ଖାଡ଼ା ଉପବାସରେ ରଖିଦେଲେ

୩୨ ଘଣ୍ଟା ପରେ ମହାପ୍ରଭୁଙ୍କୁ ଅନ୍ନ ଭୋଗ, ରାତି ଗୋଟାଏରେ ହେଲା ସକାଳ ଧୂପ

ପୁରୀ: ଗତକାଲି ସକାଳ ଧୂପ ପରେ ଖାଇବା ବନ୍ଦ କରିଦେଇଥିଲେ। ରାତିତମାମ ଅନିଦ୍ରା ରଖି ନିଜ ନିଜ ବାଟରେ ସମସ୍ତେ ଚାଲିଗଲେ। ଏତିକିରେ ମନ ବୁଝିଲାନି ଯେ ଆଜି ଦିନତମାମ ମହାପ୍ରଭୁଙ୍କୁ ଖାଡା ଉପବାସରେ ରଖି ଦିଆଗଲା। ଅନ୍ନ ଭୋଗ ତ ଦୂରର କଥା, ଜଳଖିଆ ବି ଦେଲେନି। ନିଜ ଜିଦ୍‌କୁ ସାବ୍ୟସ୍ତ କରିବା ଶ୍ରୀମନ୍ଦିରରେ ବିଶ୍ୱନିୟନ୍ତାଙ୍କୁ ଆଜି ଏଭଳି ଅକଥନୀୟ ଦୁର୍ଦଶା ଭିତରକୁ ଠେଲି ଦେଇଛନ୍ତି କତିପୟ ଗୋଷ୍ଠୀ। ନିଜର ଅହଂକୁ ସାବ୍ୟସ୍ତ କରିବା ଲାଗି ମହାପ୍ରଭୁଙ୍କୁ ମୁଷ୍ଟିମେୟ ସେବାୟତ ଓ ଅଧିକାରୀ ବାଜିରେ ଲଗାଇ ଦେବାକୁ ପଛଘୁଞ୍ଚା ଦେଇନାହାନ୍ତି। ସବୁଠାରୁ ବଡ଼ କଥା ହେଲା, ପାଖାପାଖି ୩୦ ଘଣ୍ଟା ଧରି ରତ୍ନସିଂହାସନରେ ଶ୍ରୀଜୀଉମାନେ ଅସହାୟ ଅବସ୍ଥାରେ ବସି ଏସବୁ ତାମ୍‌ସା ଦେଖିବାକୁ ବାଧ୍ୟ ହୋଇଥିଲେ। କୋଟି କୋଟି ଭକ୍ତଙ୍କ ଭାବାବେଗକୁ ସେବାୟତ, ପ୍ରଶାସନ ବା ସରକାର କେହି ପରଓ୍ଵା କରିନାହାନ୍ତି। ଶେଷ ରିପୋର୍ଟ ହେଲା, ରାତି ଗୋଟାଏ ବେଳେ ଅର୍ଥାତ ପାଖାପାଖି ୩୨ ଘଣ୍ଟା ପରେ ମହାପ୍ରଭୁଙ୍କୁ ଅନ୍ନ ଭୋଗ ଲାଗି କରାଯାଇଛି। ସକାଳ ଧୂପ ରାତି ଗୋଟାଏ ବେଳେ ବଢ଼ିବା ପରେ ଶ୍ରୀମନ୍ଦିର ପ୍ରଶାସନ ଭଅଣ୍ଡ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ସମାନ୍ତରାଳ ଭାବେ ମଧ୍ୟାହ୍ନ ଧୂପ ଏବଂ ଚନ୍ଦନ ଅଧିବାସ ପାଇଁ ପ୍ରସ୍ତୁତି ଚାଲିଛି। ଶ୍ରୀମନ୍ଦିର ଭିତରେ ରହି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଏବଂ ଏସ୍‌ପି ଏହି ବ୍ୟବସ୍ଥାକୁ ତଦାରଖ କରୁଛନ୍ତି। ସକାଳ ସୁଦ୍ଧା ନୀତିକୁ ଶୃଙ୍ଖଳିତ କରିବା ପାଇଁ ସାରା ରାତି ଆଜି ମହାପ୍ରଭୁଙ୍କୁ ଅନିଦ୍ରା ରଖାଯିବ ବୋଲି ସୂଚନା ମିଳିଛି। ଆସନ୍ତାକାଲି ଚନ୍ଦନଯାତ୍ରା ଓ ଅକ୍ଷୟତୃତୀୟା ପର୍ବ ପରିପ୍ରେକ୍ଷୀରେ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଆଲୋଚନା ବିଫଳ ହୋଇଛି। ସୁଆର ସେବକ ନିଜ ଜିଦ୍‌ରେ ଅଟଳ ଅଛନ୍ତି। ହେଲେ ଅନ୍ୟ ସେବାୟତମାନେ ସେବା ପୂଜାରେ ଯୋଗ ଦେଇଛନ୍ତି। ବିଳମ୍ବିତ ରାତିରେ ମହାପ୍ରଭୁଙ୍କୁ ସକାଳ ଖାଇବା ଦେବା ଲାଗି ପ୍ରସ୍ତୁତି ଚାଲିଛି। ସେପଟେ ଆଜି ବି ସାଧାରଣ ଭକ୍ତଙ୍କୁ ମହାପ୍ରସାଦ ମିଳିପାରିନାହିଁ, ଆସନ୍ତାକାଲି ମିଳିବ କି ନାହିଁ, ସେ ସମ୍ଭାବନା କ୍ଷୀଣ।

ସୁଆର ସେବକଙ୍କ ସହିତ ଆଲୋଚନା ବିଫଳ, ଭକ୍ତମହଲରେ ତୀବ୍ର ପ୍ରତିକ୍ରିୟା, ସବୁ ମହଲରେ ନିନ୍ଦା

ଉଲ୍ଲେଖଯୋଗ୍ୟ, ସବୁ ସୀମାକୁ ଟପିଯାଇଛି ଶ୍ରୀମନ୍ଦିରରେ ବିଭ୍ରାଟ। ଗତକାଲି ମହାପ୍ରଭୁଙ୍କୁ ଅସହାୟ ଅବସ୍ଥାରେ ଛାଡିଦେଇ ସମସ୍ତେ ଚାଲିଯାଇଥିଲେ। ରୋଷ ଘର ଚାବି ବି ସାଙ୍ଗରେ ନେଇ ଚାଲିଯାଇଥିଲେ ସୁଆର ନିଯୋଗ। ଆଜି ସକାଳୁ ପ୍ରଶାସନ ତନାଘନା କରିଥିଲା। ସେବାୟତମାନଙ୍କ ସହିତ ଆଲୋଚନା ଆରମ୍ଭ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ଶ୍ରୀମନ୍ଦିର ପ୍ରଶାସନ ରାଜି ହୋଇଛି ଯେ ଗତ ୧୦ ତାରିଖରେ ହାଇକୋର୍ଟ ପାଳିଆ ସେବକଙ୍କ ପ୍ରବେଶ ନେଇ ଯେଉଁ କଟକଣା ଜାରି କରିଛନ୍ତି ଓ ସେ କାରଣରୁ ଯେଉଁ ପରିସ୍ଥିତି ଉପୁଜିଲା, ସେ ସଂପର୍କରେ ଅବଗତ କରାଯିବ। ପୁଣି ଥରେ ବିଚାର ପାଇଁ ନିବେଦନ କରିବ ପ୍ରଶାସନ। ଏଥିସହିତ ନୀତିକୁ ନେଇ ଯେଉଁ ଛକାପଞ୍ଝା ଲାଗି ରହିଥିଲା, ସେଥିରେ ଆପାତତଃ ସୁଧାର ଆସିଛି। କିନ୍ତୁ ଆଜି ବି ମହାପ୍ରଭୁଙ୍କ ନୀତିରେ ଅହେତୁକ ବିଳମ୍ବ ଘଟିଛି। ମଙ୍ଗଳଆରତୀ, ଅବକାଶ ପରେ ନୀତି ଅଟକିଥିଲା। ଏପଟେ ସୁଆର ସେବକମାନେ ଗତକାଲି ଠାରୁ ଚାବି ନେଇ ଚାଲିଯାଇଥିବା ପରିପ୍ରେକ୍ଷୀରେ ରୋଷ ଘର ଖୋଲିପାରିନଥିଲା। ଆଜି ୧୦ଟା ପରେ ଏ ସ୍ଥିତିରେ ପରିବର୍ତ୍ତନ ଘଟିଥିଲା। ପରେ ଶତାଧିକ ମୁଲିଆ ଲାଗି ରୋଷଘରେ ଥିବା ଅମୁଣିଆ ଭୋଗ (ଭୋଗ ଲାଗିନଥିବା ଅବଢା)କୁ କୋଇଲି ବୈକୁଣ୍ଠକୁ ନେଇ ପୋତିବା କାର୍ଯ୍ୟ ଆରମ୍ଭ କରିଥିଲେ। ରାତି ୧୦ଟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିଥିଲା। ଏହାପରେ ଧୋ ପଖାଳ ନୀତି ସହିତ ରୋଷ ହୋମ ଓ ସକାଳ ଧୂପ ପ୍ରକ୍ରିୟା ଆରମ୍ଭ ହୋଇଛି। ସକାଳ ୮ଟା୩୦ ରେ ହେବାକୁଥିବା ରୋଷହୋମ, ଆଦି ରାତିରେ ସଂପନ୍ନ ହୋଇଛି। ଆଜି କିନ୍ତୁ ଅପରାହ୍ନ ୪ଟା ଯାଏ ସୁଆର ସେବକମାନେ ଆଲୋଚନାକୁ ଏଡାଇ ଯାଇଥିଲେ। ପରେ ଶ୍ରୀମନ୍ଦିରରେ ଆଲୋଚନା ହୋଇଥିଲେ ହେଁ, କ୍ଷତିପୂରଣ ଦେବା ଜିଦ୍‌ରୁ ସେମାନେ ହଟିନାହାନ୍ତି। ଆଲୋଚନା ବେଳେ ପ୍ରବଳ ବାକ୍‌ ବିତଣ୍ଡା ହୋଇଥିଲା। ଆଜି ଭଅଣ୍ଡ୍‌( ଭୋଗମଣ୍ଡପ) ହୋଇପାରିନାହିଁ। ଏଣୁ ଆଜି ଦ୍ୱିତୀୟ ଦିନ ପାଇଁ ମହାପ୍ରଭୁଙ୍କ ମହାପ୍ରସାଦ ପାଇବାରୁ ଶ୍ରୀଜଗନ୍ନାଥ ପ୍ରେମୀ ବଞ୍ଚିତ ହୋଇଛନ୍ତି। ହଜାର ହଜାର ଶ୍ରଦ୍ଧାଳୁ ଅବଢା ନ ପାଇ ନିରାଶ ହୋଇ ଫେରିଛନ୍ତି। ଆନନ୍ଦ ବଜାର ଖାଁ ଖାଁ ରହିଛି। ଅବଢା ବାହାରିନଥିବାରୁ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ନୀତି ବିଭ୍ରାଟକୁ ନେଇ ଉଭୟ ସେବାୟତ ଓ ମନ୍ଦିର ପ୍ରଶାସନକୁ ଦାୟୀ କରିଛନ୍ତି। ସବୁ ମହଲରେ ଏହି ଘଟଣାକୁ ଛି ଛି କରାଯାଇଛି। ମହାପ୍ରଭୁଙ୍କ ପ୍ରତି ଯେଉଁ ନିର୍ଦୟ ଆଚରଣ ପ୍ରଦର୍ଶନ କରାଯାଉଛି, ତାହାକୁ କେହି ଗ୍ରହଣ କରିପାରିନାହାନ୍ତି। ଆଜି ଏହାର ପ୍ରତିବାଦରେ ପୁରୀର କିଛି ସ୍ଥାନରେ ପୋଷ୍ଟର ଲାଗିଛି ଓ ସବୁ ମହଲରେ ଘଟଣାର ନିନ୍ଦାବାଦ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା କହିଛନ୍ତି, ଆଜି ଦିନତମାମ ବିଭିନ୍ନ ପର୍ଯ୍ୟାୟରେ ସେବାୟତମାନଙ୍କ ସହିତ ଆଲୋଚନା ହୋଇଛି। ଆଜି ରାତିରେ ସକାଳ ଧୂପ ଆରମ୍ଭ ହେବା ପରେ ମଧ୍ୟାହ୍ନ ଧୂପ ଆଜି କାର୍ଯ୍ୟକ୍ରମ ବଢିବ। ଏଥିସହିତ ଆସନ୍ତାକାଲି ଅକ୍ଷୟତୃତୀୟା ଓ ଚନ୍ଦନଯାତ୍ରା ଆରମ୍ଭ ହେଉଥିବା ପରିପ୍ରେକ୍ଷୀରେ ଚନ୍ଦନ ଅଧିବାସ ଆଦି କାର୍ଯ୍ୟକ୍ରମ ସମାହିତ ହେବ। ବିଭିନ୍ନ ବର୍ଗର ସେବାୟତ ମହାପ୍ରଭୁଙ୍କ ସେବା ପାଇଁ ଆଗ୍ରହ ଦେଖାଇ ଅପେକ୍ଷା କରିଛନ୍ତି। ଆସନ୍ତାକାଲି ପୂର୍ବାହ୍ନ ସୁଦ୍ଧା ନୀତିରେ ସୁଧାର ଆଣିବା ଲାଗି ପ୍ରଶାସନ ଚେଷ୍ଟା ଜାରି ରଖିଛି। ତେବେ ଆଜି ବି ମହାପ୍ରଭୁଙ୍କ ପହୁଡ ହେବା ନେଇ ଅନିଶ୍ଚିତତା ଦେଖାଯାଇଛି। ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ କହିଛନ୍ତି, ଯେଉଁ ସମସ୍ୟା ସୃଷ୍ଟି ହେଲା, ସେ ନେଇ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯିବ ଓ ଶ୍ରୀମନ୍ଦିର ପ୍ରଶାସନକୁ କିଛି କ୍ଷମତା ପାଇଁ ପ୍ରାର୍ଥନା କରାଯିବ। ଏବେ ମହାପ୍ରଭୁଙ୍କ ନୀତିକୁ କିଭଳି ଶୃଙ୍ଖଳିତ କରାଯିବ, ସେ ପ୍ରକ୍ରିୟା ଜାରି ରହିଛି।

ସୂଚନାଯୋଗ୍ୟ, ଠିକ୍‌ ସମୟରେ ଅବଢା ବାହାରିବା ଓ କ୍ଷତିପୂରଣ ଦାବି ନେଇ ଆଜି ବି ସୁଆର ସେବାୟତମାନେ ପୁଣି ଥରେ ଧାରଣାରେ ବସିଥିଲେ। ଏ ନେଇ ଆଜି ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସୁଆର ସେବକଙ୍କ ମଧ୍ୟରେ ମନ୍ଦିର ପରିସରରେ ଦୁଇଘଣ୍ଟା କାଳ ଆଲୋଚନା ହୋଇଥିଲା। ମାତ୍ର ଆଲୋଚନାର କୌଣସି ନିଷ୍କର୍ସ ବାହାରିପାରିନାହିଁ। ଶ୍ରୀମନ୍ଦିର ପ୍ରଶାସନ କ୍ଷତିପୂରଣ କଥାରେ ଅରାଜି ହେବାରୁ ଏ ନେଇ ପୁନର୍ବାର ଅଚଳାବସ୍ଥା ଦେଖାଦେଇଛି। ଆସନ୍ତାକାଲି ଚନ୍ଦନଯାତ୍ରା ଥିବାରୁ ମହାପ୍ରଭୁଙ୍କୁ ନୀତିକୁ ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ସେବାୟତମାନଙ୍କ ସହଯୋଗ କାମନା କରିଛନ୍ତି। ଅନ୍ୟପକ୍ଷରେ ସୁଆର ସେବକମାନେ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ରୋଷ ଘରେ ରୋଷ ହେବ ନାହିଁ ଭଣ୍ଡ୍‌ ଉଠିବ ନାହିଁ ବୋଲି ଜିଦ୍‌ରେ ଅଟଳ ରହିଛନ୍ତି।

ସମ୍ବନ୍ଧିତ ଖବର