ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଡ. ଅକ୍ଷୟ ମିଶ୍ର

କଟକ/ନୂଆଦିଲ୍ଲୀ : ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଡକ୍ଟର ଅକ୍ଷୟ କୁମାର ମିଶ୍ରଙ୍କ ନାଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ର˚ଜନ ଗୋଗୋଇ, ଜଷ୍ଟିସ ମଦନ ବି.ଲୋକୁର ଓ ଜଷ୍ଟିସ କୁରିଅନ ଯୋଶେଫଙ୍କୁ ନେଇ ଗଠିତ କଲେଜିୟମ ବିଚାରପତି ଭାବେ ନିଯୁକ୍ତି ପାଇଁ ଡକ୍ଟର ମିଶ୍ରଙ୍କ ନାଁ ସୁପାରିସ କରିଛନ୍ତି। ୧୯୫୮, ନଭେମ୍ବର ୯ରେ ଜନ୍ମିତ ଡକ୍ଟର ମିଶ୍ର ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରିରେ ରେଜିଷ୍ଟ୍ରାର ଜେନେରାଲ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୮ ମେ’ ୧୮ରେ ଡକ୍ଟର ମିଶ୍ରଙ୍କ ସହିତ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ସତ୍ୟନାରାୟଣ ମିଶ୍ର,ବିଭୁ ପ୍ରସାଦ ରାଉତରାୟ, ଗୌତମ ଶର୍ମାଙ୍କ ନାଁ ହାଇକୋର୍ଟର ବିଚାରପତି ପଦ ପାଇଁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ସୁପାରିସ କରିଥିଲେ। ସୁପ୍ରିମକୋର୍ଟ କଲେଜିୟମ ଡକ୍ଟର ମିଶ୍ରଙ୍କ ନାଁ ଗ୍ରହଣ କରି ସୁପାରିସ କରିଥିବା ବେଳେ ଅନ୍ୟ ତିନି ବିଚାରବିଭାଗୀୟ ଅଧିକାରୀଙ୍କ ନାଁ ଉପଯୁକ୍ତ ସମୟରେ ପୁନର୍ବିଚାର ପାଇଁ ହାଇକୋର୍ଟ କଲେଜିୟମ ନିକଟକୁ ପଠାଇ ଦେଇଛନ୍ତି। ଏଥିସହିତ ୨୦୧୮, ମେ’ ୧୮ରେ ୮ ଜଣ ଆଇନଜୀବୀଙ୍କ ନାଁ ବିଚାରପତି ପଦ ପାଇଁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ସୁପ୍ରିମକୋର୍ଟଙ୍କ ନିକଟକୁ ପଠାଇଥିଲେ। ଆଇନଜୀବୀ କାଳୀ ପ୍ରସନ୍ନ ମିଶ୍ରଙ୍କ ସ˚ପର୍କିତ ପ୍ରସ୍ତାବ କଲେଜିୟମ ଆଉ କିିଛି ଦିିନ ପରେ ବିିଚାରକୁ ନେବ। ଏଥିସହିତ ଆଇନଜୀବୀ ନରସି˚ହ ଭିଙ୍କ ନାଁ ଓଡ଼ିଶା ହାଇକୋର୍ଟ କଲେଜିୟମକୁ ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟ କଲେଜିୟମ ପଠାଇଛନ୍ତି। ଅନ୍ୟପକ୍ଷରେ ଆଇନଜୀବୀ ରୁଦ୍ର ପ୍ରସାଦ କର, ପ୍ରଣୟ କିଶୋର ହରିଚନ୍ଦନ, ବିମ୍ବିସାର ଦାଶ, ତୁଷାରକାନ୍ତୀ ଶତପଥୀ, ବିଷ୍ଣୁ ପ୍ରସାଦ ପ୍ରଧାନ ଓ ସମୀର କୁମାର ଦାସଙ୍କ ନାଁ ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟକୁ ଫେରାଇ ଦେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୧୫, ଜାନୁଆରି ୨୩ରେ ଖାଲି ହୋଇଥିବା ବିଚାରପତି ପଦରେ ନିଯୁକ୍ତି ପାଇଁ ଡକ୍ଟର ଅକ୍ଷୟ କୁମାର ମିଶ୍ରଙ୍କ ନାଁ ସୁପାରିସ କରାଯାଇଛି ବୋଲି ସୁପ୍ରିମକୋର୍ଟ କଲେଜିୟମର ନିଷ୍ପତ୍ତିରେ ଉଲ୍ଲେଖ କରାଯାଇଛି।

ରୁଦ୍ରପ୍ରସାଦ କର ଓ ତୁଷ‌ାରକାନ୍ତି ଶତପଥୀଙ୍କ ସମ୍ପର୍କରେ କଲେଜିୟମ୍‌ କହିଛନ୍ତି, ନିର୍ଦ୍ଧାରିତ ମାନଦଣ୍ଡକୁ ସେମାନେ ପୂରଣ କରୁନାହାନ୍ତି। ସେଥିପାଇଁ ସେମାନଙ୍କ ନାମକୁ ଓଡ଼ିଶା ହାଇକୋର୍ଟକୁ ଫେରାଇ ଦିଆଯାଇଛି।

ସମ୍ବନ୍ଧିତ ଖବର