ଉଦ୍‌ଯାପିତ ହେଲା ଏଗ୍ରିବିକାଶ-୨୦୧୮ : ୫୭ ସବ୍‌ଡିଭିଜନରେ ହେବ ଇ-ନିଆମ କେନ୍ଦ୍ର

ଭୁବନେଶ୍ୱର : ରାଜ୍ୟର ୫୭ଟି ସବ୍‌ ଡିଭିଜନ୍‌ରେ ପ୍ରତିଷ୍ଠା ହେବ ଇ-ନିଆମ(ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅପ୍‌ ଏଗ୍ରିକଲ୍‌ଚରାଲ୍‌ ମାର୍କେଟିଂ) କେନ୍ଦ୍ର। ଫଳରେ କୃଷକ ସିଧାସଳଖ କୃଷି ବଜାର ସହ ଯୋଡ଼ି ହୋଇଯିବ ଓ ତା’ର ଉତ୍ପାଦିତ ସାମଗ୍ରୀକୁ ଉଚିତ ଦରରେ ବିକିବାର ସୁଯୋଗ ପାଇବ। ମୁନାଫା ଖୋର୍‌ ବେପାରୀମାନେ ଆଉ କୃଷକର କଷ୍ଟଲବ୍‌ଧ ଦ୍ରବ୍ୟକୁ କମ୍‌ ମୂଲ୍ୟରେ କିଣି ନେଇପାରିବେ ନାହିଁ। କେନ୍ଦ୍ର ସରକାର ଏଭଳି ଖସଡ଼ା ପ୍ରସ୍ତୁତ କରିଛନ୍ତି ଓ ଓଡ଼ିଶାରେ ଏହାକୁ ଲାଗୁ କରାଯିବ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିଭଳି ଭାଗଚାଷୀମାନଙ୍କ ପାଇଁ କେନ୍ଦ୍ର ସରକାର ନୂତନ ନୀତି ପ୍ରଣୟନ କରିବାକୁ ଯାଉଛନ୍ତି, ଯାହା ଫଳରେ ଭାଗଚାଷୀମାନେ କୃଷି ଋଣଠାରୁ ଆରମ୍ଭ କରି ସମସ୍ତ ସବ୍‌ସିଡି ପାଇବାରେ ହକ୍‌ଦାର ହୋଇପାରିବେ। ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ)ରେ ଚାଲିଥିବା ୨ ଦିନିଆ ଏଗ୍ରିବିକାଶ-୨୦୧୮ର ଉଦ୍‌ଯାପନୀ କାର୍ଯ୍ୟକ୍ରମ ଅବସରରେ ଶ୍ରୀ ପ୍ରଧାନ ଏହି ସୂଚନା ଦେଇଛନ୍ତି।

ମୁଖ୍ୟ ଅତିଥିଭାବେ ଉପସ୍ଥିତ ରହି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ ୟୁଏଇରେ ଓଡ଼ିଶା ଚାଉଳର ଚାହିଦା ବେଶ୍‌ ଅଧିକ। ତେଣୁ କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟ ସରକାର ୟୁଏଇକୁ ଅଣବାସୁମତି ଚାଉଳ ରପ୍ତାନୀ କଲେ, ଧାନ ଚାଷୀମାନେ ବେଶ୍‌ ଲାଭ ପାଇବେ। ବାର୍ଷିକ ୨ କିମ୍ବା ୩ ମିଲିଅନ୍‌ ଟନ୍‌ ଚାଉଳ ଅଧିକ ଦରରେ ୟୁଏଇକୁ ରପ୍ତାନୀ ହୋଇପାରିବ ବୋଲି ସେ ସୂଚନା ଦେଇଥିଲେ। ସେହିଭଳି ରାଜ୍ୟରେ ଉତ୍ପାଦିତ ହେଉଥିବା ଚିଙ୍ଗୁଡ଼ି ଜାପାନ ଓ ଚୀନକୁ ରପ୍ତାନୀ କରାଯାଉଛି। ସେଠାରୁ ସେମାନେ ଆମେରିକାକୁ ରପ୍ତାନୀ କରୁଛନ୍ତି। କିନ୍ତୁ ଏହାକୁ ସିଧାସଳଖ ଆମେରିକାକୁ ରପ୍ତାନୀ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଗଲେ, ଚିଙ୍ଗୁଡ଼ି ଚାଷୀମାନେ ଅଧିକ ଫାଇଦା ପାଇବେ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତଭାବେ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ପ୍ରସ୍ତାବ ରଖିଥିଲେ। ମହାରାଷ୍ଟ୍ର ପରି ରାଜ୍ୟରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସବୁ ବାଦବିବାଦ ପରେ ବି ଚାଷୀମାନଙ୍କ ପାଇଁ ସମସ୍ତେ ଏକାଠି ହୁଅନ୍ତି। ଓଡ଼ିଶାରେ ସେମିତି ହେବାର ଆବଶ୍ୟକତା ରହିଛି। ନିର୍ବାଚନ ଆସିଲେ ତୁ ତୁ ମେଁ ମେଁ ହେବା ସ୍ୱାଭାବିକ। କିନ୍ତୁ ବର୍ଷ ସାରା ଚାଷୀଙ୍କ ସ୍ୱାର୍ଥ ପାଇଁ ମିଶି କାମ କରିବାକୁ ଶ୍ରୀ ପ୍ରଧାନ ଆହ୍ଵାନ ଦେଇଥିଲେ। ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିବା ରାଜ୍ୟ ଯେଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଭାଗଚାଷୀଙ୍କ ପାଇଁ ଓଡ଼ିଶା ସରକାର ନେଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ରାଜ୍ୟ ସରକାର ଭାଗଚାଷୀମାନଙ୍କୁ ଚିହ୍ନଟ କରିବା ପାଇଁ ବହୁ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ କହିଥିଲେ। ପଞ୍ଚାୟତ ସ୍ତରରେ ଭାଗ ଚାଷୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ କମ୍‌ ସୁଧ ହାରରେ କୃଷି ଋଣ ପ୍ରଦାନ, ସବ୍‌ସିଡି ହାର, କୃଷି ଉପକରଣ, ଔଷଧ ଆଦି ପ୍ରଦାନ କରାଯିବାକୁ ନୀତି ପ୍ରଣୟନ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ। ସେହିଭଳି ବଜାରର ଚାହିଦାକୁ ନେଇ କୃଷିଜାତ ଦ୍ରବ୍ୟ ଉତ୍ପାଦନ କରିବାକୁ ଚାଷୀମାନଙ୍କୁ ବିଭିନ୍ନ ତାଲିମ୍‌ ପ୍ରଦାନ କରାଯାଉଛି ଓ ସମ୍ପ୍ରସାରଣ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ସେ କହିଥିଲେ। ଏହି ଅବସରରେ ନିଆମ୍‌ର ନିର୍ଦେଶକ ଡ. ହେମା ଯାଦବ, ପୂର୍ବତନ ସୂଚନା କମିସନର ଜଗଦାନନ୍ଦ ଓ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ସଚିବ ଶୋଭନ କେ ପଟ୍ଟନାୟକ ଉପସ୍ଥିତ ଥିଲେ। ସୋଆର ଅଧିକାରୀ ଶିଶିର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର