ରାଜନୈତିକ ଚକ୍ରବ୍ୟୂହରେ ମନ୍ତେଇ ସେତୁ

୧୫ ଥର ଟେଣ୍ଡର ପରେ ନିର୍ମାଣ ଚାଲିଛି

ଭଦ୍ରକ: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ୍‌ରେ ଥିବା ମନ୍ତେଇ ନଦୀର ବାଂଶଡ଼ା ଘାଟରେ ଏକ ସେତୁ ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି। ଲୋକଙ୍କର ବହୁ ଆକାଂକ୍ଷିତ ଓ ଅପେକ୍ଷିତ ଏହି ସେତୁ ନିର୍ମାଣ ହେଲେ ଚାନ୍ଦବାଲି ଓ ଧାମରା ମଧ୍ୟରେ ଯାତାୟତ ସୁଗମ ହେବ। ଉଭୟ ଅଞ୍ଚଳର ବାସିନ୍ଦା ବିଶେଷ ଉପକୃତ ହେବେ। ମାତ୍ର ବର୍ଷ ବର୍ଷ ଧରି ବିଭିନ୍ନ କାରଣରୁ ନିର୍ମାଣ ହୋଇ ପାରୁ ନ ଥିବା ମନ୍ତେଇ ସେତୁର ନିର୍ମାଣ କାର୍ଯ୍ୟ ପ୍ରାୟ ଦେଢ଼ ବର୍ଷ ତଳେ ଆରମ୍ଭ ହୋଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଏକଦା ରାଜନୈତିକ ଚକ୍ରବ୍ୟୂହ ମଧ୍ୟରେ ଫସି ଯାଇଥିବା ଏହି ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି। ସ୍ୱାଧୀନତାର ୭୦ ବର୍ଷ ମଧ୍ୟରେ ଅନେକ ସରକାର ଆସିଛନ୍ତି ଏବଂ ଯାଇଛନ୍ତି। କିନ୍ତୁ ଚାନ୍ଦବାଲିବାସୀଙ୍କୁ ବିକାଶର ସ୍ୱପ୍ନ ଦେଖାଇଥିବା କୌଣସି ସରକାର ମନ୍ତେଇ ନଦୀ ଉପରେ ସେତୁ ନିର୍ମାଣ କରିପାରି ନାହାନ୍ତି । ୨୦୦୩ ମସିହାଠାରୁ ସେତୁ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି। ଜିଲ୍ଲା ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ ପାଇଁ ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ମଧ୍ୟ ଏବେ ବି ଲୋକଙ୍କ ପାଇଁ ମନ୍ତେଇ ସେତୁ ପାଲଟିଛି ସ୍ୱପ୍ନ। ଏହା ଭିତରେ ସେତୁ ନିର୍ମାଣ ପାଇଁ ବିଭାଗ ପକ୍ଷରୁ ୧୫ଥର ଟେଣ୍ଡର ହୋଇଥିଲା । ମାତ୍ର କେତେକ ବୈଷୟିକ କାରଣରୁ ବାରମ୍ବାର ଟେଣ୍ଡର ହୋଇ ମଧ୍ୟ କାମ ଆଗେଇ ପାରୁ ନ ଥିଲା। ଶେଷରେ ଲୋକଙ୍କର ବହୁଦିନର ଦାବି ପୂରଣ କରିବାର ପ୍ରତିଶ୍ରୁତି ଦେଇ ସରକାର ୨୦୧୬ରୁ ଟନକି ପଦ୍ଧତିରେ କାର୍ଯ୍ୟ ଆରମ୍ଭ କରିଛନ୍ତି ସତ, ମାତ୍ର ଏବେ ବି ଏହି କାମ ଅଧପନ୍ତରିଆ ହୋଇ ରହିଛି। ସେତୁ ନିର୍ମାଣ କେବେ ସରିବ ତାହା କେହି କହି ପାରୁନାହାନ୍ତି। ମନ୍ତେଇ ସେତୁ ନିର୍ମାଣ ପାଇଁ ପ୍ରଥମ ପଯ୍ୟର୍ାୟରେ ୨୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାତ୍ର ଏଇ ସେତୁର ନଦୀ ଗର୍ଭର ମାଟି ତଳକୁ ଟାଣୁଥିବାରୁ ଏହାର ଟେକିନିକାଲ ଟିମ୍‌ ୨୦ କୋଟି ଟଙ୍କାରେ ସେତୁ ନିର୍ମାଣ ହୋଇପାରିବ ନାହିଁ ବୋଲି ସେତେବେଳେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଲେ । ରାଜ୍ୟ ସରକାର ଏଇ ରିପୋର୍ଟ ପାଇବା ପରେ ୨୦ କୋଟି ଟଙ୍କାରେ ସେତୁ ନିର୍ମାଣ ଟାର୍ଗେଟ୍‌ ଭିତରେ ନ ଅଟକି ଏହି ସେତୁ ନିର୍ମାଣ ପାଇଁ ସେତେ ଟଙ୍କା ଲାଗିବ ସେସବୁ ଅନୁଦାନ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୨୦୧୬ ମସିହାରେ ସେତୁ କାମ ଆରମ୍ଭ କରାଗଲା। ପ୍ରଥମ ପଯ୍ୟର୍ାୟରେ ନଦୀର ଦୁଇ ମୁଣ୍ଡରେ ଦୁଇଟି ପିଲାର ନିର୍ମାଣ କରାଗଲା। ତେବେ ଏଇ ପିଲାର ନିର୍ମାଣ ହେବା ପରେ କିଛି କୁଚକ୍ରୀ ଗୋଷ୍ଠୀ ଏହାକୁ ଆଉ ସହ୍ୟ କରି ପାରିଲେ ନାହିଁଁ। ପିଲାରର ଉଚ୍ଚତା ନେଇ ମଧ୍ୟ ମାମଲା ରୁଜୁ କରାଯାଇ କାର୍ଯ୍ୟକୁ ଅଟକା ଯାଇଥିଲା। ଗୋଟିଏ ପଟରେ ଧାମରା ବନ୍ଦର ତାର ନିଜସ୍ୱ ରେଳପଥ ପାଇଁ ଏଇ ମନ୍ତେଇ ନଦୀ ଉପରେ ସେତୁ ନିର୍ମାଣ କରି ତାର ମାଲ ପରିବହନ କରୁଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରସ୍ତାବିତ ମନ୍ତେଇ ସେତୁ ନିର୍ମାଣ କରାଇ ନ ଦେବା ପାଇଁ କିଛି ରାଜନେତା ଚକ୍ରାନ୍ତ କରୁଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରୁଛନ୍ତି। ସିଙ୍ଗିଲା କମ୍ପାନି ଦ୍ଵାରା ଏଇ ସେତୁ କାଯ୍ୟର୍ ଏବେ ଚାଲିଛି। ମୋଟ ୫ଟି ପିଲାର ଉପରେ ସେତୁ ରହିବାକୁ ସ୍ଥିର ହୋଇଥିବାବେଳେ ଏବେସୁଦ୍ଧା ୩ଟି ପିଲାର ନିର୍ମାଣ କରାଯାଇଛି। ତେବେ ଆହୁରି ଦୁଇଟି ପିଲାର ନିର୍ମାଣ ହେବା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିଲେ ମଧ୍ୟ କାଯ୍ୟର୍ ଆଗକୁ ଯାଇ ପାରୁ ନାହିଁ। ଧାମରା – ଚାନ୍ଦବାଲିକୁ ସଂଯୋଗ କରିବାକୁ ମନ୍ତେଇ ନଦୀରେ ପୋଲ ହିଁ ହେଉଛି ଏକ ମାତ୍ର ରାହା। ମନ୍ତେଇ ସେତୁ ନିର୍ମାଣ ଶେଷ ହେଲେ ଭଦ୍ରକ – ଚାନ୍ଦବାଲି ଓ ଧାମରାକୁ ଗମନା ଗମନର ସୁବିଧା ହୋଇ ପାରିବ। ବ୍ୟବସାୟିକ ଓ ସାମାଜିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ। ଧାମରାରେ ବନ୍ଦର ପ୍ରତିଷ୍ଠା ହେବା ପରେ ଏଠାକୁ ଚାନ୍ଦବାଲି ଆଡୁ ଯିବାକୁ ହେଲେ ମନ୍ତେଇ ନଦୀରେ ସେତୁ ଅପରିହାଯ୍ୟର୍ ହୋଇ ପଡ଼ିଛି। ଅପରପକ୍ଷେ, ରାଜନୈତିକ ଚକ୍ରବ୍ୟୂହ ମଧ୍ୟରେ ଛନ୍ଦି ହୋଇ ବାରମ୍ବାର ବିଳମ୍ବିତ ହେଉଥିବା ମନ୍ତେଇ ସେତୁ ନିର୍ମାଣ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ଏବଂ ସେମାନଙ୍କ ଏଇ ଦୁଃଖ କେବେ ଦୂର ହେବ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର