ଭୁବନେଶ୍ବର : ବିଷ ବଳୟରେ ଅନୁଗୁଳ-ତାଳଚେର। ଏଠାକାର ଲୋକେ ପ୍ରତିଦିନ ପ୍ରଶ୍ବାସରେ ବିଷ ଗ୍ରହଣ କରୁଛନ୍ତି। ଏହି ଦୁଇ ସହରର ବାୟୁ ମଣ୍ତଳରେ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍(ଏନ୍ଓ୨) ମାତ୍ରା ବହୁ ପରିମାଣରେ ବଢ଼ିଯାଇଛି। ଯେଉଁଥିପାଇଁ ବାୟୁ ମଣ୍ଡଳ ପ୍ରଦୂଷିତ ହୋଇଛି। ଏହା ଲୋକଙ୍କୁ ମୃତ୍ୟୁ ମୁଖକୁ ଟାଣି ନେଇପାରେ। ଲୋକଙ୍କ ମଧ୍ୟରେ ପୁରାତନ ରୋଗକୁ ପୁଣିଥରେ ସୃଷ୍ଟି କରିପାରେ। ଫୁସ୍ଫୁସ୍ ନଷ୍ଟ ହେବାର ବି ବହୁ ସମ୍ଭାବନା ରହିଛି। ୟୁରୋପିଆନ୍ ସ୍ପେସ୍ ଏଜେନ୍ସିର ନୂତନ ସାଟେଲାଇଟ୍ର ତଥ୍ୟ ଓ ‘ଗ୍ରିନ୍ପିସ୍’ ପକ୍ଷରୁ କରାଯାଇଥିବା ସମୀକ୍ଷାରୁ ଏଭଳି ତଥ୍ୟ ପଦାକୁ ଆସିଛି। ଗତ ଜୁନ୍ ୧ରୁ ଅଗଷ୍ଟ ୩୧ ମଧ୍ୟରେ ଏହି ତଥ୍ୟ ସଂଗ୍ରହ କରାଯାଇଛି।
ବିଶ୍ବର ୫୦ଟି ଅଧିକ ପ୍ରଦୂଷଣ ସହରକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ଏଥିରେ ଭାରତର ୩ଟି ସହର ରହିଛି। ଦିଲ୍ଲୀ-ଏନ୍ସିଆର ଭାରତର ସବୁଠାରୁ ଅଧିକ ପ୍ରଦୂଷଣ ସହର ଭାବେ ଦର୍ଶାଯାଇଛି। ବାୟୁ ପ୍ରଦୂଷଣ ମାତ୍ରା ଏଠାରେ ସର୍ବାଧିକ। ଯାହାକି ଶରୀର ପାଇଁ ଅଧିକ କ୍ଷତିକାରକ। ପରିବହନ, କୋଇଲା ପାଵାର ପ୍ଲାଣ୍ଟ, ଶିଳ୍ପ ସ˚ସ୍ଥା ଓ କୃଷିଜାତ ଦ୍ରବ୍ୟରୁ ବାହାରୁଥିବା ଧୂଆଁ ପ୍ରଭାବରେ ଦିଲ୍ଲୀ-ଏନ୍ସିଆର ପ୍ରଦୂଷିତ ହେଉଥିବା କୁହାଯାଇଛି। ସେହିପରି ଉତ୍ତରପ୍ରଦେଶ-ମଧ୍ୟପ୍ରଦେଶର ସୋନଭଦ୍ରା ଓ ସି˚ଘ୍ରାଉଲି ଦେଶର ଦ୍ବିତୀୟ ପ୍ରଦୂଷିତ ସହର ଭାବେ ଚିହ୍ନଟ ହୋଇଛି। ଏଠାରେ ବହୁ ପରିମାଣରେ ଶିଳ୍ପ ସଂସ୍ଥା ଗଢ଼ିଉଠିବା ଦ୍ବାରା ପ୍ରଦୂଷଣର ମାତ୍ରା ବଢ଼ିଯାଉଛି। ଅନୁଗୁଳୁ-ତାଳଚେର ଦେଶର ତୃତୀୟ ସହର ପାଲଟିଛି। ଏଠାରେ ଶିଳ୍ପ ସ˚ସ୍ଥାରୁ ବାହାରୁଥିବା ଧୂଆଁ ଓ ପରିବହନ ବ୍ୟବସ୍ଥା ଦ୍ବାରା ପ୍ରଦୂଷଣ ମାତ୍ରା ବଢ଼ୁଛି। ଅନୁଗୁଳ ଓ ତାଳଚେର ଅଞ୍ଚଳରେ ପ୍ରତିଦିନ ହଜାର ହଜାର ଟ୍ରକରେ ସାମଗ୍ରୀ ପରିବହନ ହେଉଥିବାରୁ ଏଭଳି ସମସ୍ୟା ହେଉଥିବା ତଥ୍ୟରୁ ଜଣାପଡ଼ିଛି।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଦେବଦତ୍ତ ବିଶ୍ବାଳ କହିଛନ୍ତି ଯେ ବିଶ୍ବସ୍ତରୀୟ ରିପୋର୍ଟ ବିଷୟରେ ଆମ ପାଖରେ କୌଣସି ଖବର ନାହିଁ। ରାଜ୍ୟର ୬ଟି ସହରରେ ବେଳେବେଳେ ପ୍ରଦୂଷଣର ମାତ୍ରା ବଢ଼ିଯାଉଛି। ସେହି ନନ୍ଆଟେନ୍ମେଣ୍ଟ ସିଟି ମଧ୍ୟରେ ଅନୁଗୁଳ ଓ ତାଳଚେର ରହିଛି। ବିଶେଷକରି ଶୀତଦିନରେ ଏଭଳି ସମସ୍ୟା ସୃଷ୍ଟି ହେଉଛି। କେବଳ ଶିଳ୍ପ ସ˚ସ୍ଥାରୁ ବାହାରୁଥିବା ଧୂଆଁରୁ ହେଉନି।
ଅଧିକ ପରିମାଣରେ ଟ୍ରକ୍ ଚାଲିବା ଦ୍ବାରା ସମସ୍ୟା ଜଟିଳ ହେଉଛି।
ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ଟ୍ରାନ୍ସପୋର୍ଟ କରିଡର୍ କରିବାକୁ କୁହାଯାଇଛି। ଗାଁ ଭିତରେ ଟ୍ରକ୍ ନ ନେବା ପାଇଁ ପରାମର୍ଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।
ପ୍ରଦୂଷଣ ଦୃଷ୍ଟିରୁ ବିଶ୍ବର ୫୦ଟି ସମ୍ବେଦନଶୀଳ ସହର ମଧ୍ୟରେ ୧୯ଟି ସହର କୋଇଲା ଓ ଇନ୍ଧନ ଦ୍ବାରା ପ୍ରଦୂଷିତ ହେଉଥିବା ବେଳେ ଶିଳ୍ପ ସ˚ସ୍ଥାଙ୍କ ଦ୍ବାରା ୧୪ଟି ସହର ପ୍ରଦୂଷିତ ହେଉଛି। ପରିବହନ ଯୋଗୁଁ ପ୍ରଦୂଷିତ ବିଶ୍ବର ୧୦ଟି ସହରର ଏବେ ଶୀର୍ଷରେ ପହଞ୍ଚିଛି। ଏହି ତାଲିକାରେ ଚୀନରେ ୧୦ଟି ପାଵାରପ୍ଲାଣ୍ଟ ଓ ଶିଳ୍ପ କରିଡର୍ ରହିଛି। ପରିବହନ କାରଣ ପାଇଁ ତେହେରାନ୍, ଦୁବାଇ, ଲଣ୍ତନ, ପ୍ୟାରିସ୍ ପରି ପ୍ରମୁଖ ସହର ଏହି ତାଲିକାରେ ରହିଛନ୍ତି। କୃଷିଜାତ ସାମଗ୍ରୀ ଜଳିବା ଦ୍ବାରା କଙ୍ଗୋ ଓ ଆଙ୍ଗୋଲାରେ ବାୟୁ ପ୍ରଦୂଷଣ ମାତ୍ରା ବଢ଼ୁଛି। ସିଓଲ୍, ଜାକର୍ତା ଓ ନୂଆଦିଲ୍ଲୀରେ ଉଭୟ ପରିବହନ, କୋଇଲା ପାଵାର ପ୍ଲାଣ୍ଟ ଏବ˚ ଶିଳ୍ପ ସଂସ୍ଥା ଯୋଗୁଁ ପ୍ରଦୂଷଣର ମାତ୍ରା ବଢ଼ୁଥିବା କୁହାଯାଇଛି।
ଚୀନ୍ର ସବୁଠାରୁ ଅଧିକ ୧୦ଟି ସହର ତାଲିକାରେ ଥିବା ବେଳେ ଆରବର ୮ଟି, ୟୁରୋପର ୪ଟି ସହର, ଭାରତ, ଆମେରିକା ଓ ଡେମୋକ୍ରେଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର ୩ଟି ଲେଖାଏ ସହର ରହିଛି। ଭାରତ, ଦକ୍ଷିଣ ଆଫ୍ରିକା ଓ ଜର୍ମାନୀରେ ଅଧିକ କୋଇଲା ପ୍ଲାଣ୍ଟ ଓ ଚୀନ୍ରେ ସବୁଠାରୁ ଅଧିକ ଷ୍ଟିଲ୍ ପ୍ଲାଣ୍ଟ ରହିଥିବାରୁ ତାହା ଦ୍ବାରା ପ୍ରଦୂଷଣର ମାତ୍ରା ବଢ଼ୁଛି। ଏଥିରେ କୁହାଯାଇଛି ଯେ କୋଇଲା, ଇନ୍ଧନ, ଗ୍ୟାସ ଏବ˚ ବାୟୋମାସ୍ ଜଳିବା ଦ୍ବାରା ବାୟୁ ମଣ୍ତଳରେ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ବହୁ ମାତ୍ରାରେ ବୃଦ୍ଧି ଘଟିଥାଏ। ୯୫ ପ୍ରତିଶତ ଲୋକ ବାୟୁ ପ୍ରଦୂଷଣ ଦ୍ବାରା ଅସୁରକ୍ଷିତ ହୋଇପଡ଼ିଛନ୍ତି। ଏହାଦ୍ବାରା ପ୍ରତିବର୍ଷ ସାରା ବିଶ୍ବରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି।