ଅକ୍ଷୟ ମିଶ୍ର ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି

କଟକ : ବରିଷ୍ଠ ଆଇନ ବିଶାରଦ ତଥା ଓଡିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଡକ୍ଟର ଅକ୍ଷୟ କୁମାର ମିଶ୍ରଙ୍କୁ ଓଡିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ନିଯୁକ୍ତି ମିଳିଛି। ଆଜି ଏ ନେଇ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ଅକ୍ଟୋବର ୩୧ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗେ‌ାଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ଡକ୍ଟର ମିଶ୍ରଙ୍କ ନିଯୁକ୍ତି ଉପରେ ମୋହର ମାରିଥିଲେ।

ଡକ୍ଟର ମିଶ୍ର ୧୯୫୮ ମସିହା ନଭେମ୍ବର ୯ ତାରିଖରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଗଉଡ ସାହିରେ ଜନ୍ମଗ୍ରହଣ କରିଥିଲେ। ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଲାଭ କରିଥିଲେ। ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଏଲ୍‌ଏଲ୍‌ବି ଏବଂ ଏଲ୍‌ଏଲ୍‌ଏମ୍‌ ଡିଗ୍ରି ହାସଲ କରିବା ପରେ ଡକ୍ଟର ମିଶ୍ର ଆଇନ ପାଠ୍ୟକ୍ରମରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ପିଏଚ୍‌ଡି ଲାଭ କରିଥିଲେ। ଆଇନ ପଢା ଶେଷ ପରେ ସେ ମଧୁସୂଦନ ଆଇନ ମହାବିଦ୍ୟାଳ‌ୟରେ ଅଧ୍ୟାପନା ବୃତ୍ତି ଆରମ୍ଭ କରିଥିଲେ। ୧୯୮୮ ସେପ୍ଟେମ୍ବର ୧ ତାରିଖରେ ସେ ଓଜେଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପୁରୀ ମୁନିସିଫ କୋର୍ଟରେ ଜଜ୍‌ ଭାବେ ଯୋଗ ଦେଇଥିଲେ। ପରେ ତାଙ୍କର ବଲାଙ୍ଗୀର ଜିଲ୍ଲା ଜଜ୍ ‌େକାର୍ଟକୁ ବିଚାରପତି ଭାବେ ପ‌ଦୋନ୍ନତି ହୋଇଥିଲା। ଓଡିଶା ଜୁଡିସିଆଲ ଏକାଡେମୀର ନିର୍ଦ୍ଦେଶକ, ସ୍ପେଶାଲ ସିବିଆଇ ଜଜ୍‌ ଭାବେ ସେ କାର୍ଯ୍ୟ କରିବା ସହ ସେଲ୍‌ସ ଟ୍ୟ‌ାକ୍ସ୍‌ ଟ୍ରିବ୍ୟୁନାଲ୍‌ ବାରର ସଦସ୍ୟ ହୋଇଥିଲେ। ବର୍ତ୍ତମାନ ଡକ୍ଟର ମିଶ୍ର ଓଡିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଭାବେ ଅବସ୍ଥାପିତ ଅଛନ୍ତି।

ଆସନ୍ତା ୧୯ କିମ୍ବା ୨୦ ତାରିଖ ଦିନ ସେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଓଡିଶା ହାଇକୋର୍ଟର ମୋଟ ବିଚାରପତି ସଂଖ୍ୟା ୨୭ ରହିଥିବା ବେଳେ ଏବେ ହାଇକୋର୍ଟରେ ୧୩ ଜଣ ବିଚାରପତି ଅଛନ୍ତି। କିଛି ଦିନ ତଳେ ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତିଙ୍କ ବମ୍ବେ ହାଇକୋର୍ଟକୁ ବଦଳି ହୋଇଛି। ସେହିପରି ଅନ୍ୟତମ ବିଚାରପତି ଜଷ୍ଟିସ ଏସ.ଏନ. ପ୍ରସାଦଙ୍କର ଝାଡଖଣ୍ଡ ହାଇକୋର୍ଟକୁ ବଦଳି ଆଦେଶ ଆସିଛି। ଅନ୍ୟପଟେ ମାଡ୍ରାସ ହାଇକୋର୍ଟରେ କାର୍ଯ୍ୟରତ ବିଚାରପତି ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀଙ୍କ ଓଡିଶା ହାଇକୋର୍ଟକୁ ବଦଳି ଆଦେଶ ଆସିଛି। ଡକ୍ଟର ମିଶ୍ରଙ୍କ ଦାୟିତ୍ବ ଗ୍ରହଣ ପରେ ଓଡିଶା ହାଇକୋର୍ଟଙ୍କ ବିଚାରପତିଙ୍କ ସଂଖ୍ୟା ୧୪ରେ ପହଞ୍ଚିବ।

ସମ୍ବନ୍ଧିତ ଖବର