ଭୁବନେଶ୍ୱରରୁ ରାୟପୁରକୁ ଉଡ଼ିଲା ଏୟାର ଓଡ଼ିଶା

ଭୁବନେଶ୍ୱର : ଭୁବନେଶ୍ୱରରୁ ରାୟପୁରରେ ପହଞ୍ଚିବାକୁ ଏଣିକି ମାତ୍ର ଦେଢ଼ ଘଣ୍ଟା ଲାଗିବ। ଏହି ଦୁଇ ସହର ମଧ୍ୟରେ ଆଜିଠୁ ବିମାନ ସେବା ଆରମ୍ଭ ହୋଇଛି। ଏୟାର ଓଡ଼ିଶା ପକ୍ଷରୁ ଆରମ୍ଭ ହୋଇଥିବା ଏହି ସେବାକୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦେଶକ ସୁରେଶ ଚନ୍ଦ୍ର ମହାପାତ୍ର ଶୁଭାରମ୍ଭ କରିଛନ୍ତି।

୧୮ ସିଟ୍‌ ବିଶିଷ୍ଟ ଏହି ବିମାନରେ ଦୁଇ ଜଣ ପାଇଲଟ୍‌ ଓ ଜଣେ କ୍ୟାବିନ୍‌ କ୍ରୁ ମେମ୍ବର ରହିଛନ୍ତି। ଆଜି ପ୍ରଥମ ଦିନରେ ମାତ୍ର ୯ ଜଣ ଯାତ୍ରୀଙ୍କୁ ନେଇ ଏହି ବିମାନ ଭୁବନେଶ୍ୱରରୁ ରାୟପୁର ଅଭିମୁଖେ ଯାତ୍ରା କରିଥିଲା। ଏହି ବିମାନ ସେବା ଦ୍ୱାରା ଦୁଇ ରାଜ୍ୟର ରାଜଧାନୀ ମଧ୍ୟରେ ପର୍ଯ୍ୟଟନ, ବାଣିଜ୍ୟ ସମ୍ପର୍କ ବେଶ୍‌ ସୁଦୃଢ଼ ହୋଇପାରିବ। ପୂର୍ବରୁ ରାୟପୁରରୁ ଭୁବନେଶ୍ୱରକୁ କୌଣସି ପ୍ରକାର ବିମାନ ସେବା ନ ଥିଲା। ପ୍ରଥମ ଥର ଲାଗି ଏଭଳି ସେବା ହେବା ଦ୍ୱାରା ବିମାନ ଯାତ୍ରୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ବିମାନଟି ପ୍ରତିଦିନ ସକାଳ ୬ଟା ୧୦ରେ ଭୁବନେଶ୍ୱରରୁ ଉଡ଼ାଣ ଆରମ୍ଭ କରି ୭ଟା ୪୦ରେ ରାୟପୁରରେ ପହଞ୍ଚିବ। ସେଠାରୁ ମଧ୍ୟାହ୍ନ ୧୨ଟା ୧୫ରୁ ବାହାରି ଅପରାହ୍ନ ୧ଟା ୪୦ରେ ଭୁବନେଶ୍ୱରରେ ପହଞ୍ଚିବ। ଏବେ ଯାତ୍ରୀଙ୍କ ପିଛା ଭଡ଼ା ୪୫୦୦ ଟଙ୍କା ରଖାଯାଇଛି।

ସମ୍ବନ୍ଧିତ ଖବର