ପୁଣି ମୃତଦେହରୁ ଆଖି ଗାୟବ;୫ ଦିନରେ ଦୁଇଟି ଘଟଣା, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ଅନୁଗୁଳ: କୁଆଡେ ଯାଉଛି ମୃତଦେହରୁ ଆଖି ? ଅନୁଗୁଳ ମେଡିକାଲରେ କିଭଳି ଏଭଳି ଘଟଣା ଘଟୁଛି ତାହାକୁ ନେଇ ସୃଷ୍ଟି ହୋଇଛି ଆଲୋଡନ | କୁନି ଝିଅର ମୃତଦେହରୁ ଆଖି ଗାୟବ ହେବା ଘଟଣାର ସତ୍ୟତା ଜଣାପଡ଼ିନଥିବାବେଳେ ପୁଣି ଏଭଳି ଏକ ଅଭିଯୋଗ ଆସିଛି | ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ଆଖି ନଥିବାର ଦେଖିବାକୁ ମିଳିଛି | ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ କେହି ତାଙ୍କ ଆଖି ତାଡ଼ିନେଇଛି |

ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ମୃତଦେହକୁ ଧରି ପରିବାର ଲୋକ ଧାରଣାରେ ବସିଛନ୍ତି | ମିଳିଥିବା ସୂଚନା ମୁତାବକ ଅନୁଗୁଳ ଜିଲ୍ଲାର ଜରପଡା ଥାନା ଅନ୍ତର୍ଗତ କୁଶକିଳା ଗାଁର ଜମ୍ବେଶ୍ୱର ନାୟକଙ୍କର ଗତକାଲି ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା | ତେବେ ବ୍ୟବଛେଦ ପାଇଁ ତାଙ୍କ ମୃତଦେହ ରଖାଯାଇଥିବାବେଳେ ଆଜି ସକାଳୁ ତାଙ୍କର ବାମ ପଟ ଆଖି ନଥିବା ପରିବାର ଲୋକ ଦେଖିଥିଲେ |

ଏହାକୁ ନେଇ ପରିବାର ଲୋକ ସିଡିଏମଓଙ୍କ ଅଫିସ ସାମ୍ନାରେ ମୃତଦେହକୁ ରଖି ଧାରଣାରେ ବସିଛନ୍ତି | ଏଠାରେ ସୂଚନା ଥାଉ କି ଗତ ଗୁରୁବାର ରାତି ୧୧ଟାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରୀତି ଗୋଛାୟତ ନାମକ ୪ ବର୍ଷର ଝିଅର ମୃତ୍ୟୁ ହୋଇଥିଲା | ପରେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଶବଗୃହରେ ରଖାଯାଇଥିଲା | କିନ୍ତୁ ଶୁକ୍ରବାର ଦିନ ୧୨ଟାରେ ବ୍ୟବଚ୍ଛେଦ ପାଇଁ ଶବଗୃହରୁ ଶବ ବାହାର କଲା‌ ବେଳକୁ ଦୁଇଟି ଯାକ ଆଖି ନଥିବାର ଦେଖିବାକୁ ମିଳିଥିଲା |

ସମ୍ବନ୍ଧିତ ଖବର