ଭୁବନେଶ୍ବର : ଚଳିତ ବର୍ଷ ଶେଷ ହେବା ପୂର୍ବରୁ ଭୁବନେଶ୍ବର ଏମ୍ସ ପୂର୍ଣାଙ୍ଗ ରୂପ ନେବ। ୯୧୭ ଶଯ୍ୟା ସହ ୨୫ଟି ମଡ୍ୟୁଲାର୍ ଅପରେସନ୍ ଥିଏଟର(ଓଟି) ଓ ୧୦୨ଟି ଆଇସିୟୁ ଶଯ୍ୟା ପ୍ରତିଷ୍ଠା କରାଯିବ। ଆସନ୍ତା ମାସ ଶେଷ ସୁଦ୍ଧା ୧୪ଟି ମଡ୍ୟୁଲାର୍ ଓଟି କାର୍ଯ୍ୟକ୍ଷମ ହେବ। ଏଣିକି ଭୁବନେଶ୍ବର ଏମ୍ସ ପାଇଁ କେନ୍ଦ୍ରୀୟ ଅନୁଦାନ ମିଳିବାରେ କୌଣସି ବାଧକ ରହିବ ନାହିଁ। ଯେଉଁ ବାବଦରେ କେନ୍ଦ୍ରୀୟ ଅନୁଦାନ ପଡ଼ି ରହିଛି, ସେସବୁକୁ ତୁରନ୍ତ ଅଣାଯିବାକୁ ବ୍ୟବସ୍ଥା କରାଯିବ। ସୋମବାର ଭୁବନେଶ୍ବର ଏମ୍ସର ସପ୍ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭୁବନେଶ୍ବର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ପ୍ରତିଷ୍ଠା ଦିବସ ପାଳନ ଅବସରରେ ପୂର୍ବାହ୍ନରେ ଏମ୍ସ ପରିସରରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା ଓ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିସହିତ ଏମ୍ସ ପକ୍ଷରୁ ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସହଯୋଗରେ ସେଠାରେ ଏକ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଉଦ୍ଯାପନୀ ଉତ୍ସବ ଅବସରରେ ଏମ୍ସ ହସ୍ପିଟାଲରେ ବହୁ ପ୍ରତିକ୍ଷୀତ ଡାଏଲିସିସ୍ ୟୁନିଟ୍ ଲୋକାର୍ପିତ ହୋଇଥିଲା। ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ୧୪ ଶଯ୍ୟା ବିଶିଷ୍ଟ ଡାଏଲିସିସ୍ କେନ୍ଦ୍ରରେ ୧୪ଟି ଅତ୍ୟାଧୁନିକ ମେସିନ୍ ଲାଗିଛି। ଏଥିସହିତ ପ୍ରାୟ ୯ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଦ୍ବିତୀୟ ଏମ୍ଆରଆଇ କେନ୍ଦ୍ରରେ ଏକ ୩-ଟେସ୍ଲା ଏମ୍ଆରଆଇ ମେସିନ୍ ଏବଂ ଏକ ମେଡିକାଲ ଥେରାସ୍କୋପି କେନ୍ଦ୍ର ମଧ୍ୟ ଉଦ୍ଘାଟିତ ହୋଇଛି। ଆସନ୍ତାକାଲିଠାରୁ ଏହି ୩ କେନ୍ଦ୍ର ଲୋକଙ୍କ ସେବାରେ ଲାଗିବ। ଏହି ଅବସରରେ ପ୍ରାରମ୍ଭିକ ସୂଚନା ଦେଇ ନିର୍ଦେଶିକା ଗୀତାଞ୍ଜଳି ବାତ୍ମାନାବାନେ କହିଲେ ଯେ, ଚଳିତ ବର୍ଷ ଭୁବନେଶ୍ବର ଏମ୍ସ ପୂର୍ଣାଙ୍ଗ ହେବ। ୯୧୭ ରୋଗ ଶଯ୍ୟା, ୨୫ ମଡ୍ୟୁଲାର୍ ଓଟି ଓ ୧୦୨ ଆଇସିୟୁ ପ୍ରତିଷ୍ଠା ସରିବ। ମୁଖ୍ୟ ଅତିଥି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ନିଜକୁ ଭୁବନେଶ୍ବର ଏମ୍ସର ଦିଲ୍ଲୀ ପାଇଁ ଆମ୍ବାସଡାର ବୋଲି ଅଭିହିତ କରିଥିଲେ। ତେବେ ଉଦ୍ଯାପନୀ ସଭାରେ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିବା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି(ଆଇଟିଆର୍)ର ନିର୍ଦେଶକ ଡ. ବିନୟ କୁମାର ଦାସ ଓ ବେଙ୍ଗାଲୁରୁ କରୁଣା ଟ୍ରଷ୍ଟର ସମ୍ପାଦକ ପଦ୍ମଶ୍ରୀ ଏଚ୍ ସୁଦର୍ଶନ ମୁଖ୍ୟ ଆକର୍ଷଣ ଥିଲେ। ଉପସ୍ଥିତ ମେଡିକାଲ ଛାତ୍ରମାନଙ୍କୁ ସେମାନେ ବହୁ ଉପାଦେୟ ପରାମର୍ଶ ଦେଇଥିଲେ। ଆମେରିକା ବିନା ସହଯୋଗରେ ଅଗ୍ନି କ୍ଷେପଣାସ୍ତ୍ର ନିର୍ମାଣର ଉଦାହରଣ ଦେଇ ବୈଜ୍ଞାନିକ ଦାସ ଦେଶ ପାଇଁ କାମ କରିବାର ଗର୍ବ ଉପରେ ଆଲୋକପାତ କରିଥିଲେ। ଏମ୍ସ ପରିଚାଳନା କମିଟିର ସଭାପତି ପଦ୍ମଶ୍ରୀ ପ୍ରଫେସର ସୁବ୍ରତ ଆଚାର୍ଯ୍ୟ ନିଜ ବକ୍ତବ୍ୟରେ ଭାରତ ଭଳି ଗରିବ ଦେଶର ଗରିବ ଲୋକଙ୍କ ପ୍ରତି ଥିବା ଡାକ୍ତରମାନଙ୍କ ଦାୟିତ୍ବ ଉପରେ କହିଥିଲେ। ଲୋକଙ୍କ ଭରସା ରକ୍ଷା କରିବା ଓ ପରବର୍ତ୍ତୀ ପିଢ଼ିକୁ ମେଡିକାଲ ଶିକ୍ଷା ଯୋଗାଇବା ଭଳି ଗୁରୁ ଦାୟିତ୍ବ ଉପରେ ସେ ଛାତ୍ରମାନଙ୍କୁ କହିଥିଲେ। ଗରିବ ଆଦିବାସୀ ଅଧ୍ୟୁଷିତ ପାହାଡ଼ୀ ଅଞ୍ଚଳରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ଦିଗରେ ତାଙ୍କ ଟ୍ରଷ୍ଟର ଭୂମିକା ଉପରେ ଏଚ୍ ସୁଦର୍ଶନ କହିଥିଲେ। ଏହି ଅବସରରେ ହସ୍ପିଟାଲ ଅଧୀକ୍ଷକ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି, ଡିନ୍ ସୁଶିଲ୍ ଚନ୍ଦ୍ର ମହାପାତ୍ର, ଉପନିର୍ଦେଶକ ପିକେ ରାୟ, ପୂର୍ବତନ ଡିନ୍ ପ୍ରଫେସର ବିକାଶ ଭାଟିଆ ପ୍ରମୁଖ ଉପସ୍ଥିତ ଥିଲେ।