ସରିଲା ଏମ୍‌ସ ପ୍ରବେଶିକା ପରୀକ୍ଷା : ଜୁନ୍‌ ୧୮ରେ ଫଳ ପ୍ରକାଶ ପାଇବ

ଭୁବନେଶ୍ୱର : ଦେଶର ୯ଟି ଏମ୍‌ସ (ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ)ରେ ଥିବା ୮୦୭ଟି ସିଟ୍‌ରେ ନାମ ଲେଖାଇବା ପାଇଁ ହୋଇଥିବା ଦୁଇ ଦିନିଆ ପ୍ରବେଶିକା ପରୀକ୍ଷା ଆଜି ଶେଷ ହୋଇଛି। ଏଥିପାଇଁ ସାରା ଦେଶରେ ୧୫୫ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଥିବାବେଳେ ଓଡ଼ିଶାରେ ୭ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ଭୁବନେଶ୍ୱର ସମେତ ବ୍ରହ୍ମପୁର, ବାଲେଶ୍ୱର, କଟକ, ଢେଙ୍କାନାଳ, ରାଉରକେଲା ଓ ସମ୍ବଲପୁର ସହରରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ଓଡ଼ିଶାରୁ ପ୍ରାୟ ୩୬ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଶନିବାର ଓ ରବିବାର ଦୁଇଟି ସିଟିଂରେ ପରୀକ୍ଷା ହୋଇଥିବାବେଳେ ଜୁନ୍‌ ୧୮ରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।

ଚଳିତବର୍ଷ ଅନ୍‌ଲାଇନ୍‌ ପ୍ରବେଶିକା ପରୀକ୍ଷା ବା କମ୍ପ୍ୟୁଟର୍‌ ବେସଡ୍‌ ଟେଷ୍ଟ(ସିବିଟି) ହୋଇଥିବାବେଳେ ୨୦୦ ମାର୍କର ପରୀକ୍ଷା ହୋଇଥିଲା। ଏଥିରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଜୀବ ବିଜ୍ଞାନ ବିଷୟରୁ ୬୦ ମାର୍କ ଲେଖାଏ ଏବଂ ସାଧାରଣ ଜ୍ଞାନ ଓ ଆପ୍ଟିଚ୍ୟୁଡ୍‌ ଆଣ୍ଡ ଲଜିକାଲ ଥିଙ୍କିଙ୍ଗ୍‌ରେ ୧୦ ମାର୍କ ଲେଖାଏଁର ପରୀକ୍ଷା ହୋଇଥିଲା। ଦୁଇ ଦିନ ଯାକ ପରୀକ୍ଷା ସକାଳ ୯ଟାରୁ ୧୨ଟା ୩୦ ଏବଂ ଅପରାହ୍ନ ୩ଟାରୁ ୬ଟା ୩୦ ପର୍ଯ୍ୟନ୍ତ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ ନାମଲେଖାଇବା ପାଇଁ ପ୍ରଥମ ପର୍ଯ୍ୟାୟ କାଉନ୍‌ସେଲିଂ ଜୁଲାଇ ୩ରୁ ୬ ତାରିଖ, ଦ୍ୱିତୀୟ ପର୍ଯ୍ୟାୟ କାଉନସେଲିଂ ଅଗଷ୍ଟ ୨ରୁ ଓ ତୃତୀୟ ପର୍ଯ୍ୟାୟ କାଉନସେଲିଂ ସେପ୍ଟେମ୍ବର ୪ରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର