ଅଗ୍ନିି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା

ବାଲେଶ୍ୱର/ଚାନ୍ଦବାଲି/ଧାମରା : ଭାରତର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଅଗ୍ନି-୫ର ସଫଳ ପରୀକ୍ଷଣ ହୋଇଛି। ଧାମରାସ୍ଥିତ ହ୍ଵିଲର(ଅବଦୁଲ କଲାମ) ଦ୍ୱୀପର ୪ନଂ ଲଞ୍ଚ୍‌ପ୍ୟାଡରୁ ଆଜି ସକାଳ ୯ଟା ୪୫ ମିନିଟ୍‌ରେ ଏହି ପରୀକ୍ଷଣ ହୋଇଥିଲା। ଭାରତର ଶତ୍ରୁ ଦେଶଗୁଡ଼ିକୁ କଡ଼ା ଟକ୍କର ଦେବା ପାଇଁ ଏହି ପରୀକ୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଟାର୍ଗେଟକୁ ଲକ୍ଷ୍ୟଭେଦ କରିଥିଲା। ପୂର୍ବରୁ ଅଗ୍ନି-୫ର ଏହି କ୍ଷେପଣାସ୍ତ୍ରର ୫ଥର ଯାକ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଥିଲା। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅଗ୍ନି-୫ କ୍ଷେପଣାସ୍ତ୍ର ଷ୍ଟ୍ରାଟେଜିକ୍‌ କମାଣ୍ଡରେ ସୁପରିଚାଳିତ ହୋଇ ୫ହଜାର କିମିରୁ ୮ହଜାର କିମି ଦୂରତ୍ୱକୁ ଲକ୍ଷ୍ୟଭେଦ କରିପାରିବ। ଏହି କ୍ଷେପଣାସ୍ତ୍ରର ପରୀକ୍ଷା ପରେ ଭାରତ ଏକ ବୃହତ୍‌ ସଫଳତା ହାସଲ କରିଥିବା ଆଇଟିଆର ନିର୍ଦେଶକ ଡ. ବିନୟ କୁମାର ଦାସ କହିଛନ୍ତି। ୫୦ ଟନ୍‌ ଓଜନ, ୧୭ ମିଟର ଲମ୍ବ, ମୋଟେଇ ୨ମିଟରର ଏହି କ୍ଷେପଣାସ୍ତ୍ର ୩ ଥାକିଆ ଇଞ୍ଜିନ୍‌ବିଶିଷ୍ଟ କଠିନ ଇନ୍ଧନରେ ପରିଚାଳିତ ହୋଇଥାଏ। ସେକେଣ୍ଡ ପିଛା ୪.୨କିମି ବେଗରେ ଗତିକରିବା ସହ ନିର୍ଦ୍ଧାରିତ ସମୟ ଅର୍ଥାତ୍‌ ୨୦ମିନିଟରେ ଏହା ୫ହଜାର କିମି ଗତି କରିବାର କ୍ଷମତା ରହିଛି। ପରୀକ୍ଷଣ ବେଳେ ନାଭିଗେସନ ସିଷ୍ଟମ ସହ ଗ୍ଲୋବାଲ ପୋଜିସନିଂ ସିଷ୍ଟମରେ ଦେଶରେ ୩ଟି ରାଡାର ଦ୍ୱାରା ଏହାର ଗତିବିଧି ଉପରେ ନଜର ରଖାଯାଇଥିଲା। ଏହି ରାଡାରଗୁଡ଼ିକ ବାଲେଶ୍ୱର, ଚାନ୍ଦିପୁର, ପାରାଦ୍ୱୀପ ଓ ପୋର୍ଟବ୍ଲେୟାରରେ ସ୍ଥାପିତ ହୋଇଥିଲା। ପରୀକ୍ଷଣ ବେଳେ ଅଗ୍ନି-୫ ମିଶନ୍‌ର ସମସ୍ତ ନିର୍ଦେଶକ, ବରିଷ୍ଠ ବୈଜ୍ଞାନିକ ଓ ବୈଷୟିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମିଶନର ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୨ରେ ଅଗ୍ନି-୫ର ପ୍ରଥମ ପରୀକ୍ଷଣ ହୋଇଥିବା ବେଳେ ୨୦୧୩ରେ ଦ୍ୱିତୀୟ ଥର, ୨୦୧୫ରେ ତୃତୀୟ ଥର, ୨୦୧୭ ଚତୁର୍ଥ ଥର ଏବଂ ୨୦୧୮ ଜାନୁଆରି ମାସରେ ଏହାର ପଞ୍ଚମ ଥର ପାଇଁ ସଫଳ ପରୀକ୍ଷଣ ହୋଇଥିଲା।

ସମ୍ବନ୍ଧିତ ଖବର