ଆଉ କିଛି ଦିନ ପରେ ଖୋଲିବ ବହୁ ପ୍ରତିକ୍ଷୀତ ଗୁରୁପ୍ରିୟା ସେତୁ, ଅବସାନ ଘଟିବ ଘଣ୍ଟା ଘଣ୍ଟା ଧରି ଡଙ୍ଗାକୁ ଅପେକ୍ଷାର !

ଭୁବନେଶ୍ୱର : ଦୀର୍ଘ ୫୦ ବର୍ଷ ପରେ ମାଲକାନଗିରିର ବିଚ୍ଛିନ୍ନାଞ୍ଚଳବାସୀଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି। ବହୁ ବାଧାବିଘ୍ନ ପରେ ବିଚ୍ଛିନ୍ନାଞ୍ଚଳକୁ ଯୋଡୁଥବା ଜାନବାଇ ନଦୀ ଉପରେ ହୋଇଥିବା ଗୁରୁପ୍ରିୟା ସେତୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ କିଛି ଦିନ ପରେ ଏହା ଖୋଲିବାକୁ ଯାଉଛି। ନିଜ ରାଜ୍ୟରେ ର୍ନିବାସନର ଜୀବନ ଜିଉଁଥିବା ଚିତ୍ରକୋଣ୍ଡାର ୧୫୧ଟି ଗାଁ ଲୋକ ମଧ୍ୟରେ ଏବେ ନୂଆ ଆଶା ସଞ୍ଚାର ହୋଇଛି।

ବାଲିମେଳା ଜଳଭଣ୍ଡାର ହେବା ପରଠାରୁ ନିଜ ରାଜ୍ୟରେ ର୍ନିବାସନର ଜୀବନ ଜିଉଁଛନ୍ତି ୮ଟି ପଞ୍ଚାୟତର ୩୦ ହଜାର ଲୋକ। ମୁଖ୍ୟ ଭୂଖଣ୍ଡକୁ ଆସିବା ଲାଗି ଡଙ୍ଗା ହେଉଛି ଏକମାତ୍ର ଭରସା। ପ୍ରଶାସନର ଆଢୁଆଳରେ ରହିଯିବା ପରେ ଗଢିଉଠିଛି ମାଓବାଦୀଙ୍କ ଲାଲ କରିଡର। ପ୍ରଶାସନିକ ଅବହେଳା ଓ ମାଓବାଦୀଙ୍କ ଜୁଲମ ଭିତରେ ଝୁଲିରହିଛି ଆଦିବାସୀ ଅଧ୍ୟୁଷିତ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଜୀବନ। ସେତୁ ଶେଷ ହେବାକୁ ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି। ଗୁରୁପ୍ରିୟା ସେତୁ ହେବାକୁ ଯାଉଛି ଲାଲଗଡ଼ର ଲାଇଫ୍‌ ଲାଇନ୍‌।

୧୯୬୦ ମସିହା ପ୍ରାରମ୍ଭରୁ ଅର୍ଥାତ ୫୦ ବର୍ଷରୁ ଅଧିକ ବର୍ଷ ଧରି ବାହ୍ୟଜଗତରୁ ଅଲଗା ରହିଥିବା ଲୋକଙ୍କ ଭାଗ୍ୟ ଭବିଷ୍ୟତର ଗୁରୁପ୍ରିୟା ସେତୁ, ୪ ବର୍ଷ ଧରି ଅନେକ ଘାତ ପ୍ରତିଘାତ ପରେ ଶେଷ ପର୍ଯ୍ୟାୟରେ ପହଁଚିଛି। ଆଉ ମାତ୍ର ଦିନ କେତେଟା ପରେ ଗୁରୁପ୍ରିୟାରେ ବିକାଶର ଗାଡ଼ି ଗଡିବ।

ଗୁରୁପ୍ରିୟାର ଅତୀତ : ସୂଚନାଯୋଗ୍ୟ ଯେ, ୩୬ ବର୍ଷ ତଳେ ପ୍ରଥମେ ଏହି ସେତୁ ପାଇଁ ଯୋଜନା ହୋଇଥିଲା। ତେବେ ୨୦୦୫ ମସିହାରେ ପୁଣି ଥରେ ହୋଇଥିଲା ଏହାର ଟେଣ୍ଡର। ମାଓବାଦୀମାନେ ଏହି ସେତୁ କାମକୁ ବିରୋଧ କରି ଆକ୍ରମଣ କରିବାରୁ ଅନେକ କମ୍ପାନୀ କାମ ଛାଡି ଚାଲିଯାଇଥିଲେ। ମୋଟ ୬ ଥର ବାତିଲ ହୋଇଥିଲା ଏହି ସେତୁର ଟଣ୍ଡର। ୯୧୦ ମିଟର ବ୍ରିଜ୍‌ ପାଇ ବଜେଟ୍‌ ଥିଲା ୧୭୨ କୋଟି ୫୮ ଲକ୍ଷ ଟଙ୍କା। ଶେଷରେ ୨୦୧୪ ମସିହାରେ ଠିକା ନେଲା କୋଲକାତାର ରୟାଲ ଇନଫ୍ରା କମ୍ପାନୀ। ବହୁ ଘାତ ପ୍ରତିଘାତ ପରେ କମ୍ପାନୀ ଏହି ସେତୁର କାମକୁ ଶେଷ ପର୍ଯ୍ୟାୟକୁ ନେଇଛି।

ମାଓବାଦୀଙ୍କ ପ୍ରବଳ ପ୍ରତିବାଦ ଓ ଅନେକ ଘାତ ପ୍ରତିଘାତ ପରେ ସଫଳ ହେବାକୁ ଯାଉଛି ଏହି ବହୁ ପ୍ରତିକ୍ଷିତ ସେତୁ। କିଛି ଦିନ ପରେ ଘଣ୍ଟା ଘଣ୍ଟା ଧରି ଡଙ୍ଗାକୁ ଅପେକ୍ଷା ଓ ଗର୍ଭବତୀଙ୍କୁ ନଦୀ ପାର କରି ହସପିଟାଲ ନେବା ଭଳି ଦୁଃଖର ଅବସାନ ଘଟିବ।

ସମ୍ବନ୍ଧିତ ଖବର