ଶ୍ରୀମନ୍ଦିର ଭିତରେ ପୁଣି ସେଲ୍‌ଫି : ଗୋଟିଏ ପରିବାରର ୩ ଜଣ ଅଟକ

ପୁରୀ : ପୁଣି ଶ୍ରୀମନ୍ଦିର ଭିତରେ ସେଲ୍‌ଫି ଉଠିଛି। କଟକଣା ସତ୍ତ୍ୱେ ଫଟୋ ଉଠାଇବା ବେଳେ ଗୋଟିଏ ପରିବାରର ୩ ଜଣ ପର୍ଯ୍ୟଟକ ଧରା ପଡ଼ିଛନ୍ତି। ସେମାନେ ହେଉଛନ୍ତି ଉତ୍ତର ପ୍ରଦେଶ ଶାହଜାହାନପୁର ରୋଜା ଜଙ୍କସନ୍‍ ଆଦର୍ଶ ନଗର କଲୋନୀର ହିମାଂଶୁ ଦ୍ଵିବେଦୀ, ୟୁ.କେ. ଦ୍ଵିବେଦୀ ଓ ଇନ୍ଦୁ ଦ୍ଵିବେଦୀ।

ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ବେଳେ ସେମାନେ ସିଂହଦ୍ଵାର ଦେଇ ପ୍ରବେଶ କରିଥିଲେ। କୀର୍ତନ ଚକଡ଼ା ନିକଟରେ ସେମାନେ ଫଟୋ ଉଠାଇବା ବେଳେ ଧରା ପଡ଼ିଛନ୍ତି। ସେମାନଙ୍କ ମୋବାଇଲ ଫୋନ୍‌ ଜବତ କରାଯାଇଛି। ସେମାନଙ୍କୁୁ ପ୍ରଥମେ ଗାରଦ ଓ ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରାତି ୮ଟା ପର୍ଯ୍ୟନ୍ତ ବସାଯାଇଛି। ସେମାନଙ୍କର ଆଜି ଭୁବନେଶ୍ୱର ଫେରିଯାଇ ସେଠାରୁ ବିମାନ ଯୋଗେ ଦିଲ୍ଲୀ ଯିବାର ଥିଲା। ହେଲେ ସେଲ୍‌ଫି ଯୋଗୁଁ ସେମାନେ ଫସି ଯାଇଛନ୍ତି।

ହିମାଂଶୁ କହିଛନ୍ତି ଯେ, ମନ୍ଦିର ଭିତରେ ମୋବାଇଲ ନିଷିଦ୍ଧ ବୋଲି କେଉଁଠାରେ ଲେଖାଯାଇ ନାହିଁ। ସିଂହଦ୍ଵାର ଦେଇ ପ୍ରବେଶ କରିବା ବେଳେ ମଧ୍ୟ କେହି ଯାଞ୍ଚ ମଧ୍ୟ କଲେ ନାହିଁ। ଯଦି ଆମେ ଜାଣିଥାନ୍ତୁ ଯେ ମୋବାଇଲ ନିଷିଦ୍ଧ ତେବେ ଆମେ ନେଇ ନଥାନ୍ତୁ। ଫୋନ୍‍ ଆସିବା ପରେ ଫୋନ୍‍ରେ କଥା ହୋଇଥିଲି। ସେତେବେଳେ ବି କେହି କିଛି କହିନଥିଲେ। ଯେତେବେଳେ ଫଟୋ ଉଠାଇଲି ସେତେବେଳେ ମୋତେ ଧରି ପକାଇଲେ। ସେଠାରୁ ଟାଣି ଟାଣି ନେଇ ଆସିଲେ। ୧୧ଟାରୁ ୮ଟା ପର୍ଯ୍ୟନ୍ତ ବସିଛୁ। ଖାଇବାକୁ ମଧ୍ୟ ଯାଇନାହୁଁ। କୌଣସି ସ୍ଥାନ ବୁଲିନାହୁଁ। ମହାପ୍ରଭୁଙ୍କୁ ମଧ୍ୟ ଦର୍ଶନ କରିନାହୁଁ। ବେଢ଼ା ବୁଲିବା ପରେ ଭିତରକୁ ଯାଇ ଦର୍ଶନ କରିଥାନ୍ତୁ। ହେଲେ ଏଭଳି ଦଣ୍ଡ ପାଉଛୁ।

ସମ୍ବନ୍ଧିତ ଖବର