୨୨ରୁ ଏୟାର ଓଡ଼ିଶା ଉଡ଼ାଣ ଆରମ୍ଭ

ଭୁବନେଶ୍ୱରରୁ ରାୟପୁରକୁ ଯିବ ବିମାନ

ଭୁବନେଶ୍ୱର: ପୁଣି ଥରେ ଏୟାର ଓଡ଼ିଶା ଭୁବନେଶ୍ୱରରୁ ବିମାନ ସେବା ଆରମ୍ଭ କରିବ। ଏନେଇ ଏୟାର ଓଡ଼ିଶା େଓ୍ଵବସାଇଟ୍‌ରେ ସୂଚନା ଦିଆଯାଇଛି। ଏବେ ଭୁବନେଶ୍ୱରରୁ ରାୟପୁରକୁ ବିମାନ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ବିମାନ ସକାଳ ୬ଟା ୧୦ରେ ଭୁବନେଶ୍ୱରରୁ ରାୟପୁର ଅଭିମୁଖେ ଯିବ। ରାୟପୁରରେ ସକାଳ ୭ଟା ୪୦ରେ ପହଞ୍ଚିବ। ରାୟପୁରରୁ ମଧ୍ୟାହ୍ନ ୧୨ଟା ୧୫ରେ ଉଡ଼ାଣ ଆରମ୍ଭ କରି ଭୁବନେଶ୍ୱରରେ ଅପରାହ୍ନ ୧ଟା ୪୦ରେ ଅବତରଣ କରିବ। ଆସନ୍ତା ୨୨ତାରିଖରେ ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ହେବ ବୋଲି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସୂଚନା ଦେଇଛନ୍ତି। ବିମାନବନ୍ଦର ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଏୟାର ଓଡ଼ିଶା ବିମାନ ୬ଏକ୍ସ ୧୧୫ ଭୁବନେଶ୍ୱରରୁ ରାୟପୁର ଯିବ। ସେଠାରୁ ସକାଳ ୮ଟାରେ ଜଗଦଲପୁର ଯିବ। ଜଗଦଲପୁରରୁ ସକାଳ ୯ଟା ୧୦ରେ ବିଶାଖାପାଟଣା ଅଭିମୁଖେ ଯାଇ ୯ଟା ୩୫ରେ ପହଞ୍ଚିବ। ବିଶାଖାପାଟଣାରୁ ବିମାନଟି ଭାୟା ଜଗଦଲପୁର-ରାୟପୁର ହୋଇ ଭୁବନେଶ୍ୱର ଫେରିବ। ବିଶାଖାପଟଣାରୁ ୧୦ଟା ୫ରେ ବାହାରି ଜଗଦଲପୁରରେ ୧୦ଟା ୫୦ରେ ଏବଂ ଜଗଦଲପୁରରୁ ୧୧ଟା ୫ରେ ବାହାରି ରାୟପୁରରେ ୧୧ଟା ୫୫ରେ ପହଞ୍ଚିବ। ଭୁବନେଶ୍ୱରରୁ ରାୟପୁର ପାଇଁ ଉଡ଼ାଣ ଯୋଜନାରେ ବିମାନ ସେବା ଆରମ୍ଭ ହେଉନି। ତେଣୁ ଏହାର ବିମାନ ଭଡ଼ା ପ୍ରାୟ ୫,୫୫୦ଟଙ୍କା ରହିବ ବୋଲି ଜଣାପଡ଼ିଛି। ଏୟାର ଓଡ଼ିଶା େଓ୍ଵବସାଇଟ୍‌ରେ ଏବେ ଏନେଇ ବୁକିଂ ଆରମ୍ଭ ହୋଇଛି। ଆଗାମୀ ଦିନରେ ଏୟାର ଓଡ଼ିଶା ଉଡ଼ାଣ ଯୋଜନାରେ ଭୁବନେଶ୍ୱରରୁ ରାଉରକେଲା ଏବଂ ଝାରସୁଗୁଡ଼ାକୁ ବିମାନ ସେବା ଆରମ୍ଭ କରିବାର ଯୋଜନା ଅଛି।

ସମ୍ବନ୍ଧିତ ଖବର