ଆଉ ଜଣେ କରୋନା ପଜିଟିଭ୍: କଳାହାଣ୍ଡିର ୨୯ ବର୍ଷୀୟ ଯୁବକ, ନିକଟରେ ବାହାରିନ୍ରୁ ଫେରିଥିଲେ
ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୨୧ ଛୁଇଁଲା, ବାହାର ରାଜ୍ୟରୁ ଆସିଛି ସଂକ୍ରମଣ
ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ଜଣଙ୍କ ନମୁନା କରୋନା ପଜିଟିଭ୍ ଆସିଛି। ଆକ୍ରାନ୍ତ ହୋଇଥିବା ଏହି ୨୯ ବର୍ଷୀୟ ଯୁବକଙ୍କ ଘର କଳାହାଣ୍ଡି ଜିଲ୍ଲାରେ। ସେ କିଛିଦିନ ତଳେ ବାହାରିନ୍ରୁ ଫେରିଥିଲେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସଂପୃକ୍ତ ଯୁବକ ଜଣକ ଏଯାଏ କେତେଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଛୁଇଁଛି। ଗତକାଲି ରାଜ୍ୟରେ ଏକାଥରେ ୧୫ ଜଣଙ୍କ ନମୁନା ପଜିଟିଭ୍ ଆସିବା ପରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା। ତେବେ ଆଜି ପଠାଯାଇଥିବା ୩୦୪ଟି ନମୁନା ଭିତରୁ କେବଳ ଗୋଟିଏ ପଜିଟିଭ୍ ଆସିଥିଲା। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୬୯୯ ନମୁନା ପରୀକ୍ଷା କରାଯାଇ ସାରିଲାଣି। ସେଥିମଧ୍ୟରୁ ୨୧ଟି ପଜିଟିଭ୍ ଆସିଥିବାବେଳେ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଗଲେଣି।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ରାଜଧାନୀର ସୂର୍ଯ୍ୟନଗର ଓ ବମିଖାଲ ଅଞ୍ଚଳରୁ କରୋନା ସଂକ୍ରମିତ ଚିହ୍ନଟ ହେବା ରାଜ୍ୟ ସରକାରଙ୍କ ମୁଣ୍ଡବିନ୍ଧା ବଢ଼ିଥିଲା। ସୂର୍ଯ୍ୟନଗରର ଆକ୍ରାନ୍ତ ବ୍ୟକ୍ତି ବାହାରକୁ ଯାଇ ନ ଥିବା ଓ ବମିଖାଲ ଅଞ୍ଚଳର ବ୍ୟକ୍ତି ଯାତ୍ରା ଇତିହାସ ଖୋଜିବାରେ ଲାଗି ପଡ଼ିଥିଲା ପ୍ରଶାସନ। ତେବେ ଆଜି ଏହି ଦୁଇ ଘଟଣାରେ ଯାତ୍ରା ଇତିହାସ ସଂପର୍କରେ ସୂଚନା ମିଳିଛି। ସେମାନଙ୍କ ପରିବାରର ବ୍ୟକ୍ତି ବାହାର ରାଜ୍ୟରେ କରୋନା ସଂକ୍ରମିତ ହୋଇଥିବା ସାମ୍ନାକୁ ଆସିଛି। ଯାହାଫଳରେ ଏହି ଦୁଇ ଅଞ୍ଚଳରେ ଚିହ୍ନଟ ହୋଇଥିବା ବ୍ୟକ୍ତି ମଧ୍ୟ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ।
ସାମ୍ନାକୁ ଆସିଲା ସୂର୍ଯ୍ୟନଗର ଓ ବମିଖାଲ ସଂକ୍ରମିତଙ୍କ ଯାତ୍ରା ଇତିହାସ
ପୁରୀ ଜିଲ୍ଲା ସଂକ୍ରମିତ ଦିଲ୍ଲୀରୁ ଫେରିଛନ୍ତି
ଆଜି ସଂଧ୍ୟାରେ ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀରେ ବିଏମ୍ସି କମିସନର କହିଲେ, ସୂର୍ଯ୍ୟନଗରର ଆକ୍ରାନ୍ତ ବ୍ୟକ୍ତିଙ୍କ ପରିବାରର ଜଣେ ସଦସ୍ୟ କିଛିଦିନ ତଳେ କୋଲକାତା ଯାଇଥିଲେ। ସେଠାରେ ସେ ୪ଦିନ ରହିଛନ୍ତି। ସଂପୃକ୍ତ ବ୍ୟକ୍ତି ମଧ୍ୟ ଗତକାଲି କୋଭିଡ-୧୯ରେ ପଜିଟିଭ୍ ରହିଥିବା ଜଣାପଡ଼ିଛି। ଏହାସହ ସେମାନଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଛି। ସେହିପରି ବମିଖାଲ ଅଞ୍ଚଳରେ ଗତକାଲି ୩ ଭାଇ କରୋନା ସଂକ୍ରମିତ ଘଟଣାରେ ମଧ୍ୟ ବାହାର ରାଜ୍ୟର ସଂଯୋଗ ପ୍ରମାଣିତ ହୋଇଛି। ସେମାନଙ୍କ ବାପା ଭୋପାଳରେ ରହୁଥିବା ବେଳେ ସେ ମଧ୍ୟ ସେଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ଘଟଣାରେ ମଧ୍ୟ ବାହାରୁ ସଂକ୍ରମଣ ହୋଇଛି।
ଅନ୍ୟପକ୍ଷରେ ପୁରୀ ଜିଲ୍ଲାରେ ଗତକାଲି ଚିହ୍ନଟ ହୋଇଥିବା କରୋନା ସଂକ୍ରମିତ ବ୍ୟକ୍ତି ରାଜଧାନୀର ବିଜେବି ନଗରରେ ଜଣେ ଡାକ ପିଅନ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ସେ ଗୌତମ ନଗର ଓ କୋର୍ଟ ଅଞ୍ଚଳରେ ଚିଠି ପ୍ରଦାନ କରୁଥିଲେ। ଗତମାସ ୧୦ତାରିଖରେ ସେ ଦିଲ୍ଲୀରୁ ଫେରିଛନ୍ତି। ଏହି ସମୟ ଭିତରେ ସେ ଅନେକ ଚିଠି ବାଣ୍ଟିଥିବା ନଜରକୁ ଆସିଛି। ତେଣୁ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ବାଧ୍ୟତାମୂଳକ ଭାବେ ୧୪ ଦିନ କ୍ବାରାଣ୍ଟିନ୍ ବା ସଙ୍ଗରୋଧ ରହିବାକୁ କୁହାଯାଇଛି। ସେମାନଙ୍କ ମଧ୍ୟରେ ଯଦି କୌଣସି ବ୍ୟକ୍ତିଙ୍କ କରୋନାର ଲକ୍ଷଣ ଜଣାପଡ଼େ ତାହାଲେ ସେମାନେ ୧୦୪ ସହାୟତା ନମ୍ବର ସହିତ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଉଥିବା ଶ୍ରୀ ଚୌଧୁରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଲୋକମାନେ ସ୍ଥାନୀୟ ଅଞ୍ଚଳରେ ମିଳାମିଶା କରିବାର ଆଶଙ୍କା ଥିବାରୁ ସୂର୍ଯ୍ୟନଗର ଓ ବମିଖାଲ ଅଞ୍ଚଳରେ ତଦାରଖ ଜାରି ରହିବ। ଏହି ସମୟରେ ଲୋକମାନେ ରାଜ୍ୟ ସରକାରଙ୍କ ଯେଉଁ ଗାଇଡଲାଇନ୍ ରହିଛି ତାହାକୁ ପାଳନ କରିବା ଜରୁରୀ। ଯେହେତୁ ଏହି ଘଟଣାରେ ରାଜ୍ୟ ବାହାରୁ ସଂକ୍ରମଣ ହୋଇଥିବା ସାମ୍ନାକୁ ଆସିଛି ତେଣୁ ଲୋକମାନେ ଅଯଥାରେ ଭୟଭୀତ ହେବାର କୌଣସି କାରଣ ନାହିଁ। ଏହି ଅଞ୍ଚଳରେ ଜାରି ରହିଥିବା କଣ୍ଟାକ୍ଟ ଟ୍ରେସିଂକୁ ଲୋକମାନେ ସହଯୋଗ କରିବା ପାଇଁ ଶ୍ରୀ ଚୌଧୁରୀ ଅନୁରୋଧ କରିଛନ୍ତି।