୩୮ ବର୍ଷ ପରେ ବି ଶିମିଳିପାଳ ହୋଇପାରୁନି ‘ଜାତୀୟ ଉଦ୍ୟାନ’

ବାରିପଦା(ରଂଜନ ପ୍ରଧାନ): ୧୯୮୦ ମସିହା ଅଗଷ୍ଟ ୬ ତାରିଖରୁ ଆଜି ପର୍ଯ୍ୟନ୍ତ ୩୮ ବର୍ଷ ବିତିଯାଇଥିଲେ ବି ଶିମିଳିପାଳ ଜୈବମଣ୍ଡଳକୁ ‘ଜାତୀୟ ଉଦ୍ୟାନ’ ଘୋଷଣା ସମ୍ଭବ ହୋଇପାରୁନି। ଶିମିଳିପାଳ କେବଳ ଆମ ଦେଶ କାହିିଁକି ସମଗ୍ର ବିଶ୍ୱରେ ଏକ ବିଶେଷ ଜୈବମଣ୍ଡଳ ଭାବେ ପରିଚିତ। ଏଣୁ ଗତ ୨୦୦୯ ମସିହାରେ ‘ୟୁନେସ୍କୋ’ ଏହାକୁ ‘ସଂରକ୍ଷିତ ଜୈବମଣ୍ଡଳ’ ତାଲିକାରେ ସାମିଲ୍‌ କରି ଏକ ବିଶ୍ୱସ୍ତରୀୟ ଜୈବମଣ୍ଡଳର ମାନ୍ୟତା ପ୍ରଦାନ କରିଛି। ମାତ୍ର ଆଜିଯାଏ ‘ଜାତୀୟ ଉଦ୍ୟାନ’ ଘୋଷଣା କରାଯାଇ ପାରୁନାହିିଁ। ଏହାକୁ ନେଇ ମୟୂରଭଞ୍ଜବାସୀଙ୍କ ସମେତ ପରିବେଶବିତ୍‌ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶିମିଳିପାଳ ଜୈବମଣ୍ଡଳର ‘କୋର୍‌ ଏରିଆ’ ମଧ୍ୟରେ ଜନବସତି ରହିଯାଉଥିବାରୁ ଏହାକୁ ‘ଜାତୀୟ ଉଦ୍ୟାନ’ ଘୋଷଣା କରିବାରେ ବିଳମ୍ବ ଘଟୁଛି ବୋଲି ଶିମିଳିପାଳ କର୍ତ୍ତୃପକ୍ଷ ସଫେଇ ଦେଉଛନ୍ତି। ମାତ୍ର କାହିଁକି ‘କୋର୍‌ ଏରିଆ’ରୁ ଆଜିଯାଏ ଜନବସତି ଉଚ୍ଛେଦ ହୋଇପାରୁନି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଶିମିଳିପାଳ କର୍ତ୍ତୃପକ୍ଷ ହେଉ କିମ୍ବା ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବକୁ ଦାୟୀ କରାଯାଉଛି।

ଶିମିଳିପାଳ ଜୈବମଣ୍ଡଳ ଅନ୍ତର୍ଗତ (କୋର୍‌, ବଫର୍‌ ଓ ଟ୍ରାନ୍‌ଜିସିନାଲ୍‌ ଜୋନ୍‌)ରେ ବହୁତ ଗାଁ ରହିଛି। ଏହି ସମସ୍ତ ଗାଁରେ ମୋଟ ୧୦ ହଜାରରୁ ଊଦ୍ଧ୍ଵର୍ ଲୋକ ବସବାସ କରୁଛନ୍ତି। ଜୈବମଣ୍ଡଳ ମଧ୍ୟରେ ଏସବୁ ଜନବସତିର ଉପସ୍ଥିତି ଏବେ ଜୀବଜନ୍ତୁ ଓ ବୃକ୍ଷଲତାର ସୁରକ୍ଷା ପାଇଁ ଏକ ବଡ଼ ଆହ୍ଵାନ ପାଲଟିଛି। ଏହାବ୍ୟତୀତ ଶିମିଳିପାଳ ଜୈବମଣ୍ଡଳ ସୀମାର ୧୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଶିମିଳିପାଳକୁ ଲାଗି ୧,୨୦୦ଟି ଗାଁ ରହିଛି। ଏହିସବୁ ଗ୍ରାମମାନଙ୍କରେ ବିଶେଷକରି ସାନ୍ତାଳ, କୋହ୍ଲ, ଗଣ୍ଡ, ମୁଣ୍ଡା, ଭୂମିଜ, ବାଥୁଡ଼ି, ଖଡ଼ିଆ ଓ ଖ୍ରୀଷ୍ଟିଆନ୍‌ ମାଙ୍କିଡ଼ିଆ, ଖ୍ରୀଷ୍ଟିଆନ୍‌ କୋହ୍ଲ ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି। ଏହା ସହିତ ଶିମିଳିପାଳ ଜୈବମଣ୍ଡଳ ମଧ୍ୟରେ ଜନସଂଖ୍ୟା ବୃଦ୍ଧି ପାଇବା କାରଣରୁ ଏଠାରେ ଥିବା ବିସ୍ତୀର୍ଣ୍ଣ ଘାସ ପଡ଼ିଆ (ମିଡୋ/ସଲ୍‌ଟ ଲିକ୍‌/ସାଭାନ୍ନା) କ୍ରମେ ସଂକୁଚିତ ହୋଇଯାଉଛି। ଏହା ଫଳରେ ତୃଣଭୋଜୀ ପ୍ରାଣୀମାନେ ପ୍ରଭାବିତ ହେଉଛନ୍ତି। କେବଳ ତୃଣଭୋଜି ପ୍ରାଣୀ ନୁହଁନ୍ତି ବରଂ ସମଗ୍ର ‘ଖାଦ୍ୟ ଶୃଙ୍ଖଳ’ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଏ ନେଇ ବ୍ୟାପକ ଜନସଚେତନତାର ଆବଶ୍ୟକତା ରହିଛି। ଶିମିଳିପାଳ ଜୈବମଣ୍ଡଳରେ ମୋଟ ୬୫ଟି ଗାଁ ରହିଥିବାବେଳେ କେବଳ କୋର୍‌ ଜୋନ୍‌ ମଧ୍ୟରେ ୭ଟି ରାଜସ୍ୱ ଗାଁ ଥିଲା। ତେବେ ଏହି ଗାଁଗୁଡ଼ିକୁ ଅନ୍ୟାନ୍ୟ ସ୍ଥାନକୁ ବିସ୍ଥାପନ କରାଯିବା ପରେ ବର୍ତ୍ତମାନ କୋର୍‌ ଜୋନ୍‌ରେ ବକୁଆ ଏବଂ ଯମୁନାଗଡ଼ ୨ଟି ଗାଁ ରହିଛି। ଯମୁନାଗଡ଼ରୁ କିଛି ପରିବାରକୁ ଅନ୍ୟତ୍ର ଉଚ୍ଛେଦ କରାଯାଇଥିବାବେଳେ ଆଉ କିଛି ପରିବାର ଆଜି ବି ‘କୋର୍‌ ଏରିଆ’ ମଧ୍ୟରେ ଅଛନ୍ତି। କେବଳ ‘କୋର୍‌ ଏରିଆ’ ମଧ୍ୟରେ ଜନବସତି ରହୁଥିବାରୁ ଶିମିଳିପାଳ ଜୈବମଣ୍ଡଳକୁ ‘ଜାତୀୟ ଉଦ୍ୟାନ’ ଘୋଷଣା କରିବାକୁ ଚାରି ଦଶନ୍ଧି ବିତିଯିବାକୁ ବସିଲାଣି।

ପ୍ରଥମଥର ପାଇଁ ୧୯୫୬ ମସିହାରେ ଶିମିଳିପାଳକୁ କେନ୍ଦ୍ର ସରକାର ବ୍ୟାଘ୍ର ସଂରକ୍ଷଣ ନିମନ୍ତେ ବ୍ୟବହାର କଲେ। ୧୯୭୩ ମସିହାରେ ଏଠାରେ ‘ବ୍ୟାଘ୍ର ପ୍ରକଳ୍ପ’ କାର୍ଯ୍ୟକାରୀ ହେଲା। ୧୯୭୯ ମସିହାରେ ଓଡ଼ିଶା ସରକାର ଶିମିଳିପାଳକୁ ‘ବନ୍ୟପ୍ରାଣୀ ଅଭୟାରଣ୍ୟ’ ଭାବେ ଘୋଷଣା କଲେ। ସେହି ବର୍ଷ ଖଇରୀ ନଦୀ କୂଳସ୍ଥ ରାମତୀର୍ଥଠାରେ ଏକ କୁମ୍ଭୀର ପ୍ରଜନନ ପ୍ରକଳ୍ପ ଆରମ୍ଭ କରାଗଲା। ୧୯୮୦ ମସିହାରେ ଶିମିଳିପାଳ ବନ୍ୟପ୍ରାଣୀ ଅଭୟାରଣ୍ୟର ୩୦୩ ବର୍ଗକିଲୋମିଟର ଅଞ୍ଚଳକୁ ନେଇ ‘ଜାତୀୟ ଉଦ୍ୟାନ’ ଭାବେ ଘୋଷଣା କରିବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା । ମାତ୍ର ଆଜି ଯାଏ ‘ଜାତୀୟ ଉଦ୍ୟାନ’ ପ୍ରସ୍ତାବ କେବଳ ଫାଇଲ୍‌ ଭିତରେ ସୀମିତ ରହିଯାଇଛି। ସେହିଭଳି ୧୯୯୪ ମସିହାରେ ଭାରତ ସରକାର ଶିମିଳିପାଳକୁ ‘ସଂରକ୍ଷିତ ଜୈବ ମଣ୍ଡଳ’ ଭାବେ ଘୋଷଣା କଲେ। ୨୦୦୯ ମସିହାରେ ୟୁନେସ୍କୋ ଶିମିଳିପାଳକୁ ନିଜର ‘ସଂରକ୍ଷିତ ଜୈବମଣ୍ଡଳ’ ତାଲିକାରେ ସାମିଲ୍‌ କରି ଏହାକୁ ବିଶ୍ୱସ୍ତରୀୟ ଜୈବମଣ୍ଡଳର ମାନ୍ୟତା ପ୍ରଦାନ କରିଛି। ମାତ୍ର ଏହି ଜୈବମଣ୍ଡଳ ମଧ୍ୟରେ ୬୮ଟି ଗାଁ ଏବଂ ୧୦ ହଜାରରୁ ଊଦ୍ଧ୍ଵର୍ ଲୋକ ବସବାସ କରୁଥିବାରୁ ଏହାକୁ ସଂପୂର୍ଣ୍ଣ ବିଶ୍ୱସ୍ତରୀୟ ଜାତୀୟ ଉଦ୍ୟାନର ମାନ୍ୟତା ପ୍ରଦାନ ସଂଭବପର ହୋଇପାରିନାହିିଁ। ଶିମିଳିପାଳ ଜୈବମଣ୍ଡଳକୁ ତିନିଟି ଅଞ୍ଚଳ (ଜୋନ୍‌)ରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା-୧. କୋର୍‌ ଏରିଆ ୨. ବଫର ଏରିଆ ୩. ଟ୍ରାନ୍‌ଜିସିନାଲ୍‌ ଏରିଆ। କୋର୍‌ ଏରିଆଟି ଶିମିଳିପାଳର କେନ୍ଦ୍ର ଭାଗରେ ଅବସ୍ଥିତ। ଏହା ଖୁବ୍‌ ଘଞ୍ଚ ଏବଂ ଏଠାକୁ ସାଧାରଣ ଲୋକଙ୍କ ପାଇଁ ପ୍ରବେଶ ନିଷିଦ୍ଧ ରହିଛି। ବଫର ଓ ଟ୍ରାନ୍‌ଜିସିନାଲ୍‌ ଜୋନ୍‌କୁ ପର୍ଯ୍ୟଟକଙ୍କ ଭ୍ରମଣ ନିମନ୍ତେ ମୁକ୍ତ ରଖାଯାଇଛି। ତେବେ କୋର୍‌ ଏରିଆରୁ ଜନବସତି ଉଚ୍ଛେଦ ନେଇ ପ୍ରକ୍ରିୟା ଜାରି ରହିଛି ଏବଂ ଖୁବ୍‌ ଶୀଘ୍ର ଏହା ସଂପୂର୍ଣ୍ଣ ହେବ ବୋଲି ବାରିପଦାସ୍ଥିତ ‘ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ’ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ମାଲୋଥ୍‌ ମୋହନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର