ସୁନ୍ଦରଗଡ଼ରେ ଲଜ୍ଜା ଥମୁନି, ନାବାଳିକାଙ୍କୁ ଟେକି ନେଇ ଗଣଦୁଷ୍କର୍ମ
ଦୁଷ୍କର୍ମର ଭିଡିଓ ସୁଟିଂ କରି ଭାଇରାଲ୍ ମଧ୍ୟ କରିଥିଲେ ଅଭିଯୁକ୍ତ
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଆଉ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଛି। କୁଆରମୁଣ୍ଡା ଅଞ୍ଚଳର ଏହି ନାବାଳିକାଙ୍କୁ ଏକ ବିବାହ ଉତ୍ସବରୁ ଟେକିନେଇ ୧୦ ଜଣ ଯୁବକ ଜଣକ ପରେ ଜଣେ ଦୁଷ୍କର୍ମ କରିଛନ୍ତି। ସେ ରାକ୍ଷସମାନଙ୍କର ଗୋଡ଼ ଧରି ନାବାଳିକା ଜଣକ ଭୋ ଭୋ କାନ୍ଦି ଛାଡ଼ି ଦେବାଲାଗି ପ୍ରାର୍ଥନା କରିଥିଲେ ମଧ୍ୟ ସେମାନେ ତରଳି ନାହାନ୍ତି। କେବଳ ସେତିକି ନୁହେଁ, ସେମାନେ ନିଜର ସେହି କୁକର୍ମର ଭିଡିଓ ସୁଟିଂ କରି ତା’କୁ ସୋସିଆଲ୍ ମିଡିଆରେ ଭାଇରାଲ୍ ମଧ୍ୟ କରିଛନ୍ତି। ପୁଲିସ୍ ଦୁଷ୍କର୍ମ ଅଭିଯୁକ୍ତ ଦୁଇ ନାବାଳକଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଅଭିଯୋଗ ଅନୁସାରେ, କୁଆରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ହରପାଲି ଗାଁରେ ଗତ ଜୁଲାଇ ୮ ତାରିଖ ରାତିରେ ଏକ ବିବାହ ଉତ୍ସବ ଚାଲିଥିଲା। ଏହି ବିବାହ ଭୋଜିକୁ ନିକଟସ୍ଥ ଗାଁ ରାମପୁରରୁ ବହୁ ଲୋକ ଆସିଥିଲେ। ରାତି ପ୍ରାୟ ୨ଟା ବେଳେ ଏହି ନାବାଳିକା ଜଣକ ଘର ସମ୍ମୁଖ ରାସ୍ତା ଉପରେ ଛିଡ଼ା ହୋଇ ନିଜର ଜଣେ ସାଙ୍ଗ ସହିତ କଥାବାର୍ତ୍ତା ହେଉଥିବା ବେଳେ ପ୍ରାୟ ୧୦ ଜଣ ତାଙ୍କୁ ଉଠାଇ ନେଇ ନିକଟସ୍ଥ ଜଙ୍ଗଲରେ ଜଣକ ପରେ ଜଣେ ନିର୍ମମ ଭାବେ ଦୁଷ୍କର୍ମ କରିଥିଲେ। ସେମାନେ ଦୁଷ୍କର୍ମ କରୁଥିବା ସମୟର ଭିଡ଼ିଓକୁ ନିଜ ନିଜର ମୋବାଇଲ୍ରେ ରେକର୍ଡିଂ ମଧ୍ୟ କରିଥିଲେ। ଶେଷରେ ନାବାଳିକାଙ୍କୁ ଧମକ ଦେଇଥିଲେ ଯେ ସେସବୁ କାହା ଆଗରେ ପ୍ରକାଶ କଲେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ସେମାନେ ସଫା କରି ଦେବେ। ତେଣୁ ନାବାଳିକା ଜଣକ ସେ ଘଟଣା ପରେ ଘରକୁ ଫେରି ପରିବାର ଲୋକଙ୍କ ଆଗରେ ମୁହଁ ଖୋଲି ନ ଥିଲେ। ତେବେ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ଜଣେ ସେହି ଭିଡିଓକୁ ଭାଇରାଲ୍ କରିବା ପରେ ଗ୍ରାମବାସୀ ଦୁଷ୍କର୍ମ ଦୃଶ୍ୟ ଦେଖି ନାବାଳିକାଙ୍କୁ ଚିହ୍ନଟ କରିଥିଲେ। ଏ ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ପୀଡ଼ିତାଙ୍କୁ ପଚାରିଥିଲେ ଏବଂ ସେ ସବୁକିଛି ଖୋଲି କହିଥିଲେ। ତା’ପରେ ଗତକାଲି ଅପରାହ୍ଣରେ ପୀଡ଼ିତାଙ୍କୁ ନେଇ ପରିବାର ଲୋକେ ବୀରମିତ୍ରପୁର ଥାନାରେ ଏତଲା ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
୧୦ ଅଭିଯୁକ୍ତଙ୍କ ମଧ୍ୟରୁ ୨ ନାବାଳକ ଅଟକ, ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍ର ସ୍ବତନ୍ତ୍ର ଟିମ୍
ଗତକାଲି ଅପରାହ୍ଣରେ ପୀଡ଼ିତା ଏତଲା ଦେବା ପରେ ବୀରମିତ୍ରପୁର ଏସ୍ଡିପିଓ ପ୍ରକାଶ ଚନ୍ଦ୍ର ପାତ୍ର, ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝି ଓ କୁଆରମୁଣ୍ଡା ଫାଣ୍ଡି ଅଧିକାରୀ ହୃଷିକେଶ ବେହେରା ପ୍ରମୁଖ ଗତ ରାତିରେ ରାମପୁର ଗାଁରେ ଚଢଉ କରି ଦୁଇ ଦୁଷ୍କର୍ମକାରୀ ନାବାଳକଙ୍କୁ ଧରି ଥାନାକୁ ଆଣିଥିଲେ। ଅନ୍ୟ ୮ ଜଣ ଗ୍ରାମରୁ ଫେରାର୍ ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ଏକ ପୁଲିସ ଟିମ୍ ଗଠନ ହୋଇଛି। ଖବରପାଇ ଆଜି ଅପରାହ୍ଣରେ ସୁନ୍ଦରଗଡ଼ ଏସ୍ପି ସୌମ୍ୟା ମିଶ୍ର ହରପାଲି ଗ୍ରାମକୁ ଯାଇ ପୀଡ଼ିତାଙ୍କୁ ଭେଟିବା ସହ ଦୁଷ୍କର୍ମସ୍ଥଳ ଯାଞ୍ଚ କରିଥିଲେ। ଫେରାର୍ ଦୁଷ୍କର୍ମକାରୀମାନେ ଖୁବ୍ଶୀଘ୍ର ଧରାପଡ଼ିବେ ବୋଲି ସେ କହିଛନ୍ତି।
ଉଲ୍ଲେଖନୀୟ ଯେ ସୁନ୍ଦରଗଡ଼ ଜିଲ୍ଲାର ହେମଗିର ବ୍ଲକ୍ ଅନ୍ତର୍ଗତ ଗୋପାଲପୁର ଗାଁ ନଦୀପଠାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରା ଯାଇଥିବା ଏବଂ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ବାବୁଡିହିଠାରେ ସିଲେଇ ଶିକ୍ଷା ସାରି ଘରକୁ ଫେରୁଥିବା ଜନୈକା ନାବାଳିକଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଗତକାଲି ସାରା ରାଜ୍ୟକୁ ଥରାଇ ଦେଇଥିଲା। ସେହି ସମାନ ଦିନର ବିଳମ୍ବିତ ରାତିରେ କୁଆରମୁଣ୍ଡା ଅଞ୍ଚଳରେ ଆଗକୁ ଆସିଥିବା ପୁଣି ଆହୁରି ଏକ ନାବାଳିକା ଦୁଷ୍କର୍ମ ଘଟଣା ସାଧାରଣରେ ଚିନ୍ତାର ବିଷୟ ହୋଇଛି।