ଚିଲିକାରେ ଓ୍ଵାଟର ଏରୋଡ୍ରମ ପ୍ରସ୍ତାବ ବାତିଲ୍‌

ଭୁବନେଶ୍ୱର : ଚିଲିକାରେ ଓ୍ଵାଟର ଏରୋଡ୍ରମ ନିର୍ମାଣ ହେବ ନାହିଁ ବୋଲି ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଚିଲିକାରେ ଓ୍ଵାଟର ଏରୋଡ୍ରମ ନିର୍ମାଣ କରିବା କି ସିପ୍ଲେନ୍‌ ଉଡ଼ାଣ କରିବା ସମ୍ଭବ ନୁହେଁ ବୋଲି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଗତ ୬ତାରିଖରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବା ପରେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ତାଙ୍କ ପ୍ରସ୍ତାବ ପ୍ରତ୍ୟାହାର କରି ନେଇଛନ୍ତି।

ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚିଲିକାର ପରିବେଶ ସମ୍ବେଦନଶୀଳତାକୁ ନଜରରେ ରଖି ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିନିଆଯାଇଛି। ଭବିଷ୍ୟତରେ ଓଡ଼ିଶାର ଅନ୍ୟ କେଉଁ ସ୍ଥାନରେ ଓ୍ଵାଟର ଏରୋଡ୍ରମ ହେବ କି ନାହିଁ ସେନେଇ କିଛି ନିଷ୍ପତ୍ତି ନିଆଯାଇନି।

ଚଳିତବର୍ଷ ଜୁନ୍‌ ମାସରେ ଏଏଆଇର ଏକ ଟିମ୍‌ ଚିଲିକା ପରିଦର୍ଶନ କରି ଯିବା ପରେ ଏଏଆଇ ଏଠାରେ ଓ୍ଵାଟର ଏରୋଡ୍ରମ କରିବାକୁ ନିଷ୍ପତ୍ତି ନେଇଥିଲା। ଏପରିକି ଅଗଷ୍ଟ ମାସରେ ଦେଶରେ ଦୁଇଟି ରାଜ୍ୟରେ ପାଇଲଟ୍‌ ପ୍ରକଳ୍ପ ଭାବେ ହେବାକୁ ଥିବା ଓ୍ଵାଟର ଏରୋଡ୍ରମ ମଧ୍ୟରେ ଚିଲିକା ସ୍ଥାନ ପାଇଥିଲା। ଏହାପରେ ରାଜ୍ୟ ସରକାର ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)କୁ ସର୍ଭେ କରି ରିପୋର୍ଟ ଦେବାକୁ କହିଥିଲେ। ସିଡିଏ ସେପ୍ଟେମ୍ବର ୬ରେ ସାଧାରଣ ପ୍ରଶାସନ ବିଭାଗକୁ ଦେଇଥିବା ରିପୋର୍ଟରେ ଦର୍ଶାଇଥିଲା ଯେ, ଚିଲିକାରେ ଓ୍ଵାଟର ଏରୋଡ୍ରମ ନିର୍ମାଣ ହେଲେ ଏହାର ଜୈବ ବିବିଧତା, ଚିଲିକାକୁ ପ୍ରତିବର୍ଷ ଆସୁଥିବା ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀ ଏବଂ ସ୍ଥାନୀୟ ବାସିନ୍ଦା ପ୍ରଭାବିତ ହେବାକୁ ଥିବାରୁ ଏଠାରେ ସି ପ୍ଲେନ୍‌ ଉଡ଼ାଣ କରିବା ସମ୍ଭବ ନୁହେଁ। ସିଡିଏ କର୍ତ୍ତୃପକ୍ଷ ତାଙ୍କ ରିପୋର୍ଟରେ କହିଥିଲେ ଯେ, ବିମାନ ଉଡ଼ାଣ ଆରମ୍ଭ ହେଲେ ଚିଲିକାରେ ଥିବା ବିରଳ ପ୍ରଜାତିର ୧୫୫ଟି ଇରଓ୍ଵାଡି ଡଲଫିନ୍‌ଙ୍କ ଉପରେ ବିମାନ ଶବ୍ଦର ପ୍ରଭାବ ପଡ଼ିବ। ଚିଲିକାରୁ ବାର୍ଷିକ ୧୪ହଜାର ମେଟ୍ରିକ ଟନ୍‌ ମାଛ ଉତ୍ପାଦନ ହେଉଥିବାବେଳେ ଏହା ଉପରେ ୨ଲକ୍ଷ ମତ୍ସ୍ୟଜୀବୀ ପରିବାର ନିର୍ଭର କରୁଛନ୍ତି। ବିମାନର ଅବତରଣ ଏବଂ ଉଡ଼ାଣ ସମୟରେ ସୃଷ୍ଟି ହେବାକୁ ଥିବା କମ୍ପନ ଦ୍ୱାରା ମାଛମାନଙ୍କର ପ୍ରଜନନ କ୍ଷମତା କମିଯିବ।

ଏହାସହ ଚିଲିକାରେ ୩୩୫ ପ୍ରଜାତିର ମାଛ, ୨୩୫ ପ୍ରଜାତିର ପକ୍ଷୀ, ୭୨୯ ପ୍ରଜାତିର ବୃକ୍ଷ ଓ ଗୁଳ୍ମ, ୩୦ ପ୍ରଜାତିର ସରୀସୃପ ରହୁଥିବାରୁ ଏହାର ଜୈବ ବିବିଧତା ଉପରେ ଘୋର୍‌ ପ୍ରଭାବ ପଡ଼ିବ। ବିମାନ ଉଡ଼ାଣ ଏବଂ ଶବ୍ଦ ଯୋଗୁଁ ବିଭିନ୍ନ ପ୍ରଜାତିର ମାଛ ଓ ପକ୍ଷୀ ପ୍ରଭାବିତ ହେବେ।

କେବଳ ସିଡିଏ ଏହି ଓ୍ଵାଟର ଏରୋଡ୍ରମ ପ୍ରସ୍ତାବକୁ ବିରୋଧ କରିନଥିଲା ବିଜେଡିର ସ୍ଥାନୀୟ ବିଧାୟକ ବି ଏହାକୁ ବିରୋଧ କରିଥିଲେ। ପ୍ରଥମରୁ ଏହି ପ୍ରକଳ୍ପକୁ ବିରୋଧ ହେବାରୁ ଏଏଆଇ ଏଠାରେ ପ୍ରକଳ୍ପ କରି ବିବାଦ ବଢ଼ାଇବାକୁ ଚାହୁଁନି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର