ପରିବାରରୁ ବାସନ୍ଦ ହେଲେ ଏଡ୍‌ସ ଦମ୍ପତି

ଜଗତସିଂହପୁର : ଏଡ୍‌ସ ରୋଗରେ ଆକ୍ରାନ୍ତ ଏରସମା ବ୍ଲକ୍‌ କୁଞ୍ଜକୋଠି ଅଞ୍ଚଳର ଏକ ଦମ୍ପତି ପାଇଁ ବଞ୍ଚିବା ମୁସ୍କିଲ୍‌ ହୋଇଛି। ରୋଗାକ୍ରାନ୍ତ ଖବର ଜଣାପଡ଼ିବା ପରେ ଏହି ଦମ୍ପତିକୁ ନିଜ ଘରେ ବାସନ୍ଦ କରାଯାଇଛି। ପ୍ରଥମେ ଭାତ ହାଣ୍ଡି ଓ ବାସନକୁସନ ଛୁଇଁବାକୁ ମନା କରାଯିବା ପରେ ଘରୁ ବାହାର କରି ଦିଆଯାଇଛି। ପୃଥକ ହୋଇ ଚଳୁଥିବା ଏହି ଦମ୍ପତିଙ୍କୁ ନିଶାପ ଜରିଆରେ ଗାଁରୁ ବାସନ୍ଦ କରିବା ଚକ୍ରାନ୍ତ ଚାଲିଥିବା ଜଣାପଡ଼ିଛି।

ଏରସମା ବ୍ଲକ୍‌ କୁଞ୍ଜକୋଠି ପଞ୍ଚାୟତ ଅଞ୍ଚଳରେ ରହୁଥିବା ରଂଜନ ସାହୁ(ଛଦ୍ମ ନାମ) ହାଇଦ୍ରାବାଦରେ ଚାକିରି କରିଥିବା ବେଳେ ସେଠାକାର ଯୁବତୀ କଳ୍ପନା(ଛଦ୍ମନାମ)ଙ୍କୁ ବିବାହ କରିଥିଲେ। କଳ୍ପନା ଏଡ୍‌ସ ଆକ୍ରାନ୍ତ ବୋଲି ରଂଜନ ଜାଣିନଥିଲେ। ବିବାହର କିଛିମାସ ପରେ ହଠାତ୍‌ କଳ୍ପନାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା। ରକ୍ତ ପରୀକ୍ଷାରେ ତାଙ୍କୁ ଏଡ୍‌ସ ହୋଇଥିବା ଜଣାପଡ଼ିଥିଲା ଓ ଏହାର କିଛି ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ସେତେବେଳକୁ ରଂଜନଙ୍କ ଶରୀରରେ ଏଡ୍‌ସ ଭୂତାଣୁ ସଂକ୍ରମିତ ହୋଇ ସାରିଥିଲା। ପତ୍ନୀ ଚାଲିଯିବା ପରେ ମାନସିକ ଅବସ୍ଥା ଠିକ୍‌ ନ ରହିବା ଯୋଗୁଁ ରଂଜନ ନିଜ ଗାଁକୁ ଚାଲି ଆସିଥିଲେ। ୨୦୧୦ ମସିହାରେ ହଠାତ୍‌ ସେ ଅସୁସ୍ଥ ହୋଇପଡ଼ିଥିଲେ। ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ରଂଜନଙ୍କ ବଡ଼ ଭାଇ ତାଙ୍କୁ ଏସ୍‌ସିବିକୁ ନେଲେ। ପରୀକ୍ଷା ପରେ ତାଙ୍କୁ ଏଡ୍‌ସ ହୋଇଥିବା ଡାକ୍ତର ଜଣାଇବା ସହ କଥାକୁ ପ୍ରଘଟ ନ କରିବାକୁ ବଡ଼ଭାଇଙ୍କୁ ପରାମର୍ଶ ଦେଇଥିଲେ। ମାତ୍ର ଏଡ୍‌ସ ହୋଇଥିବା କଥା ଜାଣି ବଡ଼ଭାଇ ତାଙ୍କୁ ହସ୍‌ପିଟାଲରେ ଛାଡ଼ି ଦେଇ ଚାଲି ଆସିଥିଲେ। ଗୁରୁତର ଅସୁସ୍ଥ ରଂଜନ ଆଉ କୌଣସି ବାଟ ନପାଇ ସେଠାରେ ୧୫ଦିନରୁ ରହି ଚିକିତ୍ସିତ ହୋଇଥିଲେ।

ସାମାନ୍ୟ ସୁସ୍ଥ ହୋଇ ଫେରିବା ପରେ ରଂଜନଙ୍କୁ ଆଉ ଘରେ ପୂରାଇ ଦିଆଯାଇନଥିଲା। ବଡ଼ଭାଇ ତାଙ୍କୁ ସମ୍ପୂର୍ଣ୍ଣ ବାସନ୍ଦ କରିଦେବାରୁ ସେ ଘର ଛାଡ଼ି ବାହାରେ ରହିଥିଲେ। ତେବେ, ଏହି ସମୟରେ ସେ ଜଣେ ଏଡ୍‌ସ ଆକ୍ରାନ୍ତ ଯୁବତୀଙ୍କୁ ବିବାହ କରିଥିଲେ। ଏହା ଭିତରେ ସେମାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ନେଇଛି ଓ ସେ ଏଡ୍‌ସ ରୋଗରେ ଆକ୍ରାନ୍ତ ନଥିବା ଜଣାପଡ଼ିଛି। ତେବେ, ବଡ଼ଭାଇ ମାରଧର କରିବା ସହ ଗାଳିଗୁଲଜ କରି ତଡ଼ିବା ଚେଷ୍ଟାରେ ରହିଛନ୍ତି। ଏଥିସହିତ ଏହି ଦମ୍ପତିଙ୍କୁ ଗାଁରୁ ବାସନ୍ଦ ପାଇଁ ଉଦ୍ୟମ ହୋଇଥିବା ଜଣାପଡ଼ିଛି। ଏ ନେଇ ରଂଜନ ଏରସମା ଥାନା ଠାରୁ ଆରମ୍ଭ କରି ଜିଲ୍ଲା ଆରକ୍ଷୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ବି କିଛି ସୁଫଳ ମିଳିନାହିଁ।

ସମ୍ବନ୍ଧିତ ଖବର