ଶବ ବିନା ହେଲା ସଂସ୍କାର, ରିପୋର୍ଟ ନେଗେଟିଭ୍‌ ସତ୍ତ୍ବେ ଗାଁକୁ ଆସିପାରିଲାନି ମୃତଦେହ

ନଡ଼ା ବିଡ଼ା ରଖି ମୁଖାଗ୍ନି ଦେଲେ ପୁତୁରା

ବ୍ରହ୍ମପୁର: ଶବ ନଥିଲା। କିନ୍ତୁ ବାହାରିଥିଲା ଶବଯାତ୍ରା। ଶବ ଜାଗାରେ ଥିଲା ବାଲିରେ ଗଢ଼ା ହୋଇଥିବ‌ା ମଣିଷର ଆକୃତି। ଜୁଇ ବଦଳରେ ଥିଲା ନଡ଼ା। ସମସ୍ତ ରୀତିନୀତି ଶେଷ ପରେ ପୁତୁରା ସେହି ନଡ଼ା ବିଡ଼ାରେ ହିଁ ମୁଖାଗ୍ନି ଦେଲା। ଆଉ ଦାଦାଙ୍କ ଅନ୍ତିମ ସଂସ୍କାର ସଂପନ୍ନ କଲା। ‌ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଶୀତଳପଲ୍ଲୀ କୋଭିଡ଼୍ ହସ୍‌ପିଟାଲ୍‌ରେ ମୃତ୍ୟୁବରଣ କରିଥିବା ପୂର୍ଣ୍ଣଚନ୍ଦ୍ର ଗୌଡ଼ଙ୍କ ଉଦ୍ଦେଶ୍ୟରେ ପରିବାରବର୍ଗ ଏଭଳି ବିକଳ୍ପ ନୀତି ଆପଣାଇ ସମସ୍ତ କର୍ମ ସଂପନ୍ନ କରିଛନ୍ତି। ପୁତୁରା ଓ ସଂପର୍କୀୟଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର ସଂପନ୍ନ କରାଯାଇଥିବା ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ପାଇଁ ଗୋଟିଏ ପଟେ ପୂର୍ଣ୍ଣଚନ୍ଦ୍ରଙ୍କ ଶେଷ ଦର୍ଶନ ପରିବାରବର୍ଗଙ୍କ ଭାଗ୍ୟରେ ଜୁଟି ନଥିବାବେଳେ ଅନ୍ୟପଟେ ମୃତ୍ୟୁ ପରେ ବି ତାଙ୍କୁ ଚାରିକାନ୍ଧ ମିଳିପାରିନି।

ସୁରତରେ କାମ କରୁଥିବା ପୂର୍ଣ୍ଣଚନ୍ଦ୍ରଙ୍କ ଗୋଟିଏ ପୁଅ ଜନ୍ମ ହୋଇଥିବାରୁ ଦେଖିବା ପାଇଁ ଗତ ମାର୍ଚ୍ଚ ୧୧ ତାରିଖରେ ହରିପୁର ଆସିଥିଲେ। ଏହାପରେ ଲକ୍‌ଡାଉନ୍ ଯୋଗୁଁ ଆଉ ସୁରତ ଯାଇପାରିନଥିଲେ। ବେଶ୍ ହସଖୁସିରେ ଚାଲିଥିଲା ପରିବାର। ହେଲେ, ଗତ ୧୨ ତାରିଖରେ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ କରୋନା ଲକ୍ଷଣ ସନ୍ଦେହରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଓ ସେଠାରୁ ଶୀତଳାପଲ୍ଲୀ ସ୍ଥିତ କୋଭିଡ଼୍ ହସ୍ପିଟାଲ୍‌କୁ ପଠାଇଦିଆଯାଇଥିଲା। ଚିକିତ୍ସିତ ଅବସ୍ଥାରେ ୧୬ ତାରିଖରେ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଏଏନଏମ୍ ଦିଦି ଓ ଜଗନ୍ନାଥପ୍ରସାଦ ବିଡିଓ ସୁରେଶ ଚନ୍ଦ୍ର ପଣ୍ଡା ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ସମ୍ପର୍କରେ ପରିବାରବର୍ଗଙ୍କୁ ଜଣାଇଥିଲେ। ଏହା ଶୁଣିବା ପରେ ପରିବାର ଉପରେ ଯେମିତି ଦୁଃଖର ପାହାଡ଼ ଭାଙ୍ଗିପଡ଼ିଥିଲା। କାନ୍ଦବୋବାଳିରେ ଫାଟି ପଡ଼ିଥିଲା ଘର। କିନ୍ତୁ ପୂର୍ଣ୍ଣଚନ୍ଦ୍ରଙ୍କ ଶବ ଆସି ପାରି ନଥିଲା।

ଏହାମଧ୍ୟରେ ଗତ ୧୭ ତାରିଖରେ ଗଞ୍ଜାମ ଜିଲ୍ଲାରେ ଦୁଇ କରୋନା ପଜିଟିଭ୍‌ଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସରକାର ଘୋଷଣା କରିଥିଲେ। କିନ୍ତୁ ଏହାର କିଛି ଘଣ୍ଟା ପରେ ଜଣକ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ନେଗେଟିଭ୍ ବୋଲି ‌ଘୋ‌ଷଣା କରିଥିଲେ। ଅର୍ଥାତ୍ ପୂର୍ଣ୍ଣଚନ୍ଦ୍ରଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ବୋଲି ତାଙ୍କ ପରିବାରବର୍ଗଙ୍କୁ ଜଣାଇ ଦିଆଗଲା। ଏହାପରେ ପୂର୍ଣ୍ଣଚନ୍ଦ୍ରଙ୍କ ଶେଷ ଦର୍ଶନ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସଂପର୍କୀୟ ମାନେ ଆସିଥିଲେ। ସକାଳୁ ଆସି ଦିନତମାମ୍ ଅପେକ୍ଷା କରି‌ଥିଲେ ମଧ୍ୟ ସେମାନଙ୍କୁ ଅନୁମତି ମିଳି ନଥିଲା। ପୁଣି ୧୮ ତାରିଖରେ ପତ୍ନୀ ରଞ୍ଜୁ ଦୁଇମାସର ପୁଅକୁ ଦେଖି ସ୍ବାମୀଙ୍କ ଶେଷଦର୍ଶନ ପାଇଁ ଆସିଥିଲେ। ଶବଗୃହ ଆଗରେ ଦିନତମାମ କାନ୍ଦି କାନ୍ଦି ଜଗି ରହିଥିଲେ। ଶେଷରେ ପ୍ରଶାସନର ଅନୁମତି କ୍ରମେ ବହୁ କଷ୍ଟରେ କର୍ମଚାରୀ ମାନେ ତାଙ୍କୁ ସ୍ବାମୀଙ୍କ ଶେଷ ଦର୍ଶନ ପାଇଁ ନେଇଯାଇଥିଲେ। ହେଲେ ଗାଁକୁ ଶବ ଆଣି ସଂସ୍କାର କରିବା କ୍ଷେତ୍ରରେ କରୋନା ସନ୍ଦେହ ବାଧକ ସାଜିଯାଇଥିଲା। ଶବକୁ ଶେଷ ସମୟରେ ‌‌କୋଭିଡ୍ ହସ୍ପିଟାଲ୍ ନିକଟରେ ଅନ୍ତିମ ସଂସ୍କାର କରାଯାଇଥିଲା। ହେଲେ ଗାଁରେ ଶବଦାହର ସମସ୍ତ ରୀତିନୀତି ସଂପନ୍ନ କରାଯାଇଥିଲା। ଶବ ନଥିଲା। କିନ୍ତୁ ସମସ୍ତ ନୀତିନିୟମକୁ ପାଳନ କରାଯାଇଥିଲା। ପୁତୁରା ଓ ଅନ୍ୟ ସଂପର୍କୀୟ ମାନେ ଶ୍ମଶାନକୁ ବାହାରିଥିଲେ। ସମସ୍ତ ସାମଗ୍ରୀ ସାଥିରେ ନିଆଯାଇଥିଲା। ଅରୁଆ ଚାଉଳ, ଘିଅ ସଳିତା, ହଳଦି ଗୁଣ୍ଡ, ପୁଳି ଚକୁଳି ସହ ମୁଡ଼ି ମୁଆଁ ଭଳି ଆଦି ସାମଗ୍ରୀକୁ ଶ୍ମଶାନକୁ ନିଆଯାଇଥିଲା। ଆଉ ବାଲିରେ ମଣିଷ ଆକୃତି ଅଙ୍କାଯାଇ ଉପରେ ନଡ଼ାବିଡ଼ା ରଖି ପ୍ରତିକ ଭାବେ ସଂପର୍କୀୟ ପୁତୁରା ମୁଖାଗ୍ନି ଦେଇ ସମସ୍ତ କର୍ମ ସଂପନ୍ନ କରିଥିଲେ।

ସମ୍ବନ୍ଧିତ ଖବର