ଏମ୍‌ସ ଡାକ୍ତରଙ୍କ ସାଂଘାତିକ ତ୍ରୁଟି : ଶିଶୁକୁ ଦେଇଦେଲେ କ୍ୟାନ୍‌ସର୍‌ ଇଞ୍ଜେକ୍‌ସନ୍‌

ଭୁବନେଶ୍ୱର : ଏମ୍‌ସକୁ ଚିକିତ୍ସା ପାଇଁ ଆସିଥିବା ଜଣେ ଶିଶୁକନ୍ୟା ଆଜି ଡାକ୍ତରଙ୍କୁ ଗୁରୁତର ତ୍ରୁଟିର ଶିକାର ହୋଇଛି। ଶିଶୁକନ୍ୟାର ବେକରେ ହୋଇଥିବା ରୋଗ ପାଇଁ ତାଙ୍କୁ କ୍ୟାନସର୍‌ ନିରୋଧୀ ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟାର ଅବସ୍ଥା ଏବେ ଗୁରୁତର ଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ଏମ୍‌ସରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ କର୍ତୃପକ୍ଷ କିନ୍ତୁ ଏଭଳି କୌଣସି ଘଟଣା ସଂପର୍କରେ ଜାଣି ନ ଥିବା କହିଛନ୍ତି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବେକରେ ଫୁଲା ବା ସର୍ଭିକାଲ ଲିମ୍ଫାଜିଓମାରେ ଆକ୍ରାନ୍ତ ଜଣେ ଶିଶୁକନ୍ୟା ଏମ୍‌ସର ଶିଶୁରୋଗ ସର୍ଜରି ବିଭାଗରେ ଭର୍ତି ହୋଇଥିଲା। ଶିଶୁର ଚିକିତ୍ସା କରୁଥିବା ଡାକ୍ତର ତାକୁ ଅସ୍ତ୍ରୋପଚାର ଗୃହକୁ ନେଇଥିଲେ। ଏହି ରୋଗ ପାଇଁ ବେକରେ ଯେଉଁ ଇଞ୍ଜେକସନ୍‌ ଦିଆଯିବା କଥା ତାହା ବଦଳରେ ଡାକ୍ତର କ୍ୟାନସର୍‌ ଇଞ୍ଜେକସନ୍‌ ଦେଇଥିଲେ। ଏଭଳି ଗୁରୁତର ତ୍ରୁଟି ସଂପର୍କରେ ଜଣାପଡ଼ିବା ପରେ ଡାକ୍ତରଙ୍କ ମହଲରେ ଭାଳେଣି ପଡ଼ି ଯାଇଥିଲା। ଶିଶୁର ସ୍ୱାସ୍ଥ୍ୟ କିଭଳି ରହିଛି ସେ ସଂପର୍କରେ ସ୍ପଷ୍ଟ ହୋଇନାହିଁ। ତେବେ ଏମ୍‌ସ କର୍ତୃପକ୍ଷ ଘଟଣାକୁ ଯଥାସମ୍ଭବ ଚାପି ଦେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାହାର ତଦନ୍ତ କରିବା ପରିବର୍ତେ କର୍ତୃପକ୍ଷ ଏଭଳି କୌଣସି ଘଟଣା ଘଟି ନ ଥିବା କହୁଛନ୍ତି।

ଏମ୍‌ସର ନିର୍ଦେଶକ ଡା.ଗୀତାଞ୍ଜଳି ବାଟମନେବାନେ କହିଛନ୍ତି, ଏଭଳି କୌଣସି ଘଟଣା ସଂପର୍କରେ ସେ ଜାଣି ନାହାନ୍ତି। ଆଜି ଦ୍ୱିପ୍ରହରରେ ଦିଲ୍ଲୀରୁ ଫେରିଛନ୍ତି। ଏଭଳି ଘଟଣା ସଂପର୍କରେ ତାଙ୍କୁ କେହି ସୂଚନା ଦେଇ ନାହାନ୍ତି। ତେଣୁ ଯଦି କୌଣସି ଘଟଣା ଘଟିଥାଏ ତେବେ ବିଭାଗୀୟ ଡାକ୍ତରଙ୍କ ସହ ଆଲୋଚନା କରିବା ପରେ ସବୁକିଛି ସ୍ପଷ୍ଟ ହୋଇପାରିବ।

ସମ୍ବନ୍ଧିତ ଖବର