ବୋମାମାଡ଼ରେ ପୁଣି ଥରିଲା ବରମୁଣ୍ତା

ଖଣ୍ତଗିରି: ସୋମବାର ବିଳମ୍ବିତ ରାତି ପ୍ରାୟ ସାଢେ଼ ୨ଟା ସମୟରେ ହୋଇଥିବା ଦ୍ବିତୀୟ ଥର ବୋମାମାଡ଼ରେ ପୁଣି ଥରି ଉଠିଛି ବରମୁଣ୍ତା। ଏକା ତରିକାରେ ଏକା ସ୍ଥାନକୁ ହୋଇଛି ଲଗାତର ଦୁଇ ଦୁଇ ଥର ବୋମାମାଡ଼। କମ୍ୟୁନିଟି ହଲ୍‌କୁ ଲକ୍ଷ୍ୟ କରି ଦୁର୍ବୃତ୍ତମାନେ ବୋମାମାଡ଼ କରିଛନ୍ତି। ବିଶେଷ କିଛି କ୍ଷୟକ୍ଷତି ହୋଇ ନଥିଲେ ମଧୢ କମ୍ୟୁନିଟି ହଲ୍‌ର ଲୁହା କବାଟ ଭାଙ୍ଗି ଯାଇଛି। ଲଗାତର ଏକ ସାମାଜିକ ଅନୁଷ୍ଠାନ ଉପରକୁ କେଉଁ ଦୁର୍ବୃତ୍ତ କି ଉଦ୍ଦେଶ୍ୟରେ ବୋମାମାଡ଼ କରୁଛି, ତାହା ଏବେ ବି ରହସ୍ୟ ହୋଇ ରହିଛି। ସୋମବାର ରାତିରୁ ପୁଲିସ ଏହାର କାରଣ ଖୋଜୁଥିଲେ ମଧୢ ପାଇବାକୁ ସକ୍ଷମ ହୋଇପାରିନାହିଁ। ତେଣୁ ଦୁର୍ବୃତ୍ତମାନଙ୍କୁ ଠାବ କରିବାରେ ପୁଲିସକୁ ସଫଳତା ମିଳିପାରିନାହିଁ। ବିଳମ୍ବିତ ରାତି ପ୍ରାୟ ସାଢେ଼ ୨ଟା ପାଖାପାଖି ଏହି ହଲ୍‌ ଉପରକୁ ବୋମାମାଡ଼ ହୋଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ବୋମାମାଡ଼ ପରେ ପ୍ରଚଣ୍ତ ଶବ୍ଦ ହୋଇଥିଲା ଓ ପାଖାପାଖି ଘରଗୁଡ଼ିକ ଏକ ପ୍ରକାର ଥରି ଉଠିଥିଲା। ଏହା ବୋମାମାଡ଼ ବୋଲି ସେମାନେ ନିଶ୍ଚିତ ଥିବା ଲୋକେ ସୂଚନା ଦେଇଛନ୍ତିି। ରାତି ୧୦ଟାବେଳେ ପ୍ରଥମ ବୋମାମାଡ଼ ହୋଇଥିବାରୁ ଲୋକେ ଆଉ ସନ୍ଦେହ କରି ନଥିଲେ। ତେଣୁ ଏତେ ରାତିରେ ଆଉ କେହି ବାହାରକୁ ବାହାରିବାକୁ ସାହସ କରି ନଥିଲେ। ଦୁର୍ବୃତ୍ତମାନେ ବୋମାମାଡ଼ କରି ଫେରାର‌୍‌ ହୋଇଯାଇଥିଲେ। ପ୍ରଥମ ବୋମାମାଡ଼ରେ କମ୍ୟୁନିଟି ହଲ୍‌ର ମୁଖ୍ୟ ଲୁହା କବାଟର ଉପର ଅ˚ଶ ଭାଙ୍ଗି ଯାଇଥିଲା। କିନ୍ତୁ ଦ୍ବିତୀୟ ଥର ସେହି କବାଟର ତଳ ଅ˚ଶ ଭାଙ୍ଗି ଯାଇ ପୁରା ତଳକୁ ଗଳି ପଡ଼ିଥିଲା। ତେଣୁ ଏଥର ଦୁର୍ବୃତ୍ତମାନେ ହଲ୍‌ର ନିକଟରୁ ବୋମାମାଡ଼ କରିଥିବା ଜଣାପଡ଼ିଛି। ବୋମାମାଡ଼ରେ ଲୁହା କବାଟର ଝଳେଇ ଖସି ପଡ଼ୁଥିବାରୁ ବୋମାଗୁଡ଼ିକ କେତେ ଶକ୍ତିଶାଳୀ ତାହା ସହଜରେ ଅନୁମେୟ।

ଦୁର୍ବୃତ୍ତମାନେ ଦୁଇ ଦୁଇ ଥର ଏହି ହଲ୍‌ ଉପରକୁ ବୋମା ଫିଙ୍ଗୁଥିବା ପଛରେ ନିଶ୍ଚିତ କିଛି କାରଣ ରହିଛି ବୋଲି ଆଲୋଚନା ହେଉଛି। କିନ୍ତୁ କେହି କିଛି ସ୍ପଷ୍ଟଭାବେ କହି ପାରୁନାହାନ୍ତି। ହଲ୍‌ ଦାୟିତ୍ବରେ ଥିବା ଗାଁ ଯୁବକମାନେ ପୁଲିସକୁ ତଦନ୍ତରେ ସହଯୋଗ କଲାଭଳି ତଥ୍ୟ ଦେଇପାରୁନାହାନ୍ତି। ସେମାନଙ୍କ ପାଇଁ ବି ଏହା ଏକ ଅବୁଝା କଥା ବୋଲି ସେମାନେ କହୁଛନ୍ତି। କାରଣ ହଲ୍‌କୁ ନେଇ କୌଣସି ଗୋଷ୍ଠୀ ବିବାଦ ନାହିଁ। ଏମିତିକି ଏହାକୁ ନେଇ ରାଜନୈତିକ ବିବାଦ ମଧୢ ନାହିଁ। ତେବେ ବୋମାମାଡ଼ ମାମଲାରେ ଗାଁର କିଛି ଯୁବକଙ୍କ ସହ ବାହାରର ଯୁବକମାନେ ସାମିଲ୍‌ ଥିବା ସନ୍ଦେହ କରାଯାଉଛି। କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଗାଁରେ ଭୟ ସୃଷ୍ଟି କରିବା ପାଇଁ ଦୁର୍ବୃତ୍ତମାନେ ଏଭଳି କାଣ୍ତ କରୁଥିବା ଆଲୋଚନା ହେଉଛି। ଗତ କିଛି ଦିନ ହେଲା ସ୍ଥାନୀୟ କିଛି ଯୁବକ ଜଟଣୀ ଅଞ୍ଚଳର ଅସାମାଜିକ ତତ୍ବମାନଙ୍କ ସହ ମିଶୁଥିବାରୁ ଏହି ଗୋଷ୍ଠୀ ବୋମାମାଡ଼ କରିଥିବା ଆଲୋଚନା ହେଉଛି। ପୁଲିସ ଏହି ରହସ୍ୟ ଉପରୁ ପର୍ଦା ହଟାଇବାକୁ ଉଦ୍ୟମ ଜାରି ରଖିଛି।

ସମ୍ବନ୍ଧିତ ଖବର