ଏସ୍‌ସିବିରେ ପୁଣି ଡେଙ୍ଗୁ ନେଲା ଜୀବନ

କଟକ: ଏସ୍‌ସିବିରେ ପୁଣି ଡେଙ୍ଗୁ ନେଇଛି ଜୀବନ। ଗତମାସ ୨୪ ତାରିଖରେ କେନ୍ଦୁଝର ଜିଲ୍ଲାର ତ୍ରୈଲୋକ୍ୟ ବାରିକ୍‌ଙ୍କର ମୃତ୍ୟୁ ଘଟିଥିବାବେଳେ ଆଜି ପୁରୀ ଜିଲ୍ଲାର ରୂପାଦେଇପୁର, ବଳଙ୍ଗାର ପ୍ରଶାନ୍ତ ମହାରଣା (୨୫)ଙ୍କର ମୃତ୍ୟୁ ଘଟିଛି। ସେ ୬ ତାରିଖରୁ ଏସ୍‌ସିବିର ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଗୁରୁତର ଅବସ୍ଥାରେ ୫ଜଣ ଡେଙ୍ଗୁ ରୋଗୀ ଭର୍ତ୍ତି ହୋଇଛନ୍ତି। କଟକ ଜିଲ୍ଲାରେ ଧିରେଧିରେ ଡେଙ୍ଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଆଜି କଟକର ଜଗତପୁର, ଟାଙ୍ଗୀ, ରାଜେନ୍ଦ୍ରନଗର ଅଞ୍ଚଳର ତିନିଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଆଜି ୩୯ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୬ଟିରେ ଡେଙ୍ଗୁ ଚିହ୍ନଟ ହୋଇଛି। କଟକର ୩, ପୁରୀ, ନୟାଗଡ ଓ ଖୋର୍ଦ୍ଧାର ଜଣେ ଲେଖାଏଁ ଡେଙ୍ଗୁରେଗୀ ଚିହ୍ନଟ ହୋଇଥିବା ଏସ୍‌ସିବି କର୍ତ୍ତୃପକ୍ଷଙ୍କ ସୂତ୍ରରୁ ସୂଚନା ମିଳିଛି। ଏଯାଏ କଟକର ୨୧ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିରୁ ଜଗତ୍‌ପୁର, ବିଡାନାସୀ, ତୁଳସୀପୁର, ହରିପୁର, ରାଜେନ୍ଦ୍ରନଗର, ଟାଙ୍ଗୀ, ଚୌଦ୍ୱାର, ନିଶ୍ଚିନ୍ତକୋଇଲି ବ୍ଲକ୍‌ର ଦାଉଦ୍‌ପୁର, ନୂଆଗାଁ, ବଡସାମନ୍ତରାପୁର ତଥା ବିଭିନ୍ନ ଅଞ୍ଚଳରୁ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୮ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବାବେଳେ ସେଥିରୁ ୧୩ ଜଣ ଓ୍ଵାର୍ଡରେ ଥିବାବେଳେ ୫ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଜୁନ୍‌ ୨୬ରୁ ଏସ୍‌ସିବିରେ ଡେଙ୍ଗୁ ଓ୍ଵାର୍ଡ ଖୋଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୦ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହୋଇସାରିଛନ୍ତି।

ସମ୍ବନ୍ଧିତ ଖବର