‘ଫନି’ ପରେ ସ୍ୱାସ୍ଥ୍ୟସେବାକୁ ପରଖିବା ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ୍‌

ଭୁବନେଶ୍ୱର: ବାତ୍ୟା ପରବର୍ତୀ ଅବସ୍ଥାରେ ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ସରକାର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ ଦଳ। କେନ୍ଦ୍ରରୁ ୧୨ ଜଣିଆ ବିଶେଷଜ୍ଞ ଦଳ ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୧୦ଜଣିଆ ଟିମ୍‌ ବାତ୍ୟା ପ୍ରଭାବିତ ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନ ପରିଦର୍ଶନ କରୁଛନ୍ତି। ବାତ୍ୟା ପରେ ସାଧାରଣତଃ ବିଭିନ୍ନ ପ୍ରକାରର ମହାମାରୀର ଆଶଙ୍କା ଥାଏ। ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିବାବେଳେ ଏବେ କେନ୍ଦ୍ରୀୟ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିମ୍‌ ମଧ୍ୟ ଏହାର ଅନୁଧ୍ୟାନ କରୁଛନ୍ତି।

କୌଣସି ସ୍ଥାନରେ ମହାମାରୀର ପୂର୍ବାଭାସ ପାଇବା ମାତ୍ରେ ସେମାନେ ସ୍ୱାସ୍ଥ୍ୟ ବିଭାଗକୁ ତୁରନ୍ତ ଅବଗତ କରିବେ। ଏ ନେଇ ସେମାନେ ସମ୍ବେଦନଶୀଳ ଅଂଚଳରେ ପିଇବା ପାଣିଠାରୁ ଆରମ୍ଭକରି ବିଭିନ୍ନ ପ୍ରକାର ନମୂନା ସଂଗ୍ରହ ସହିତ ତାହାର ପରୀକ୍ଷାନିରୀକ୍ଷା ଚଳାଇଛନ୍ତି। ଉଲ୍ଲେଖନୀୟ ଯେ ଗତ ତିନି ତାରିଖରେ ଆସିଥିବା ବାତ୍ୟା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିିରେ ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକୁ ବିଦ୍ୟୁତ୍‌ ଓ ଜଳଯୋଗାଣ ପାଇଁ ପଦକ୍ଷେପ ନିଆଯାଇଥିଲା।

ପ୍ରଭାବିତ ଅଂଚଳର ସ୍ୱାସ୍ଥ୍ୟ ସେବା ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିସନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଆଜି କରିଥିବା ସମୀକ୍ଷାରୁ ଜଣାଯାଇଛି ଯେ ବର୍ତମାନ ସୁଦ୍ଧା ପ୍ରାୟ ପ୍ରଭାବିତ ଜିଲ୍ଲାର ପ୍ରାୟ ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଆଲୋକ ଓ ଜଳଯୋଗାଣ ବ୍ୟବସ୍ଥା କରାଯାଇ ପାରିଛି। ଏଥିସହିତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ସାଧାରଣ ଅବସ୍ଥା ଫେରାଇ ଅଣାଯାଇ ପାରିଛି। ବାତ୍ୟାରେ ପୁରୀ ଜିଲ୍ଲାର କ୍ଷତିଗ୍ରସ୍ତ ୧୬ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରୁ ଆଜି ସୁଦ୍ଧା ୧୨ଟିରେ ଶତ ପ୍ରତିଶତ ସୁବିଧା ଉପଲବ୍ଧ କରାଯାଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମଧ୍ୟ ସ୍ୱାଭାବିକ କରାଯାଇଛି।

ସେହିଭଳି ଖୋର୍ଦ୍ଧାରେ ୧୨ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରୁ ୯ଟିକୁ ସ୍ୱାଭାବିକ ସ୍ଥିତିକୁ ଫେରାଇ ଅଣାଯାଇଥିବା ବେଳେ କଟକ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ସ୍ଥିତି ସ୍ୱାଭାବିକ ହୋଇଛି। ଏହିସବୁ ସ୍ଥାନରେ ଯଥେଷ୍ଟ ପରିମାଣର ଅତ୍ୟାବଶ୍ୟକ ଔଷଧ ମହଜୁଦ ଥିବାବେଳେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। କୌଣସି ସ୍ଥାନରେ ବାତ୍ୟା ପରବର୍ତ୍ତୀ ମହାମାରୀକୁ ରୋକିବା ଲାଗି ଗାଁ କଲ୍ୟାଣ ସମିତି ଜରିଆରେ ୫୯୪୧ଟି ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ୩୬୩୦୯ ମୁକ୍ତ ଜଳାଶୟ ଗୁଡିକୁ ବିଶୋଧନ କରାଯାଇଛି। ସମନ୍ଵିତ ରୋଗ ସର୍ବେକ୍ଷଣ ବ୍ୟବସ୍ଥାକୁ ଚଳଚଂଚଳ କରାଯାଇ ଦୈନନ୍ଦିନ ରିପୋର୍ଟ ସଂଗ୍ରହ ଉପରେ ଗୁରୁତ୍ୱଆରୋପ କରାଯାଇଛି।

ସମ୍ବନ୍ଧିତ ଖବର