୭ବର୍ଷ ପରେ ବି ବଦଳିନି ହାଇକୋର୍ଟର ନାମ, କେବେ ଓରିଶାରୁ ହେବ ‌ଓଡ଼ିଶା

ଭୁବନେଶ୍ବର: ରାଜ୍ୟର ନାମ ଓରିଶାରୁ ଓଡ଼ିଶା ହେବାର ୭ ବର୍ଷ ପରେ ମଧ୍ୟ ହାଇକୋର୍ଟର ନାମ ପରିବର୍ତ୍ତନ ହୋଇପାରି ନାହିଁ। ହାଇକୋର୍ଟ ଅଫ୍‌ ଓରିଶା ହୋଇ ରହିଛି। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।  ଓଡ଼ିଶାର ଦୀର୍ଘ ବର୍ଷର ଦାବିକୁ ମାନି ନେଇ ଗତ ୨୦୧୧ ମସିହାରେ ୧୧୩ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଓରିଶାରୁ ଓଡ଼ିଶା ହେଲା। ତେବେ ହାଇକୋର୍ଟର ନାମ କାହିଁକି ପରିବର୍ତ୍ତନ କରାଯାଉନାହିଁ? କେବେ ଏହା ଓରିଶାରୁ ଓଡ଼ିଶା ହେବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ମୁତାବକ, ୧୯୩୬ ମସିହାରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ  ଓରିଶା ଥିଲା। ଦେଶ ସ୍ବାଧୀନ ହେବା ପରେ ସମ୍ବିଧାନରେ ରାଜ୍ୟର ନାମ ଓରିଶା ଓ ଭାଷାର ନାମ ଓରିଆ ବୋଲି ଉଲ୍ଲେଖ ଥିଲା। ବିଭିନ୍ନ ସଂଗଠନ  ଓ ମଞ୍ଚ ପକ୍ଷରୁ ବାରମ୍ବାର ପ୍ରତିବାଦ ପରେ  ତ୍ରୁଟି ସଂଶୋଧନ  ପାଇଁ ଗତ ୨୦୦୮ ଅଗଷ୍ଟ ୨୮ ତାରିଖରେ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲା। ତେବେ ୨୦୧୦ ମସିହା ନଭେମ୍ବର ୯ ତାରିଖରେ ଏକ ସ୍ବତନ୍ତ୍ର ବିଲ୍‌ ଲୋକସଭାରେ  ପାରିତ ହେବା ପରେ  ୨୦୧୧ ମାର୍ଚ୍ଚ ୨୪ ତାରିଖରେ ସଂଶୋଧନ ସହ ରାଜ୍ୟସଭାରେ ଗୃହୀତ ହୋଇଥିଲା। ଏହାପରେ ୨୦୧୧ ନଭେମ୍ବର ୪ ତାରିଖରେ ରାଷ୍ଟ୍ରପତି ସଂସଦରେ ପାରିତ ଏହି  ବି‌ଧେୟକକୁ ବିଧିବଦ୍ଧ ଭାବେ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର ଏକ ସ୍ବତନ୍ତ୍ର ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ କରିଥିଲେ। ସେବେଠାରୁ ରାଜ୍ୟ ରାଜଭବନ, ବିଧାନସଭା, ସିଚିବାଳୟ ସମେତ ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଦପ୍ତରରେ ଇଂରାଜୀ ଓ ହିନ୍ଦୀରେ ରାଜ୍ୟର ନାମ ଓଡ଼ିଶା ଓ ଭାଷା ଓଡ଼ିଆ ବୋଲି ପ୍ରଚଳନ ହୋଇଆସୁଛି। ହେଲେ ହାଇକୋର୍ଟ ଅଫ୍‌ ଓରିଶାର ନାମ ଏଯାଏ ପରିବର୍ତ୍ତନ ହୋଇନାହିଁ। ତେଣୁ ଉଭୟ କେନ୍ଦ୍ର ସରକାର, ରାଜ୍ୟ ସରକାର, ସୁପ୍ରିମ୍‌କୋର୍ଟ ଏବଂ ହାଇକୋର୍ଟଙ୍କ ସମେତ ଆଇନ ବିଶାରଦ ଓ ଚିନ୍ତାଶୀଳ ଭାଷାପ୍ରେମୀମାନେ ସକରାତ୍ମକ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ  ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର