ରୋଗପୋକ ଆକ୍ରମଣ ନେଇ ବିଭ୍ରାନ୍ତିକର ପ୍ରଚାର କରାଯାଉଛି

କୃଷି ବିଭାଗ ଟାର୍ଗେଟ୍‌ରେ କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ୱର: ସରକାର ଠିକ୍‌ ସମୟରେ ପଦକ୍ଷେପ ନେଇ ନ ଥିବାରୁ ରୋଗପୋକ ଆକ୍ରମଣରେ ଫସଲ ନଷ୍ଟ ହେଲା ବୋଲି ଅଭିଯୋଗ ଉଠୁଛି। ଖୋଦ୍‌ କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ ବି ଏ ନେଇ ସରକାରଙ୍କ ବିଫଳତାକୁ ଇଙ୍ଗିତ କରିଛନ୍ତି। ଆଜି ଏହି ପ୍ରସଙ୍ଗରେ କୃଷି ବିଭାଗ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇ ସଫେଇ ଦିଆଯାଇଛି। ଏଥିରେ କୃଷି ବିଭାଗ ନିର୍ଦ୍ଦୋଷ ବୋଲି ଦର୍ଶାଯିବା ସହ କିଛି ଦିନ ଧରି ଏହି ପ୍ରସଙ୍ଗରେ ବିଭ୍ରାନ୍ତିକର ପ୍ରଚାର କରାଯାଉଛି ବୋଲି ଏଥିରେ ଦର୍ଶାଯାଇଛି। ବିଭାଗ ତାହାର କାର୍ଯ୍ୟ ଠିକ୍‌ ଭାବେ ତୁଲାଉଛି ବୋଲି ଯୁକ୍ତି ବାଢ଼ିଛି।

ପ୍ରେସ୍‌ ବିଜ୍ଞପ୍ତିରେ କିଏ ବିଭ୍ରାନ୍ତିକର ପ୍ରଚାର କରୁଛି ସେ ସମ୍ପର୍କରେ କିଛି ଉଲ୍ଲେଖ କରାଯାଇ ନାହିଁ। କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ କିମ୍ବା କୌଣସି ରାଜନୈତିକ ଦଳ, ବ୍ୟକ୍ତିବିଶେଷଙ୍କ ନାମ ନିଆଯାଇ ନାହିଁ। କିନ୍ତୁ ପରୋକ୍ଷରେ କୃଷି ରାଷ୍ଟ୍ର ମନ୍ତ୍ରୀଙ୍କୁ ହିଁ ଟାର୍ଗେଟ୍‌ କରାଯାଇଛି। ଆଉ ଏ କଥା ବାରମ୍ବାର ଦୋହରାଯାଇଛି ଯେ କେନ୍ଦ୍ର ସରକାର ଓ ତାଙ୍କ ସଂସ୍ଥାଙ୍କ ଦୋଷ ବାହାର କରିବା ନୁହେଁ, ସେମାନଙ୍କ ମିଶି କାମ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ସେମାନେ ସହଯୋଗ କରିବା ଦରକାର।

ପ୍ରେସ୍‌ ବିଜ୍ଞପ୍ତିରେ ଦର୍ଶାଯାଇଛି, କିଛି ଦିନ ହେଲା ବାରମ୍ବାର କୁହାଯାଉଛି ଯେ କେନ୍ଦ୍ର ସରକାରଙ୍କ ସଂସ୍ଥା ଅକ୍ଟୋବର ପ୍ରଥମ ସପ୍ତାହରେ ଚକଡ଼ା ଆକ୍ରମଣ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଥିଲା। କିନ୍ତୁ ବାସ୍ତବ କଥା ହେଲା କଟକସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ର(ଏନ୍‌ଆର୍‌ଆର୍‌ଆଇ) ୧୫ ଦିନରେ ଥରେ ନିଜ େଓ୍ଵବ୍‌ସାଇଟ୍‌ରେ କୃଷି ମାର୍ଗଦର୍ଶିକା ଜାରି କରନ୍ତି। ରାଜ୍ୟ ସରକାରଙ୍କ ନିକଟରୁ ଏହି ମାର୍ଗଦର୍ଶିକା ସେମାନେ କେବେ ପଠାନ୍ତି ନାହିଁ। ତେଣୁ ଅକ୍ଟୋବର ପ୍ରଥମାର୍ଦ୍ଧରେ ଜାରି କରାଯାଇଥିବା ମାର୍ଗଦର୍ଶିକା ମଧ୍ୟ ପଠାଇ ନାହାନ୍ତି। ତେବେ ଏନ୍‌ଆର୍‌ଆର୍‌ଆଇର ଏହି ମାର୍ଗଦର୍ଶିକାରେ ଧାନକୁ ଆକ୍ରମଣ କରୁଥିବା ରୋଗପୋକ ସମ୍ପର୍କରେ ଉଲ୍ଲେଖ ରହିଛି। ଅକ୍ଟୋବର ଦ୍ୱିତୀୟାର୍ଦ୍ଧରେ ଆସିଥିବା ମାର୍ଗଦର୍ଶିକାରେ ମଧ୍ୟ ସମାନ କଥା ଉଲ୍ଲେଖ ରହିଛି।

କୃଷି ବିଭାଗ ସ୍ପଷ୍ଟ ଭାବେ କହିଛି ଯେ ଅକ୍ଟୋବରରେ ଜାରି କରାଯାଇଥିବା ଦୁଇଟି ଯାକ ମାର୍ଗଦର୍ଶିକାରେ ଚକଡ଼ା ନେଇ ସ୍ୱତନ୍ତ୍ର ଭାବେ କିଛି ପରାମର୍ଶ ଦିଆଯାଇ ନାହିଁ। ଅପର ପକ୍ଷରେ ରାଜ୍ୟ ସରକାର କୃଷକମାନଙ୍କ ପାଇଁ ମାର୍ଗଦର୍ଶିକା ବିଭିନ୍ନ ଅଗ୍ରଣୀ ଖବରକାଗଜ ଓ ଚ୍ୟାନେଲ୍‌ ମାଧ୍ୟମରେ ଅକ୍ଟୋବର ୧୮ ତାରିଖ ଠାରୁ ନିୟମିତ ଭାବେ ପ୍ରସାରଣ କରିଛନ୍ତି।

ଭୁଲ୍‌ କୀଟନାଶକ ପ୍ରୟୋଗ ନେଇ ବିଭାଗ ସ୍ପଷ୍ଟୀକରଣ ଦେଇଛି, କୃଷି ସମ୍ପ୍ରସାରଣ କର୍ମଚାରୀମାନେ ଭୁଲ୍‌ କୀଟନାଶକ ପ୍ରୟୋଗ ନେଇ ପରାମର୍ଶ ଦେଇଥିବା ସମ୍ପର୍କରେ ପ୍ରଚାର କରାଯାଉଛି। ବାସ୍ତବରେ ପ୍ରତି ରୋଗପୋକ ପାଇଁ ଏକାଧିକ କୀଟନାଶକର ତାଲିକା କରାଯାଇଛି। ସେଗୁଡ଼ିକୁ ହିଁ ପ୍ରୟୋଗ କରିବାକୁ ପରାମର୍ଶ ଦିଆଯାଏ। ନିର୍ଦ୍ଦିଷ୍ଟ ଭାବେ ଚକଡ଼ା ପାଇଁ ୧୧ଟି କୀଟନାଶକର ତାଲିକା ରହିଛି। ଏହାକୁ ଓୟୁଏଟି, ସିଆଇବି, ଏନ୍‌ଆର୍‌ଆର୍‌ଆଇ ଆଦି ସଂସ୍ଥା ସ୍ୱୀକୃତି ଦେଇଛନ୍ତି। କୀଟନାଶକ ପ୍ରୟୋଗ ନେଇ ସବୁ ଜିଲ୍ଲାରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ୧୦ ହଜାରରୁ ଅଧିକ ଶିବିର କରାଯାଇଛି। କୀଟନାଶକ ଦୋକାନରେ ୬୦୦ରୁ ଅଧିକ ଯାଞ୍ଚ୍‌ କରାଯାଇଛି। ଭୁଲ୍‌ ବ୍ରାଣ୍ଡ୍‌ ଧରାପଡ଼ିବା ଯୋଗୁଁ ୧୧ଟି ମାମଲା କରାଯାଇ ଦୋକାନୀଙ୍କୁ ନୋଟିସ୍‌ କରାଯାଇଛି। ୫୮ଟି ନମୁନା ଫରିଦାବାଦସ୍ଥିତ ସେଣ୍ଟ୍ରାଲ୍‌ ଇନ୍‌ସେକ୍ଟିସାଇଡ୍‌ ଲାବୋରଟାରିକୁ ପଠାଯାଇଛି। ସେଠାରୁ ରିପୋର୍ଟ ଆସିଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ସମ୍ପର୍କରେ କୃଷି ବିଭାଗ ଦର୍ଶାଇଛି, ଆର୍‌କେଭିଓ୍ଵାଇ ଓ ଏନ୍‌ଏଫ୍‌ଏଏ ପରି ଯୋଜନାକୁ ନିୟମିତ ଭାବେ ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ତଦାରଖ କରୁଛନ୍ତି। ଖର୍ଚ୍ଚ ହିସାବରେ ପାଣ୍ଠି ମିଳୁଛି। ଗତ ୧୨ ତାରିଖରେ ଭୁବନେଶ୍ୱରରେ ହୋଇଥିବା ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା, ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି ଓ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ପ୍ୟାକେଜ୍‌ ଘୋଷଣାକୁ କାର୍ଯ୍ୟକାରୀ କରାଯାଉଛି। ଋଣ ଉପରେ ସୁଧ ଛାଡ଼ ନେଇ ପ୍ରୋତ୍ସାହନ ଦେବାକୁ ଭାରତ ସରକାରଙ୍କ ସହଯୋଗ ଲୋଡ଼ାଯାଇଛି। ଏହା ବାଦ୍‌ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ସ୍ମାରକପତ୍ର ଦିଆଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କ ଠାରୁ ୧୭୧୩.୭୫ କୋଟି ଟଙ୍କା ମଗାଯାଇଛି। ଏହି ଅର୍ଥରେ କୀଟନାଶକ ଲାବରୋଟାରିକୁ ଆଧୁନିକୀକରଣ କରିବା, ମାଛଚାଷ ଓ ପଶୁପାଳନ ମାଧ୍ୟମରେ ଚାଷୀଙ୍କୁ ବିକଳ୍ପ ଜୀବନଧାରଣର ସୁଯୋଗ ଦେବା, ମତ୍ସ୍ୟଚାଷ ଭିତ୍ତିଭୂମିକୁ ଉନ୍ନତ କରିବା, ବୋର୍‌େଓ୍ଵଲ୍‌ ଓ ଉଠା ଜଳସେଚନ ପଏଣ୍ଟ୍‌ଗୁଡ଼ିକ ବଢ଼ାଇବା ଇତ୍ୟାଦି କାର୍ଯ୍ୟ କରାଯିବ। ୧୨ ତାରିଖ ପରେ ଚାଷୀଙ୍କୁ ସହାୟତା ପାଇଁ ଗଣମାଧ୍ୟମରେ ବିବୃତି ଦିଆଚାଲିଥିଲେ ବି ରାଜ୍ୟ ସରକାରଙ୍କ ସ୍ମାରକପତ୍ର ନେଇ ପଦୁଟିଏ କୁହାଯାଉ ନାହିଁ ବୋଲି କୃଷି ବିଭାଗର ପ୍ରେସ୍‌ ବିଜ୍ଞପ୍ତିରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର