ଅନ୍ୟ ପିଲାଙ୍କ ସହ ସମକକ୍ଷ କରିବାକୁ ପ୍ରୟାସ

ଆଦିବାସୀ ପିଲାଙ୍କ ଖରାଦିନିଆ ସ୍କୁଲ

ମାଲକାନଗିରି: ଖରା ଛୁଟି ପାଇଁ ଶ୍ରେଣୀ ଗୃହରେ ତାଲା ଝୁଲୁଛି। ଶିକ୍ଷକ, ଶିକ୍ଷୟିତ୍ରୀ ବି ଆସୁ ନାହାନ୍ତି। କିନ୍ତୁ ପିଲାମାନେ ଠିକ୍‌ ସମୟରେ ଯାଇ ପହଞ୍ଚି ଯାଉଛନ୍ତି ସ୍କୁଲରେ। ଖେଳି, ବୁଲି ଛୁଟି ଅତିବାହିତ କରିବା ବଦଳରେ ସ୍କୁଲ ବାରଣ୍ଡାରେ ଶୃଙ୍ଖଳିତ ଭାବେ ବସୁଛନ୍ତି। ପାଠ ବି ପଢୁଛନ୍ତି। ଅନ୍ୟ ପିଲାଙ୍କ ସହ ସମକ୍ଷକ ହେବାକୁ ଛୁଟିରେ ବି ପୂରା ପାଠ ମନସ୍କ ହୋଇ ଯାଇଛନ୍ତି ମାଲକାନଗିରି ବ୍ଲକ ଅନ୍ତର୍ଗତ ଚାଲାଣଗୁଡା ଗ୍ରାମର ଆଦିବାସୀ ଛାତ୍ରଛାତ୍ରୀ। ପିଲାଙ୍କ ଏଭଳି ଏକାଗ୍ରତା ଦେଖି ଗାଁର କିଛି ଶିକ୍ଷିତ ଆଦିବାସୀ ଯୁବକ ଏବେ ସାମୟିକ ଭାବେ ସେମାନଙ୍କ ଶିକ୍ଷକ ପାଲଟିଛନ୍ତି। ଏହି ଖରା ଦିନିଆ ସ୍କୁଲରେ ପିଲାଙ୍କୁ ମାଗଣାରେ ମଧ୍ୟାହ୍ନ ଭୋଜନ ଦେବା ବ୍ୟବସ୍ଥା ବି ସେମାନେ କହିଛନ୍ତି। ସକାଳୁ କିଛି ଘଣ୍ଟା। ପୁଣି ମଧ୍ୟାହ୍ନରେ କିଛି ଘଣ୍ଟା ଧରି ଶିକ୍ଷାଦାନ ଚାଲିଛି। ବିଦ୍ୟାଳୟରେ ତୃତୀୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢାଯାଉଛି। ପାଠ୍ୟକ୍ରମରେ ଥିବା ବିଷୟ ସମେତ ସାଧାରଣଜ୍ଞାନ ଓ ଭବିଷ୍ୟତରେ ଆବଶ୍ୟକ ହେବାକୁ ଥିବା ଶିକ୍ଷା ପିଲାଙ୍କୁ ଦିଆଯାଉଛି। ଯାହାକୁ ନେଇ ଅଭିଭାବକ ମହଲରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ଖରା ଛୁଟିରେ ସ୍କୁଲ ବନ୍ଦ ଥିବା ଯୋଗୁଁ ପିଲାମାନେ ପାଠ ନପଢି ବୁଲିବା ଏବଂ ଖେଳିବାକୁ ପସନ୍ଦ କରିଥାନ୍ତି। ପାଠପଢା ବ୍ୟାହତ ଯୋଗୁଁ ପିଲାମାନେ ଅନ୍ୟ ସାଧାରଣ ପିଲାଙ୍କ ସହ ସମକକ୍ଷ ହୋଇପାରନ୍ତି ନାହିଁ। ସ୍ଥାନୀୟ ଛାତ୍ର ପଦ୍ମ ମାଡକାମୀଙ୍କ କହିବା ଅନୁଯାୟୀ ସେ ଏହି ଖରାଦିନିଆ ସ୍କୁଲରେ ପାଠ ପଢି ବହୁ ବିଷୟରେ ଜାଣିପାରିଲେ। ଶିକ୍ଷକମାନେ ବହୁ ଆଦରରେ ପାଠ ପଢାଉଛନ୍ତି। ପିଲା ଯେପରି ଭଲ ରୂପେ ବୁଝିପାରିବେ ତାହାକୁ ଦୃଷ୍ଟିରେ ରଖି ପଢାଉଛନ୍ତି। ସେହିଭଳି ଛାତ୍ରୀ କୁମାରୀ ପଡିଆମିଙ୍କ କହିବା ଅନୁଯାୟୀ ଏଭଳି ଶିକ୍ଷା ପ୍ରାୟ ସମସ୍ତ ଆଦିବାସୀ ଅଂଚଳରେ ହେବା ଦରକାର। ସ୍କୁଲ ଖୋଲିବା ପୂର୍ବରୁ ଆମେ ସମସ୍ତ ବିଷୟରେ ପାରଙ୍ଗମ ହୋଇଯାଇଥିବୁ। ଶିକ୍ଷକ ପାଠ ପଢାଇବା ପୂର୍ବରୁ ଆମେ ସେସବୁ ବିଷୟରେ ଜାଣି ସାରିଥିବୁ। ତେଣୁ ବିଶେଷ କଷ୍ଟ ହେବ ନାହିଁ ଏବଂ ପରୀକ୍ଷାରେ ବି ଭଲ ପ୍ରଦର୍ଶନ କରିବୁ ବୋଲି କହିଥିଲେ। ଉଚ୍ଚ ଶିକ୍ଷା ପାଇଁ ବାହାରକୁ ଯାଇଥିବା ସ୍ଥାନୀୟ ଯୁବକ, ସ୍ଥାନୀୟ ଶିକ୍ଷିତ ଯୁବକ ଏବଂ ଶିକ୍ଷକମାନେ ଏକତ୍ରିତ ହୋଇ ଏହି ଅଭିନବ ସ୍କୁଲର ପରିକଳ୍ପନା କରିଛନ୍ତି। ଅଭିଭାବକମାନଙ୍କୁ ବୁଝାଇ ଏହି ସ୍କୁଲ ଆରମ୍ଭ କରିଥିଲେ। ସମସ୍ତ ଅଭିଭାବକ ସକାଳେ ଜଳଖିଆ ଦେବା ସହ ମଧ୍ୟାହ୍ନରେ ଭୋଜନ ଦେଉଛନ୍ତି। ତେବେ ଶିକ୍ଷାଦାନ କରୁଥିବା ସମସ୍ତ ଶିକ୍ଷକ ଏଥିପାଇଁ କୌଣସି ଅର୍ଥ ଦାବି କରୁନାହାନ୍ତି। ସଂପୂର୍ଣ୍ଣ ଶିକ୍ଷା ମାଗଣାରେ ଦେଉଛନ୍ତି। ଏଭଳି କାର୍ଯ୍ୟକ୍ରମ ସଂପର୍କରେ ଯିଏ କେହି ବି ଶୁଣିଲେ ପ୍ରଶଂସା କରୁଥିବା ବେଳେ ଏହା ସମସ୍ତଙ୍କ ପାଇଁ ଉଦାହରଣ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର