୪ ପ୍ରତିଭା ପାଇବେ ‘ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ’

ଭୁବନେଶ୍ୱର : ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ‘ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ-୨୦୧୮’ ପ୍ରଦାନ କରାଯିବ। ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ସଭାପତି ତଥା ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ର, ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର, ସମାଜସେବୀ ତଥା ଭରତିଆ ଚାରିଟେବଲ୍‌ ଟ୍ରଷ୍ଟ୍‍ର ଅଧ୍ୟକ୍ଷ ଡ.କିଶନ ଲାଲ୍‌ ଅଗ୍ରଓ୍ଵାଲ୍‌, ଶିକ୍ଷାବିତ୍‌ ଡ.ଶରତ ଚନ୍ଦ୍ର ପଣ୍ଡାଙ୍କୁ ଚଳିତ ବର୍ଷର ଏହି ସମ୍ମାନ ପ୍ରଦାନ କରାଯିବ। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ.ବିମଳେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଡ.ବଦ୍ରିନାଥ ପଟ୍ଟନାୟକ, ପ୍ରତାପ ଜେନା ଓ ଗୁରୁପଦ ନନ୍ଦଙ୍କୁ ନେଇ ଗଠିତ କମିଟି ପକ୍ଷରୁ ଏହି ନାମ ଘୋଷଣା କରାଯାଇଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୩ୟ ଶ୍ରାଦ୍ଧ ବାର୍ଷିକ ଆସନ୍ତା ୨୧ ତାରିଖରେ ତୋଷାଳି ଭବନ ନିକଟ ହୋଟେଲ୍‌ ରୟାଲ୍‌ ସୁଟ୍‌ରେ ପାଳିତ ହେବାକୁ ଯାଉଥିବା ବେଳେ ୪ ପ୍ରତିଭାଙ୍କୁ ଏଠାରେ ସମ୍ବର୍ଧିତ କରାଯିବ ବୋଲି କମିଟିର ସାଧାରଣ ସମ୍ପାଦକ ଡ.ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି। ସେହିପରି ସ୍ମୃତି କମିଟିର ଦାବିକୁ ଶ୍ରାଦ୍ଧ ବାର୍ଷିକ ପୂର୍ବରୁ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଜରିଆରେ ଅବଗତ କରାଯାଇଛି ବୋଲି ଡ.ଜ୍ଞାନେନ୍ଦ୍ର କହିଛନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ନିଖିଳ ଭାରତ ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ତଥା ସାଂସଦ ସୁବ୍ରତ ବକ୍ସି, କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ଡ.ହରେକୃଷ୍ଣ ଶତପଥୀ, ସାଂସଦ ମାନସ ଭୂୟାଁ ପ୍ରମୁଖ ଅତିଥି ଭାବେ ଯୋଗଦେବେ।

ସମ୍ବନ୍ଧିତ ଖବର