ରତ୍ନଭଣ୍ଡାରର ପୁନଃ ଯାଞ୍ଚ ହେବ

ପୁରୀ: ବର୍ଷା ଋତୁରେ ରତ୍ନଭଣ୍ଡାରର ପୁନଃ ଯାଞ୍ଚ ହୋଇପାରେ। ବର୍ଷା ଦିନରେ ଯାଞ୍ଚ କଲେ କେଉଁ ସ୍ଥାନରୁ ପାଣି ଗଳୁଛି ତାହା ଜଣାପଡ଼ିବ। ଗତକାଲି ବାହାର ଭଣ୍ଡାରରୁ ଭିତର ଭଣ୍ଡାର ସ୍ଥିତି ଯାଞ୍ଚ କରାଯାଇଥିଲା। ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ। ସେ ଆଜି ଏଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି, ବାହାର ଭଣ୍ଡାର ଘରେ ଲାଗୁଥିବା ଅଳନ୍ଦୁକୁ ସେ ନିଜେ ସଫା କରିଛନ୍ତି। ଯାଞ୍ଚ ବେଳେ ଭଣ୍ଡାର ଘରର କାନ୍ଥ ଓ ଛାତ ଦୁର୍ବଳ ଥିବା ଜଣାପଡ଼ିଥିଲା ଓ ବିମ୍‌ ଓ ଛାତ ଯୋଡ଼େଇ ସ୍ଥାନରେ ଫାଟ ରହିଥିବା ଦୃଷ୍ଟିଗୋଚର ହୋଇଛି। ସେହିପରି ଭିତର ରତ୍ନଭଣ୍ଡାର ଚାବି ଟ୍ରେଜେରିରେ ଜମା କରାଯାଇନାହିଁ ବୋଲି ସେ କହିଛନ୍ତି।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା କହିଛନ୍ତି, ଭିତର ଭଣ୍ଡାର ସ୍ଥିତି ଯାଞ୍ଚ କରିବା ପ୍ରତିନିଧି ଦଳର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପ୍ରତିନିଧି ଦଳ ଯେହେତୁ ବାହାରୁ ସ୍ଥିତି ସନ୍ତୁଷ୍ଟ ହେଲେ, ଏଣୁ ସେ କ୍ଷେତ୍ରରେ ଭିତର ଭଣ୍ଡାର ଖୋଲି ସାଧାରଣ ଲୋକଙ୍କ ଭାବାବେଗକୁ ଆଘାତ ଦେବାର କୌଣସି କାରଣ ନାହିଁ। ଏମିତିରେ ବି ଯେଉଁ ଚାବି ପ୍ରଶାସନ ହାତରେ ରହିଛି, ଯେହେତୁ ତା’ର ବ୍ୟବହାର ହୋଇନାହିଁ, ଏଣୁ ଠୋସ୍‌ ଭାବେ ଚାବି ଯେ ନାହିଁ, ଏକଥା କହିହେବ ନାହିଁ।

ଉଲ୍ଲେଖଯୋଗ୍ୟ, ୧୬ଜଣିଆ ପ୍ରତିନିଧି ଦଳ ରତ୍ନଭଣ୍ଡାର ଯାଞ୍ଚ କରି ଫେରିଛନ୍ତି। ଆଜି ହାଇକୋର୍ଟରେ ଏ ସଂକ୍ରାନ୍ତରେ ମନ୍ଦିର ପ୍ରଶାସନ ରିପୋର୍ଟ ଦାଖଲ କରିଛନ୍ତି। ତେବେ ଏଥିରେ କଣ ଉଲ୍ଲେଖ ରହିଛି, ତାହା ଜଣାପଡିନାହିଁ।

ସମ୍ବନ୍ଧିତ ଖବର