ପୁଣି ଦାମ-ବିଷ୍ଣୁ ବିବାଦ

ପାରାଦୀପ: କେହି କାହାରି ନିର୍ବାଚନମଣ୍ଡଳୀରେ ମୁଣ୍ଡ ଖେଳାଇବେ ନାହିଁ ବୋଲି ମନ୍ତ୍ରୀ ଦାମୋଦର ରାଉତ ଓ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ ନିଜନିଜ ଭିତରେ ଯେଉଁ ବୁଝାମଣା କରିଥିଲେ, ତାହା ଫସର ଫାଟିଯାଇଛି। ଦୁଇ ନେତା ଆଜି ପୁଣିଥରେ ମୁହାଁମୁହିଁ ହୋଇଛନ୍ତି।

ଏଠାରେ ଆଜି ଦୁଇ ନେତାଙ୍କ ପକ୍ଷରୁ ଦୁଇଟି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସେଥିମଧ୍ୟରୁ ବିଷ୍ଣୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ’ଜୀବନବିନ୍ଦୁ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମାତ୍ର, ଏହାକୁ ଦାମ ହଜମ କରିପାରିନଥିଲେ। ପୂର୍ବରୁ କେହି କାହାରି ନିର୍ବାଚନମଣ୍ଡଳୀରେ ମୁଣ୍ଡ ଖେଳାଇବେ ନାହିଁ ବୋଲି ଦୁଇ ନେତାଙ୍କ ମଧ୍ୟରେ ଯେଉଁ ବୁଝାମଣା ରହିଥିଲା। ବିଷ୍ଣୁଙ୍କ କାର୍ଯ୍ୟକ୍ରମର ଏହାର ବିରୁଦ୍ଧାଚରଣ କରୁଛି ବୋଲି ଦାମ ମନେ କରିଥିଲେ। ତାଙ୍କୁ ଖୋଲା ଜବାବ ଦେବା ପାଇଁ ଦାମ ନିଜେ ଆଉ ଗୋଟିଏ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଯାହାର ନାଁ ଥିଲା ‘ମୋ ସହର ମୋ ଉନ୍ନତି’ ଏବଂ ଏଥିରେ ବହୁ ମନ୍ତ୍ରୀ ଓ ବିଧାୟକଙ୍କୁ ସେ ଆମନ୍ତ୍ରଣ କରିଥିଲେ।

ଗୋଟିଏ ଦିନରେ ଦୁଇ ଦୁଇଟି ଦଳୀୟ କାର୍ଯ୍ୟକ୍ରମକୁ ନେଇ ଆଜି ପାରାଦୀପ ଚଳଚଞ୍ଚଳ ହୋଇ ଉଠିଥିଲା। ଦଳୀୟ କର୍ମୀ ମହଲ ଓ ସାଧାରଣରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ବିଷ୍ଣୁଙ୍କ ପରିଚାଳନାରେ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମରେ ବି ରେକର୍ଡ ସଂଖ୍ୟକ ୧୫୦୭ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା। ସମର୍ଥକମାନେ ଏହାକୁ ବଡ଼ଧରଣର ସଫଳତା ବୋଲି କହୁଥିଲାବେଳେ ନିଜେ ବିଷ୍ଣୁ କାର୍ଯ୍ୟକ୍ରମରେ ଯୋଗ ଦେଇପାରିନଥିଲେ। ଗତକାଲିଠାରୁ ସ୍ଥାନୀୟ ନେହେରୁ ବଙ୍ଗଳାରେ ଥିଲେ ମଧ୍ୟ ସେ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ। ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ମୁଖମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସେ ଅଟକି ରହିବାକୁ ବାଧ୍ୟ ହୋଇଥିଲେ। ଏବଂ, ତାଙ୍କର ଜଣାଶୁଣା ସମର୍ଥକ ଶ୍ରମିକ ନେତା ସନ୍ତୋଷ ପଟ୍ଟନାୟକଙ୍କ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

ଅପରପକ୍ଷେ, ଦାମଙ୍କ ଗୋଟିଚାଳନା ସଫଳ ହେବା ସହିତ ପୂର୍ବ ଘୋଷଣା ଅନୁଯାୟୀ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ସଂଧ୍ୟା ସମୟରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ମନ୍ତ୍ରୀ, ନେତା ଯୋଗ ଦେଇଥିଲେ। ମନ୍ତ୍ରୀ ପ୍ରଦୀପ ମହାରଥୀ, ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସାମଲ, ବିଧାୟିକା ପ୍ରମିଳା ମଲ୍ଲିକ, ବିଧାୟିକା ରାଜଶ୍ରୀ ମଲ୍ଲିକ, ବିଧାୟକ ଦେବାଶିଷ ନାୟକ, ସାଂସଦ କୁଳମଣି ସାମଲ, ପାରାଦୀପ ପୌରପାଳିକା ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ, ନଗର ସଭାପତି ସୁମନ୍ତ ବିଶ୍ୱାଳ ଓ ଦାମଙ୍କ ପୁଅ ସମ୍ବିତ ରାଉତରାୟ ମଞ୍ଚରେ ଉପସ୍ଥିତ ଥିଲେ। ଏହି ବୈଠକରେ ଦାମ ସିଧାସଳଖ ବିଷ୍ଣୁଙ୍କୁ ଟାର୍ଗେଟ କରିଥିଲେ। ତାଙ୍କୁ ଖୋଲାଖୋଲି ସମାଲୋଚନା କରିବା ସହିତ ତାଙ୍କ ସମର୍ଥକଙ୍କୁ ତୀବ୍ର ସମାଲୋଚନା କରିଥିଲେ।
ଏହି ଘଟଣା ପରେ ଉଭୟ ଦାମ ଓ ବିଷ୍ଣୁଙ୍କ ମଧ୍ୟରେ ହୋଇଥିବା ସନ୍ଧି କେବଳ ଲୋକଦେଖାଣିଆ ଥିଲା ବୋଲି ସ୍ପଷ୍ଟ ହୋଇଛି। କିଛିି ମାସ ପୂର୍ବରୁ ଦୁଇ ନେତା ଏକାଠି କେତେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାକୁ ଭିତ୍ତିକରି ଜଗତ୍‌ସିଂହପୁର ବିଜେଡି ରାଜନୀତିରେ ନୂଆ ସମୀକରଣର ବି ସୂତ୍ରପାତ ହୋଇଥିଲା। ମାତ୍ର, ଏବେ ଦୁଇ ନେତା ପୁଣିଥରେ ନିଜନିଜର ପୂର୍ବ ଜାଗାକୁ ଫେରିଯାଇଛନ୍ତି।

ଅନ୍ୟପକ୍ଷରେ, କେହି କାହାରି ନିର୍ବାଚନମଣ୍ଡଳୀରେ ମୁଣ୍ଡ ନ ଖେଳାଇବା ଦଳୀୟ ନିଷ୍ପତ୍ତି ବୋଲି ମନ୍ତ୍ରୀ ତଥା ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଶ୍ରୀ ସାମଲ କହିଛନ୍ତି। ସେ କହିଛନ୍ତି ଯେ, ‘ ଏଥିପାଇଁ ବିଧାୟକଙ୍କ ସମେତ ସବୁ ନେତାଙ୍କୁ କଡ଼ା ନିର୍ଦ୍ଦେଶ ରହିଛି।’ ‘ ଆଜିର ଘଟଣା ସମ୍ପର୍କରେ ଦଳର ସୁପ୍ରିମୋଙ୍କୁ ଅବଗତ କରିବି,’ ବୋଲି ଶ୍ରୀ ସାମଲ କରିଛନ୍ତି। ଆଜିର ଏହି ବାଦାନୁବାଦରେ ଦାମଙ୍କ ପଲା ଭାରି ରହିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଶୁଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର