ଶିକ୍ଷା ପର୍ଯ୍ୟଟନ ବ୍ୟବସ୍ଥା ଆରମ୍ଭ କରିବ ଏଆଇସିଟିଇ

ବୈଷୟିକ ଶିକ୍ଷା ପାଠ୍ୟକ୍ରମରେ ସିଟ୍‌ ପୂରଣ ଚିନ୍ତା

ଭୁବନେଶ୍ୱର :ଦେଶରେ ଥିବା ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ସିଟ୍‌ ଖାଲି ରହିଥିବାରୁ ଚିନ୍ତା ପ୍ରକଟ କରିଛି ଅଲ୍‌ ଇଣ୍ଡିଆ କାଉନସିଲ୍‌ ଫର୍‌ ଟେକ୍ନିକାଲ ଏଜୁକେସନ (ଏଆଇସିଟିଇ)। ଇଞ୍ଜିନିୟରିଂ, ଆର୍କିଟେକଚର, ମ୍ୟାନେଜମେଣ୍ଟ, ଫାର୍ମାସି, ଆର୍ଟ ଆଣ୍ଡ କ୍ରାଫ୍ଟ ପରି ପାଠ୍ୟକ୍ରମରେ ଶିକ୍ଷାଦାନ ଲାଗି ଦେଶରେ ୧୦, ୩୦୦ ଶିକ୍ଷାନୁଷ୍ଠାନରେ ୩୮ ଲକ୍ଷ ସିଟ୍‌ ରହିଛି। ସେଥିମଧ୍ୟରୁ ପ୍ରତିବର୍ଷ ପ୍ରାୟ ୧୮ ଲକ୍ଷ ସିଟ୍‌ ଖାଲି ପଡ଼ୁଛି। ପିଲା ହେଉ ନ ଥିବାରୁ ଅଧିକାଂଶ କଲେଜରେ ପାଠ୍ୟକ୍ରମ ବନ୍ଦ ହୋଇଯାଉଛି। ତାହାକୁ ଦୃଷ୍ଟିରେ ରଖି ବିଭିନ୍ନ ପାଠ୍ୟକ୍ରମରେ ବ୍ୟାପକ ପରିବର୍ତନ କରିଛି ଏଆଇସିଟିଇ। ପିଲାମାନେ ଯେପରି ନିଯୁକ୍ତି ସୁଯୋଗ ପାଇପାରିବେ ତାହାକୁ ଆଧାର କରି ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଏଥିସହ ୨୦୧୮-୧୯ ଶିକ୍ଷାବର୍ଷରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶିକ୍ଷା ପର୍ଯ୍ୟଟନ ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ଏଆଇସିଟିଇ ଉପାଧ୍ୟକ୍ଷ ଏମ୍‌.ପି. ପୁନିଆ କହିଛନ୍ତି।

ଓଏମ୍‌ସିଏ ମ୍ୟାନେଜ୍‌ମେଣ୍ଟ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ଅବସରରେ ଶ୍ରୀ ପୁନିଆ କହିଥିଲେ ଯେ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାରେ ଆମେ ବିଫଳ ହେଉଛୁ। ପ୍ରତିବର୍ଷ ମାତ୍ର ୩୨ ହଜାର ବିଦେଶୀ ଛାତ୍ରଛାତ୍ରୀ ବୈଷୟିକ ଶିକ୍ଷା ଗ୍ରହଣ କରିବାକୁ ଭାରତ ଆସୁଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ଏହି ସଂଖ୍ୟାକୁ ୫ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଲକ୍ଷ୍ୟରେ ବିଦେଶରେ ରୋଡ ସୋ’ କରାଯିବ। ଏଥିରେ ଭାରତରେ ଥିବା ଶିକ୍ଷାର ଭିତ୍ତିଭୂମିକୁ ଉପସ୍ଥାପିତ କରାଯିବ। ପ୍ରମୁଖ ଶିକ୍ଷାନୁଷ୍ଠାନ, ପାଠ୍ୟକ୍ରମ, ନିଯୁକ୍ତି ସୁଯୋଗ ସମ୍ପର୍କରେ ଅବଗତ କରାଯିବ। କେନ୍ଦ୍ର ସରକାର ଏଦିଗରେ ପଦକ୍ଷେପ ନେଲେ, ପିଲାଙ୍କ ଆଗମନ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ଶ୍ରୀ ପୁନିଆଙ୍କ ସୂଚନା ଅନୁଯାୟୀ ୨୦୧୭-୧୮ ଶିକ୍ଷାବର୍ଷରୁ ଏଆଇସିଟିଇ ପକ୍ଷରୁ ବିଭିନ୍ନ ପାଠ୍ୟକ୍ରମରେ ପରିବର୍ତନ କରାଯାଇଛି। ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି, ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ, ଶିକ୍ଷାନୁଷ୍ଠାନ ଉପଯୋଗୀ ପାଠ୍ୟକ୍ରମ ପ୍ରଚଳନ ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଚାକିରି କରିବା ସହ ଶିକ୍ଷା ଗ୍ର୍ରହଣ କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ଲାଗି ସନ୍ଧ୍ୟା ସମୟରେ ଶିକ୍ଷାଦାନ ଲାଗି ବ୍ୟବସ୍ଥା ହେଉଛି। ଏହାଦ୍ୱାରା ସେମାନେ ବି ଉଚ୍ଚଶିକ୍ଷା ଗ୍ରହଣ କରିପାରିବେ। ଶିକ୍ଷକ ତାଲିମ ନୀତି ଆରମ୍ଭ ହୋଇଛି। ଏହାଦ୍ୱାରା ଶିକ୍ଷକମାନଙ୍କୁ ୬ ମାସିଆ ତାଲିମ ଦିଆଯିବ। ସେମାନେ ଶିଳ୍ପାନୁଷ୍ଠାନକୁ ଯାଇ ପ୍ରାକ୍ଟିକାଲ ଶିକ୍ଷା ଗ୍ରହଣ କରିବେ। ସେସମ୍ପର୍କରେ ପିଲାଙ୍କୁ ତାଲିମ ଦେବେ। ଫଳରେ ପିଲାମାନେ ଥିଓରି ସହ ପ୍ରାକ୍ଟିକାଲ ଶିକ୍ଷା ବି ଗ୍ରହଣ କରିପାରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର