ଅନିଶ୍ଚିତତା ଘେରରେ ରାଉରକେଲାରୁ ଦୈନିକ ବିମାନ ସେବା : ଏବେ ଉଡ଼ିବନି ବିମାନ! ପୁଣି ସମ୍ପ୍ରସାରଣ ‌ହେବ ରନ୍‌ୱେ

୪୨ରୁ ୭୨ ଆସନ ବିଶିଷ୍ଟ ବିମାନର ସ୍ୱପ୍ନ ଦେଖା ଯାଉଛି

ରାଉରକେଲା : ବିଭାଗୀୟ ଅଧିକାରୀ ଓ ରାଜନୈତିକ ଦଳର ନେତା ନିୟମିତ ଭାବେ ପ୍ରତିଶ୍ରୁତି ଦେଇ ଆସୁଛନ୍ତି। ମାତ୍ର ରାଉରକେଲାରୁ ଦୈନିକ ବିମାନ ସେବା ନିକଟ ଭବିଷ୍ୟତରେ ଆରମ୍ଭ ହେବାର ସମ୍ଭାବନା ଦେଖାଯାଉନାହିଁ। କେବେ ଆରମ୍ଭ ହେବ, କାହା ପାଖରେ କିଛି ନିର୍ଦ୍ଦିଷ୍ଟ ଉତ୍ତର ବି ନାହିଁ। ତେଣୁ ବିମାନ ସେବା ନାଁରେ ସ୍ମାର୍ଟ ସିଟି ବାସିନ୍ଦାଙ୍କୁ ଭୁଆଁ ବୁଲାଯାଉଛି ବୋଲି ଏକ ଧାରଣା ସୃଷ୍ଟି ହୋଇଛି।

ଉଭୟ କେନ୍ଦ୍ର ଓ ରାଜ୍ୟର ଇଚ୍ଛାଶକ୍ତିର ଅଭାବ ଯୋଗୁଁ ରାଉରକେଲାରୁ ଦୈନିକ ବିମାନ ସେବା ଅନିଶ୍ଚିତତା ଭିତରେ ଅଟକିଛି। ୨୦୧୭ ସେପ୍ଟେମ୍ବରରୁ ରାଉରକେଲା ବିମାନବନ୍ଦର ‘ଉଡ଼ାନ’ ଯୋଜନାରେ ସାମିଲ ହୋଇଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରିବାଲାଗି ଅଦ୍ୟାବଧି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସେମିତି କୌଣସି ଠୋସ୍‌ ପଦକ୍ଷେପ ନିଆ ଯାଇନାହିଁ। ଗତ ଡିସେମ୍ବର ବଣିକ ସଂଘର ସଭାପତି ପ୍ରବୀଣ ଗର୍ଗଙ୍କ ନେତୃତ୍ବରେ ଏକ ପ୍ରତିନିଧିଦଳ ନୂଆଦିଲ୍ଲୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ଅନୁପସ୍ଥିତିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିଥିଲେ। ସେତେବେଳେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଆସନ୍ତା ମାର୍ଚ୍ଚରୁ ଦୈନିକ ବିମାନ ସେବା ଆରମ୍ଭ ହେବ ବୋଲି କୁଆଡ଼େ କହିଥିଲେ। ଏଥିପାଇଁ ଥରେ କି ଦୁଇଥର ନୁହେଁ; ତିନି ତିନି ଥର ଟେଣ୍ଡର ଆହ୍ବାନ କରାଯାଇଛି। ଏୟାର ଡେକାନ୍‌, ଏୟାର ଓଡ଼ିଶା ଓ ଏୟାର ଆଲିଆନ୍ସ ସମେତ ଅନ୍ୟାନ୍ୟ ବିମାନ ସେବା କମ୍ପାନି ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ରାଉରକେଲାରୁ କଲିକତା, ଭୁବନେଶ୍ବର ଓ ରାୟପୁରକୁ ବିମାନ ସେବା ଆରମ୍ଭ କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ବ୍ୟବସାୟିକ ଦୃଷ୍ଟିକୋଣରୁ ବିମାନ ସେବା କମ୍ପାନିଗୁଡ଼ିକ ୨୨ ଆସନ ବିଶିଷ୍ଟ ବିମାନ ପାଇଁ ଅରାଜି ହେବାରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପୂର୍ବ ନିଷ୍ପତ୍ତିରୁ ଓହରି ଯାଇଛନ୍ତି। ନିଷ୍ପତ୍ତି ବଦଳାଇ ବର୍ତ୍ତମାନ ୨୨ ସିଟ୍‌ ପରିବର୍ତ୍ତେ ୪୨ରୁ ୭୨ ସିଟ୍‌ ବିଶିଷ୍ଟ ବିମାନ ଅବତରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ରନୱ‌େ ସମ୍ପ୍ରସାରଣ ହେବ, ଭିତ୍ତିଭୂମିର ଆହୁରି ବିକାଶ ହେବ। ପୂର୍ବରୁ ୨୨ଆସନ ବିଶିଷ୍ଟ ଅବତରଣ ପାଇଁ ଥିବା ୬୦୦୦ ଫୁଟ୍‌ ରନୱେକୁ ଆହୁରି ବଢ଼ାଯିବ। ଲୋଡିଂ କ୍ୟାପାସିଟି ଦୃଷ୍ଟିରୁ ରନୱେର ପୁଣି ନୂଆ କାର୍ପେଟିଂ କାମ ହେବ। ତେବେ ଏଥିପାଇଁ ପୂର୍ବରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି।

ଏସବୁ ଦୃଷ୍ଟି କୋଣରୁ ଦେଖିବାକୁ ଗଲେ ଚଳିତ ବର୍ଷ ରାଉରକେଲା ଦୈନିକ ବିମାନ ସେବା ସମ୍ଭାବନା କ୍ଷୀଣ। ଅନ୍ୟପକ୍ଷରେ ଆସନ୍ତା ୨୦୨୩ରେ ଓଡ଼ିଶାରେ ହେବାକୁ ଯାଉଥିବା ହକି ବିଶ୍ବକପ୍‌ ମ୍ୟାଚ୍‌ ରାଉରକେଲାରେ ହେବାକୁ ସ୍ଥିର ହୋଇଥିବାରୁ ୨୦୨୧ ଶେଷ କିମ୍ବା ୨୦୨୨ ସୁଦ୍ଧା ଦୈନିକ ବିମାନ ସେବା ଆରମ୍ଭ କରିବାକୁ ରାଜ୍ୟ ସରକାର କୁଆଡ଼େ ଗୁରୁତ୍ବ ଦେଉଛନ୍ତି। ଯଦି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଉପଯୁକ୍ତ ସମନ୍ବୟ ରହେ, ତେବେ ଅନ୍ତତଃ ହକି ବିଶ୍ବକପ୍‌ ପୂର୍ବରୁ କିଛି ହେବ ବୋଲି ଆଶା କରା ଯାଇପାରେ। ତାହା ଯଦି ନହୁଏ, ତେବେ ରାଉରକେଲାରୁ ଦୈନିକ ବିମାନ ସେବା କେବଳ ରାଉରକେଲା ଇସ୍ପାତ କାରଖାନାକୁ ଆସୁଥିବା ସେଲ୍‌ ଅଧିକାରୀଙ୍କ ବିମାନ ଓ ଘରୋଇ ବିମାନ ଅବତରଣରେ ହିଁ ସବୁଦିନ ପାଇଁ ସୀମିତ ରହିଯିବ, ଏଥିରେ ଦ୍ବିମତ ନାହିଁ।

ଏ ବିଷୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ର ସାଂସଦ ଜୁଏଲ ଓରାମଙ୍କୁ ପଚାରିବାରୁ ସେ କହିଛନ୍ତି, ଆଗାମୀ ଦିନରେ ରାଉରକେଲା ବିମାନବନ୍ଦର ସମ୍ପ୍ରସାରଣ ହେବାକୁ ଯାଉଛି, କିନ୍ତୁ ଏ ସଂକ୍ରାନ୍ତରେ ତାଙ୍କ ନିକଟରେ ବିସ୍ତୃତ ତଥ୍ୟ ନାହିଁ। ରାଉରକେଲା ବଣିକ ସଂଘର ପୂର୍ବତନ ସଭାପତି ସୁବ୍ରତ ପଟ୍ଟନାୟକ କହିଛନ୍ତି, ରାଉରକେଲା ବିମାନବନ୍ଦରର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଇଚ୍ଛାଶକ୍ତି ନାହିଁ। ସଂଘ ଏଥିପାଇଁ ଗତ ୩୦ ବର୍ଷ ଧରି ଲଢ଼େଇ ଜାରି ରଖିଛି। ରାଜ୍ୟ ସରକାର ରାଉରକେଲାକୁ ଗୁରୁତ୍ବ ନ ଦେଇ ଏକକାଳୀନ ରାଉରକେଲା, ଜୟପୁର ଓ ଉତ୍ପଳା ତିନିଟି ବିମାନବନ୍ଦରକୁ କାର୍ଯ୍ୟକ୍ଷମ କରିବାକୁ ଚାହୁଁଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଯେ ପର୍ଯ୍ୟନ୍ତ ରାଜନୈତିକ ଦଳଗୁଡ଼ିକ ଏକାଠି ହୋଇ ନାହାନ୍ତି, ସେ ପର୍ଯ୍ୟନ୍ତ ଉଭୟ ରାଜ୍ୟ ଓ କେନ୍ଦ୍ର ଏପରି ଭାବେ ସ୍ମାର୍ଟସିଟି ବାସିନ୍ଦାଙ୍କୁ ଭଣ୍ଡାଇ ଚାଲିଥିବେ। ୨୦୧୬ ମାର୍ଚ୍ଚରେ ରାଉରକେଲା ଏୟାର ପୋର୍ଟରେ ଇନ୍ଧନ ସେଣ୍ଟର ଉଦ୍‌ଘାଟନ ହୋଇଛି। ସୂଚନାଯୋଗ୍ୟ ଯେ ୨୦୧୮ ଏପ୍ରିଲରେ ରାଉରକେଲା ଏୟାର ପୋର୍ଟକୁ ବାଣିଜ୍ୟିକ ବିମାନ ବନ୍ଦର କରିବାକୁ ସେଲ୍‌ ଓ ଏୟାର ଅଥରିଟି ଅଫ୍‌ ଇଣ୍ଡିଆ (ଏଏଆଇ) ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ପୁଣି ୨୦୧୯ ଜାନୁଆରିରେ ଡିଜିସିଏ ପକ୍ଷରୁ ରାଉରକେଲା ଏୟାର ପୋର୍ଟକୁ ବାଣିଜ୍ୟିକ ଲାଇସେନ୍ସ ମଧ୍ୟ ମିଳି ସାରିଛି। ତେବେ ବିମାନ ବନ୍ଦର ପାଇଁ ଜଣେ ଏୟାରପୋର୍ଟ ମ୍ୟାନେଜର, ଟର୍ମିନାଲ ମ୍ୟାନେଜର, ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ଏଏଆଇ ଓ ଅଗ୍ନିଶମ ସହ ସୁରକ୍ଷା ବ୍ୟବସ୍ଥା ଓଡ଼ିଶା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବାକୁ କୁହାଯାଇଥିଲା। କିନ୍ତୁ ଏଯାଏ କିଛି କରା ଯାଇନାହିଁ।

ଉଲ୍ଲେଖନୀୟ ଯେ ଝାରସୁଗୁଡ଼ାରୁ ଦୈନିକ ବିମାନ ସେବା ଇତିମଧ୍ୟରେ ଆରମ୍ଭ ହୋଇ ଯାଇଛି। କିନ୍ତୁ ପୁରୁଣା ଓ କାର୍ଯ୍ୟକ୍ଷମ ଥିବା ବିମାନବନ୍ଦରଟିଏ ଥାଇ ମଧ୍ୟ ରାଉରକେଲାକୁ ଅଣଦେଖା କରା ଯାଇଛି। ଏହି ଘଟଣା ଏବେ ଇସ୍ପାତ ସହର ସମେତ ସାରା ସୁନ୍ଦରଗଡ଼ ଜିଲ୍ଲାରେ ଆଲୋଚନାର ପ୍ରସଙ୍ଗ ହୋଇଛି। କାରଣ ଯଦି ଭୁବନେଶ୍ବର ପରେ ଓଡ଼ିଶାର ଅନ୍ୟ କୌଣସି ସହର ବାଣିଜ୍ୟିକ ବିମାନବନ୍ଦର ପାଇଁ ଯୋଗ୍ୟ, ତା ହେଉଛି ରାଉରକେଲା। କିନ୍ତୁ ଏ ସହରକୁ ଅନେକ ପ୍ରତିଶ୍ରୁତି ଦିଆଯିବା ପରେ ବିଭିନ୍ନ କାରଣ ଦର୍ଶାଇ ଏହାକୁ ଅଣଦେଖା ହିଁ କରା ଯାଇଆସୁଛି। ବିମାନ ସେବା କାରଣରୁ ରାଉରକେଲା ସହରର ବିକାଶ ମଧ୍ୟ ଅନେକ ଦୃଷ୍ଟିରୁ ଅଟକି ଯାଇଛି। ସବୁଠାରୁ ପ୍ରଭାବ ହୋଇଛି ଏଠାକାର ଶିକ୍ଷା ଓ ଚିକିତ୍ସା। ଏକଦା ଶିକ୍ଷା, ବିଶେଷକରି କୋଚିଂ ପ୍ରଦାନରେ ସାରା ରାଜ୍ୟରେ ରାଉରକେଲାର ଏକ ସ୍ବତନ୍ତ୍ର ସ୍ଥାନ ଥିଲା। କିନ୍ତୁ ବିମାନ ସେବା ନଥିବାରୁ କଟକ, ଭୁବନେଶ୍ବର ଓ ରାଜ୍ୟ ବାହାରୁ ଶିକ୍ଷକମାନେ ଏଠାକୁ ଆସିବାଲାଗି ରାଜି ହେଉ ନାହାନ୍ତି। ସେହିପରି ରେଳ ବା ସଡ଼କ ପଥରେ ଅତ୍ୟଧିକ ସମୟ ନଷ୍ଟ କରି ଆସିବାଲାଗି ବିଶେଷଜ୍ଞ ଡାକ୍ତରମାନେ ମଧ୍ୟ ଅନିଚ୍ଛା ପ୍ରକାଶ କରୁଛନ୍ତି।

ସମ୍ବନ୍ଧିତ ଖବର