ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ଗଣ୍ଡରପୁର ଡ୍ରେନେଜ ଡିଭିଜନ୍‌ ଠକେଇ

ଭୁବନେଶ୍ୱର: କଟକ ଗଣ୍ଡରପୁର ଡ୍ରେନେଜ୍‌ ଡିଭିଜନ୍‌ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହୋଇଥିବା କୋଟି କୋଟି ଟଙ୍କା ଋଣ ଦୁର୍ନୀତି ଅଭିଯୋଗରେ କ୍ରାଇମବ୍ରାଞ୍ଚ ଆଜି ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ରବୀନ୍ଦ୍ର କୁମାର ନାୟକ। ଘର ନୟାଗଡ଼ ବେବର୍ତାପଲ୍ଲୀରେ। ଆଜି ତାଙ୍କୁ କଟକଠାରେ ଥିବା ସ୍ୱତନ୍ତ୍ର କୋର୍ଟକୁ ଚାଲାଣ କରାଯାଇଛି। ମିଳିଥିବା ସୂଚନା ମୁତାବକ, ୨୦୦୯ରୁ ୨୦୧୦ ମଧ୍ୟରେ ୮୫ ଜଣ ବ୍ୟକ୍ତି ନିଜକୁ ଗଣ୍ଡରପୁର ଡ୍ରେନେଜ୍‌ ବିଭାଗରେ କର୍ମଚାରୀ ଦର୍ଶାଇ ନୟାସଡ଼କ ଆହ୍ଲାବାଦ ବ୍ୟାଙ୍କରୁ ୨.୨୬ କୋଟି ଟଙ୍କା ଋଣ ନେଇଥିଲେ। ପରବର୍ତୀ ସମୟରେ ଜଣା ପଡ଼ିଥିଲା କି ସେମାନେ କର୍ମଚାରୀ ନୁହନ୍ତ ବରଂ କାଗଜପତ୍ରରେ ଜାଲିଆତି କରି ଏଭଳି ଠକେଇ କରିଛନ୍ତି। ଏ ନେଇ ବ୍ୟାଙ୍କ ପକ୍ଷରୁ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରାଯିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। କ୍ରାଇମ୍‌ବ୍ରାଞ୍ଚ ଏବେ ସୁଦ୍ଧା ୨୧ ଜଣଙ୍କୁ ଗିରଫ କରି ସାରିଲାଣି। ଆଜିର ଗିରଫଦାରୀକୁ ମିଶାଇଲେ ସଂଖ୍ୟା ୨୨ରେ ପହଞ୍ଚିଛି। ଖୁବ୍‌ ଶୀଘ୍ର ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର