ଏସ୍‌ସିବିରେ ପୁଣି ଅଗ୍ନିକାଣ୍ଡ, ଜଳିଗଲା ରେକର୍ଡ ରୁମ୍‌

କଟକ: ଏସ୍‌ସିବି ମେଡିକାଲରେ ପୁଣି ଘଟିଛି ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଏସ୍‌ସିବି ରେକର୍ଡ ରୁମ୍‌ରେ ଥିବା କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ଏସି ଜଳି ଯାଇଛି। ଏଭଳି ଅଗ୍ନିକାଣ୍ଡ ପରେ ଏହାର କାରଣ ଖୋଜା ପାଇଁ ଆଜି ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସିବିକେ ମହାନ୍ତି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମେଡିସିନ୍‌ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ବିରଞ୍ଚି ନାରାୟଣ ମହାପାତ୍ରଙ୍କ ନେତୃତ୍ବରେ ମେଡିକାଲର ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, ପ୍ରଫେସର ଡାକ୍ତର ବନବିହାରୀ ମିଶ୍ର, ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା, ହସ୍ପିଟାଲ ମ୍ୟାନେଜର ବିରଞ୍ଚି ନାରାୟଣ ସାହୁ ପ୍ରମୁଖଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏହି ଟିମ୍‌କୁ ଘଟଣାର ତଦନ୍ତ କରି ସାତ ଦିନ ଭିତରେ ରିପୋର୍ଟ ଦେବା ପାଇଁ ଅଧୀକ୍ଷକ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢେ ୩ଟାରେ ଏସ୍‌ସିବି ମେଡିକାଲ ରେକର୍ଡ଼ ରୁମ୍‌ରୁ ଧୂଆଁ ବାହାରୁଥିଲା। ଏହା ଦେଖିବା ପରେ ଫାଣ୍ଡି ପୁଲିସ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳାରେ ପହଞ୍ଚି ଝରକା ଭାଙ୍ଗି କୋଠରୀରେ ପଶି ନିଆଁକୁ ଆୟତ୍ତ କରିଥିଲେ। ଏସ୍‌ସିବି ଅଗ୍ନିଶମ ବିଭାଗ ଅଧିକାରୀଙ୍କ ସୂଚନା ଅନୁସାରେ ୧୦ମିନିଟ୍ ଭିତରେ ନିଆଁକୁ ଆୟତ୍ତ କରାଯାଇଥିଲା। କେବଳ ଏସ୍‌ସି ଓ କିଛି କାଗଜପତ୍ରକୁ ବାଦ୍‌ ଦେଲେ ସେଭଳି କିଛି କ୍ଷୟକ୍ଷତି ହୋଇନଥିବା ସେ ସୂଚନା ଦେଇଛନ୍ତି। ତେବେ ଏସିରୁ ସର୍ଟସର୍କିଟ ହୋଇ ଏଭଳି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ସେ ସୂଚନା ଦେଇଛନ୍ତି। ଏଭଳି ଘଟଣା ଜଣାପଡିବା ପରେ ଅଧୀକ୍ଷକ ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, ଜିଇଡିର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ସୂଚନା ଯୋଗ୍ୟ ଯେ, ଶନିବାର ଦିନ ଏସ୍‌ସିବି ଚକ୍ଷୁ ବିଭାଗରେ ବିଦ୍ୟୁତ ସର୍ଟସର୍କିଟ କାରଣରୁ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା। ଗତ ମାସରେ ଅର୍ଥାତ୍‌ ମାର୍ଚ୍ଚ ୮ରେ ଏସ୍‌ସିବି ମେଡିକାଲ ପାଥୋଲୋଜି ବିଭାଗର ସାଇଟୋଲୋଜି ଲ୍ୟାବ୍‌ରେ ମଧ୍ୟ ଏଭଳି ସର୍ଟି ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିଲା।
ସର୍ଟିସର୍କିଟରୁ ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନର ବାଟ ଫିଟିପାରୁନି। ଦୁର୍ବଳ ଭିତ୍ତଭୂମି, ପ୍ୟାନେଲ ଓ ଆଜି ପର୍ଯ୍ୟନ୍ତ ଏମ୍‌ସିଭି ମଧ୍ୟ ଲାଗିପାରୁନି ଏସ୍‌ସିବିରେ। କେବଳ ଅଗ୍ନିକାଣ୍ଡ ଘଟିଲେ ଟିମ୍‌ ଗଠନ କରାଯାଇ ଏହାର କାରଣ ଖୋଜାଯାଉଛି। କିନ୍ତୁ ପରେ ଆସୁଥିବା ତଦନ୍ତ ରିପୋର୍ଟ ଶୀତଳଭଣ୍ଡାରରେ ପଡିରହୁଛି।

ସମ୍ବନ୍ଧିତ ଖବର