ଗାନ୍ଧୀଜୀଙ୍କ ମୃତ୍ୟୁ ନେଇ ଗଣଶିକ୍ଷା ବିଭାଗ ପୁସ୍ତିକାରେ ଥିବା ଭ୍ରମାତ୍ମକ ତଥ୍ୟ ନେଇ ରୁଲିଂ ଦେଲେ ବାଚସ୍ପତି: ଆସନ୍ତାକାଲି ଗୃହରେ ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ

ଗାନ୍ଧୀଙ୍କ ହତ୍ୟା ଜନିତ ଭୁଲ ଲେଖାକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ କଲେ ସୌମ୍ୟରଂଜନ ଓ ନରସିଂହ

ଭୁବନେଶ୍ବର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଭୁଲ ତଥ୍ୟ ପ୍ରସଙ୍ଗରେ ବିଧାନସଭା ସରଗରମ ହୋଇଛି  । ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ପୁସ୍ତିକାରେ ଗାନ୍ଧୀଙ୍କ ମୃତ୍ୟୁ ସଂପର୍କରେ ଭୁଲ ତଥ୍ୟ ପରିବେଷଣ ପ୍ରସଙ୍ଗକୁ ନେଇ ଆପତ୍ତି ଉଠିବା ପରେ  ବାଚସ୍ପତି ରୁଲିଂ ଦେଇଛନ୍ତି । ବିଭାଗୀୟ ମନ୍ତ୍ରୀଙ୍କୁ ଆସନ୍ତାକାଲି ଗୃହରେ ଉତ୍ତର ରଖିବାକୁ ବାଚସ୍ପତି ରୁଲିଂ ଜାରି କରିଛନ୍ତି ।

ଆଜି ପ୍ରଶ୍ନୋତ୍ତର କାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପୁସ୍ତିକାରେ ମହାତ୍ମାଗାନ୍ଧୀଙ୍କ ହତ୍ୟା ନେଇ ଉପସ୍ଥାପିତ ହୋଇଥିବା  ଭ୍ରମାତ୍ମକ ତଥ୍ୟ ପ୍ରସଙ୍ଗ ଉଠାଇଥିଲେ  । ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଓଡିଶା ସରକାର ଛାପିଥିବା ପୁସ୍ତକରେ ଗାନ୍ଧୀଙ୍କ ମୃତ୍ୟୁ ଏକ ଆକସ୍ମିକ ଘଟଣା ବୋଲି ଉଲ୍ଲେଖ ଥିବାରୁ ସରକାରଙ୍କ ଉପରେ ବର୍ଷିଥିଲେ ନରସିଂହ ମିଶ୍ର ।

ସେପଟେ ଶୂନ୍ୟକାଳରେ ଗାନ୍ଧୀଙ୍କ ହତ୍ୟା ନେଇ ଭ୍ରମାତ୍ମକ ତଥ୍ୟ ପରିବେଷଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ସେ  କହିଛନ୍ତି, ଜାତିର ପିତାଙ୍କ ହତ୍ୟା ଘଟଣା ବେଶ ଗମ୍ଭୀର । ଏହା କ’ଣ ଏକ  ଦୁର୍ଘଟଣା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ଇତିହାସକୁ ବିକୃତ କରିପାରେ।  ୧୦୦ ବର୍ଷ ପରେ ଯଦି ଏହି ତଥ୍ୟ ଆଧାରରେ କୌଣସି ପତ୍ରପତ୍ରିିକା ପ୍ରକାଶ ପାଏ, ସେଥିରେ ଗାନ୍ଧୀଜୀଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ବୋଲି ହିଁ ରହିବ । ତେଣୁ ସମେସ୍ତ ଏହାକୁ ନିନ୍ଦା କରିବା ଉଚିତ ବୋଲି ସୌମ୍ୟରଂଜନ କହିଛନ୍ତି ।

ସେପଟେ ବିଧାନସଭା ଆରମ୍ଭରୁ ମୁହଁରେ କଳାପଟି ବାନ୍ଧି ବିଜେପି ସଦସ୍ୟ ପ୍ରତିବାଦ କରିଥିଲେ । ବିଭିନ୍ନ ପ୍ରସଙ୍ଗ ଉଠାଇ ବିରୋଧୀ ହୋହାଲ୍ଲା କରିବାରୁ ଗୃହକୁ ଅଧଘଂଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ତା’ସହ ବିଧାନସଭାର ଗୃହକାର୍ଯ୍ୟ କେମିତି ସୁରୁଖୁରୁରେ ଚାଲି ପାରିବ ସେଥିପାଇଁ ଏକ ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ବିଜେପି ବୈଠକରେ ଯୋଗଦେଇ ନଥିଲା ।

ସ୍ମିତାରାଣୀ ମୃତ୍ୟୁ ମାମଲାରେ କହିବାକୁ ସୁଯୋଗ ମିଳିଲାନି । ସମିତି ସଭ୍ୟ, ଜିଲ୍ଲା ପରିଷଦ ଓ ରାମକୋ ସିମେଣ୍ଟ ଅଧିକାରୀଙ୍କ ବିରୋଧରେ ୩୬୦ ଦଫା ଲଗାଯାଇ ଗିରଫ ଓ ଏସପିଙ୍କୁ ବହିଷ୍କାର ଦାବିରେ ଅଡ଼ି ବସିଛି ବିଜେପି । ଘଟଣାର  ସିବିଆଇ ତଦନ୍ତ ନହେବା ଯାଏ ଏଭଳି ବିରୋଧ ଜାରି ରହିବ । ଗତ ୩ ଦିନ ଧରି ବାଚସ୍ପତି କହିବାକୁ ସୁଯୋଗ ନଦେବାରୁ ସର୍ବଦଳୀୟ ବୈଠକକୁ ତାଙ୍କ ଦଳ ଗଲାନାହିଁ  ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

ସମ୍ବନ୍ଧିତ ଖବର