କଟକରେ ପୁଣି ଡବଲ୍‌ ଏନ୍‌କାଉଣ୍ଟର

ଟିଟୋ ସହଯୋଗୀ କାଲା ବାବୁ, ଅଲେଖ ଆହତ, ଜଗତପୁର ଟେଣ୍ଡର ଗୁଳିକାଣ୍ଡରେ ଥିଲେ ଅଭିଯୁକ୍ତ

କଟକ-ମହାନଦୀବିହାର: ୨୫ ଦିନର ବ୍ୟବଧାନରେ କଟକ ପୁଲିସ ପୁଣି କରିଛି ଡବଲ୍‌ ଏନକାଉଣ୍ଟର। ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ଦୁର୍ଦାନ୍ତ ଅପରାଧୀ ଦେଓ୍ଵାନ ବଜାରର ସେକ୍‌ କାଲା ବାବୁ ଓରଫ୍‌ ବାବୁ ଖାଁ ଏବଂ ସାଇଲୋ ବଡ଼ବିଲର ଡେଙ୍ଗା ଓରଫ ଅଲେଖ ରାଉତରାୟକୁ ଚାଉଳିଆଗଂଜ ଥାନା ପୁଲିସ୍‌ ଏନକାଉଣ୍ଟର କରିଛି। ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ପୁଲିସ ଉପରକୁ ଗୁଳି ଓ ବୋମା ମାଡ଼ କରି ଖସି ଯିବାକୁ ବସିଥିବା ବେଳେ ପୁଲିସ ଗୁଳିର ଶିକାର ହୋଇଛନ୍ତି। ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଗତପୁରରେ ମାର୍ଚ୍ଚ ୨୯ ତାରିଖରେ ଟେଣ୍ଡର ଫିକ୍ସିଂ ପାଇଁ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଉଭୟ ସଂପୃକ୍ତ ଥିବା ପୁଲିସ କହୁଛି। ସେମାନଙ୍କର ଅନ୍ୟ ୩ ସହଯୋଗୀଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଛି। ଅନ୍ୟପଟେ ଏହି ଏନ୍‌କାଉଣ୍ଟରକୁ ମିଶାଇ ଗତ ବର୍ଷକ ଭିତରେ କଟକ କମିସନରେଟ୍‌ ପୁଲିସର ଏନକାଉଣ୍ଟର ସଂଖ୍ୟା ୧୪ରେ ପହଞ୍ଚିଛି। ଗଲା ମାର୍ଚ୍ଚ ୧୧ ତାରିଖରେ କଟକ ସଦର ଥାନା ପୁଲିସ କୁଆଖାଇ ନଦୀ ନିକଟରେ ଅନୁରୂପ ଢଙ୍ଗରେ ଏକ ସମୟରେ ଦୁଇ ଜଣଙ୍କୁ ଏନକାଉଣ୍ଟର କରିଥିଲା। ପୁଲିସ୍‌ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜଗତପୁର ଟେଣ୍ଡର ଫିକ୍ସିଂ ଗୁଳିକାଣ୍ଡ ଘଟଣାରେ ସଂପୃକ୍ତ ଅପରାଧୀଙ୍କୁ ଧରିବା ପାଇଁ ଚାଉଳିଆଗଂଜ ଥାନା ଆଇଆଇସି ଅଜୟ କୁମାର ଦାସଙ୍କ ନେତୃତ୍ୱରେ ଏସ୍‌ଆଇ ଜ୍ଞାନରଂଜନ ମହାପାତ୍ର, ଏଏସ୍‌ଆଇ ସି.ଆର.ବଳବନ୍ତରାୟ ଏବଂ ସ୍ପେଶାଲ ସ୍କ୍ଵାଡ୍‌ ସଦସ୍ୟଙ୍କୁ ନେଇ ଏକ ଟିମ୍‌ ଗଠନ ହୋଇଥିଲା। ଗୁଳିକାଣ୍ଡରେ ସଂପୃକ୍ତ ଟିଟୋର ସହଯୋଗୀ କାଲା ବାବୁ ଓ ଅଲେଖ ମହାନଦୀ କୂଳରେ ଭଦିମୂଳ ନିକଟରେ ଆଡ଼ା ଜମାଇଥିବା ଖବର ମିଳିଥିଲା। ରାତି ପ୍ରାୟ ୧୦ଟା ୧୫ ବେଳକୁ ଅଜୟ ଦାସଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ସେଠାରେ ପହଞ୍ଚି ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରିବାକୁ ଉଦ୍ୟମ କରିଥିଲା। କାଲା ବାବୁ ଓ ଅଲେଖ ସେଠାରୁ ଖସି ଯିବାକୁ ଉଦ୍ୟମ କରିଥିଲେ। ଅଲେଖ ଅଣ୍ଟାରୁ ଗୋଟିଏ ପିସ୍ତଲ କାଢି ପୁଲିସ ଉପରକୁ ଗୁଳି ଚଳାଇଥିବା ବେଳେ କାଲା ବାବୁ ଗୋଟିଏ ବୋମା ଫିଙ୍ଗି ଥିଲା। ଏଭଳି ସ୍ଥିତିରେ ଆଇଆଇସି ଅଜୟ ଦାସ ଦୁଇ ଦୁର୍ବୃତ୍ତଙ୍କୁ କାବୁ କରିବା ପାଇଁ ୪ ରାଉଣ୍ଡ ଗୁଳି ଫୁଟାଇଥିଲେ। ଅଲେଖର ଦୁଇଟି ଗୋଡରେ ଦୁଇଟି ଗୁଳି ବାଜି ଥିବା ବେଳେ କାଲା ବାବୁର ଡାହାଣ ଗୋଡରେ ଗୁଳି ବାଜିଥିଲା। ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ସେଠାରେ ପଡି ଯାଇଥିଲେ। ପୁଲିସ ସେମାନଙ୍କୁ କାବୁ କରିବା ସହ ଅଲେଖଠାରୁ ପିସ୍ତଲ ଓ ଦୁଇଟି ଗୁଳି ଜବତ କରିଥିଲା। ଉଭୟଙ୍କୁ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। କାଲା ବାବୁ ନାମରେ ଲାଲବାଗ, ମଙ୍ଗଳାବାଗ, ମଧୁପାଟଣା, କ୍ୟାଣ୍ଟନମେଣ୍ଟ, ମର୍କତନଗର ଥାନାରେ ୧୦ରୁ ଅଧିକ ସଂଗୀନ ମାମଲା ରହିଛି। ଅଲେଖ ନାମରେ ବି ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ସୂଚନା ମିଳିଛି। ଦୁଇ ଅଭିଯୁକ୍ତଙ୍କୁ ଚିକିତ୍ସା ପରେ ଜଗତପୁର ଟେଣ୍ଡର ଗୁଳିକାଣ୍ଡ ସଂପର୍କରେ ଅଧିକ ଜେରା କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର