବାଚନ କମିସନଙ୍କୁ ସେମାନଙ୍କ ଅଡିଟ୍ ରିପୋର୍ଟ ଦାଖଲ କରିନାହାନ୍ତି। ଗତ ଆର୍ଥିକ ବର୍ଷରେ ୩ଟି ଜାତୀୟ ଓ ୨୨ଟି ଆଞ୍ଚଳିକ ଦଳ ମୋଟ୍ ୧୧୬୩ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି।

୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ରାଜନୈତିକ ଦଳମାନେ ସେମାନଙ୍କର ଆୟବ୍ୟୟର ଅଡିଟ୍ ରିପୋର୍ଟ ନିର୍ବାଚନ କମିସନଙ୍କ ପାଖରେ ଦାଖଲ କରିବା ନେଇ ଗତ ଅକ୍ଟୋବର ମାସ ୩୧ ତାରିଖକୁ ଶେଷ ଦିନ ଭାବେ ଧାର୍ଯ୍ୟ କରାଯାଇଥିଲା। ଏହି ସମୟ ଭିତରେ ମାତ୍ର ୩ଟି ଜାତୀୟସ୍ତରର ରାଜନୈତିକ ଦଳ ଓ ୨୨ଟି ଆଞ୍ଚଳିକ ଦଳ ସେମାନଙ୍କର ଅଡିଟ୍ ରିପୋର୍ଟ ଦାଖଲ କରିଥିଲେ। ଏସବୁ ରାଜନୈତିକ ଦଳମାନଙ୍କର ଅ଼ଡିଟ୍ ରିପୋର୍ଟକୁ ବିଶ୍ଲେଷଣ କରି ଏଡିଆର ପ୍ରକାଶ କରିଛି, ଗତ ଆର୍ଥିକ ବର୍ଷରେ ଓଡ଼ିଶାର ବିଜୁ ଜନତା ଦଳ ଅନ୍ୟ ସମସ୍ତ ରାଜନୈତିକ ଦଳମାନଙ୍କଠାରୁ ଅଧିକ ପାଣ୍ଠି ସଂଗ୍ରହ କରିଛି। ବିଜେଡି ମୋଟ ୨୪୯ କୋଟି ୩୧ ଲକ୍ଷ ଟଙ୍କା ସଂଗ୍ରହ କରିଛି। ଯାହାକି ଅନ୍ୟ ରାଜନୈତିକ ଦଳମାନଙ୍କ ମୋଟ ଆୟ ତୁଳନାରେ ୨୧.୪୩%। ୨୦୧୭-୧୮ ଆର୍ଥିକ ବର୍ଷରେ ଦଳ ୨୩୫ କୋଟି ୧୯ ଲକ୍ଷ ଟଙ୍କା ସଂଗ୍ରହ କରିଥିଲା। ବିଜେଡି ପଛକୁ ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ୧୯୨ କୋଟି ୬୩ ଲକ୍ଷ ଓ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି ୧୮୮ କୋଟି ୭୧ ଲକ୍ଷ ଟଙ୍କା ସଂଗ୍ରହ କରିଛି। ଏହି ୩ଟି ଦଳର ମୋଟ ପାଣ୍ଠିର ପରିମାଣ ୬୩୦ କୋଟି ୬୭ ଲକ୍ଷ ଟଙ୍କା। ଯାହାକି ମୋଟ ଦାଖଲ କରିଥିବା ରାଜନୈତିକ ଦଳମାନଙ୍କର ପାଣ୍ଠି ପରିମାଣ ତୁଳନାରେ ୫୪.୨୨%।

ରାଜନୈତିକ ଦଳମାନଙ୍କର ବ୍ୟୟ ତାଲିକାରୁ ଜଣାପଡ଼ିଛି, ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ସଂଗୃହୀତ ପାଣ୍ଠିରୁ ମାତ୍ର ୧୧ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ କରିଛି। ସେହିପରି ବିଜୁ ଜନତା ଦଳ ଗତ ଆର୍ଥିକ ବର୍ଷରେ ଖର୍ଚ୍ଚ କରିଛି ୫୦ କୋଟି ୫୭ ଲକ୍ଷ ଟଙ୍କା। ସଂଗୃହୀତ ଅର୍ଥ ଖର୍ଚ୍ଚ କରିବାରେ ଶ୍ରେଷ୍ଠ ୩ଟି ରାଜନୈତିକ ଦଳ ତାଲିକାରେ ଵାଇଏସଆର୍ କଂଗ୍ରେସ, ସିପିଏମ୍ ଓ ଏସପି ସାମିଲ ଅଛନ୍ତି। ଚାନ୍ଦା, ଇଲେକ୍ଟ୍ରୋରାଲ ବଣ୍ଡ୍ ମାଧ୍ୟମରେ ୨୫ଟି ଯାକ ରାଜନୈତିକ ଦଳ ମୋଟ ୮୯୩ କୋଟି ୬ ଲକ୍ଷ ଟଙ୍କା ସଂଗ୍ରହ କରିପାରିଛନ୍ତି। ଏସବୁ ରାଜନୈତିକ ଦଳମାନେ ୧୪୧ କୋଟି ଟଙ୍କା ସେମାନଙ୍କର ସଭ୍ୟ ସଂଗ୍ରହ ଅଭିଯାନ ଫି ବାବଦରେ ଗ୍ରହଣ କରିଥିବା ଅଡିଟ୍ ରିପୋର୍ଟରେ ଉଲ୍ଲେଖ ରହିଛି। ଏଡିଆର ରିପୋର୍ଟ ଅନୁଯାୟୀ, ସମାଜବାଦି ପାର୍ଟି ଦାଖଲ କରିଥିବା ତଥ୍ୟରେ ତାଳମେଳ ରହୁନି। ୨୫ଟି ରାଜନୈତିକ ଦଳ ସେମାନଙ୍କ ଆୟ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି। ୫୦% ଅର୍ଥ ଚାନ୍ଦା ଜରିଆରେ ରାଜନୈତିକ ଦଳମାନେ ପାଉଥିଲେ ବି ଚାନ୍ଦା ଦେଉଥିବା ବ୍ୟକ୍ତିବିଶେଷଙ୍କ ବିଷୟରେ ସବିଶେଷ ତଥ୍ୟ ଦାଖଲ କରିନାହାନ୍ତି।

ସମ୍ବନ୍ଧିତ ଖବର