ବିଷାକ୍ତ ମଦ ପିଇ ବାପ-ପୁଅ ମୃତ ଅଭିଯୋଗ

ହତ୍ୟା ସନ୍ଦେହ କଲେ ପରିବାର ବର୍ଗ

କର୍ଲାମୁଣ୍ଡା/ ମ.ରାମପୁର : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ରିଷିଡ଼ା ଫାଣ୍ଡି ପିରୁଲମାଲ ଗାଁରେ ବିଷାକ୍ତ ମଦପିଇ ବାପା ଧନସାଏ ପାତ୍ର (୭୨) ଓ ପୁଅ ଭୋଜରାଜ ପାତ୍ର (୪୨)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ମଦରେ ବିଷ ଦେଇ ଉଭୟଙ୍କୁ ହତ୍ୟା କରାଯାଇଛି ବୋଲି ସେମାନଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି।

ବୁଧବାର ପିରୁଲମାଲ ଗାଁର ଧନସାଏ ଓ ତାଙ୍କ ମଝିଆ ପୁଅ ଭୋଜରାଜ ଗୋଚ୍ଛାଡେଙ୍ଗେନକୁ ଆଧାର ଲିଙ୍କେଜ୍‌ କରିବାକୁ ଯାଇଥିଲେ। ଫେରିବା ବେଳେ ଘର ଠାରୁ ପ୍ରାୟ ୧୦୦ ମିଟର ଦୂରରେ ଏକ ମହୁଲ ଗଛ ତଳେ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ। ଖବର ପାଇ ପରିବାରବର୍ଗ ସେମାନଙ୍କୁ ଘରକୁ ଆଣିଥିଲେ। ଘରେ ବୃଦ୍ଧ ଧନସାଏଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଭୋଜରାଜଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥା ଭୋଜରାଜଙ୍କ ମୃତ୍ୟୁ ଘଟିଥିଲା। ଏନେଇ ମୃତ ଧନସାଏଙ୍କ ସାନପୁଅ ଭୀମ ପାତ୍ର ଫାଣ୍ଡିରେ ଅଭିଯୋଗ କରିଛନ୍ତି। ବିଷାକ୍ତ ମଦ ପିଇବା ଯୋଗୁଁ କିମ୍ବା ମଦରେ ବିଷ ଦେଇ ଉଭୟଙ୍କୁ ହତ୍ୟା କରାଯାଇଥିବା ସେ ସନ୍ଦେହ କରୁଥିବା ଏତଲାରେ ଦର୍ଶାଇଛନ୍ତି। ଅଭିଯୋଗ ପାଇବା ପରେ ମ.ରାମପୁର ଥାନାଧିକାରୀ ଜିତେନ୍ଦ୍ରନାଥ ମଲ୍ଲିକ, ଏସ୍‌ଆଇ ରାଜେନ୍ଦ୍ର ବେହେରା, ରିଷିଡ଼ା ଫାଣ୍ଡିଧିକାରୀ ଅଶୋକ ବିହାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଧନସାଏଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ମ.ରାମପୁରକୁ ପଠାଇଥିଲେ। ଭୋଜରାଜଙ୍କ ଶବ ବଲାଙ୍ଗୀରରେ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲେ।

ବାପ ପୁଅ ଦୁଇଜଣ ଗାଁକୁ ଫେରୁଥିବା ବେଳେ ତାଲକୁନା ଗାଁରୁ ମଦ କିଣି ପିଇଥିବା ସମ୍ପର୍କୀୟଙ୍କଠାରୁ ପ୍ରକାଶ। ପୁଲିସ ମଧ୍ୟ ମହୁଲ ଗଛ ନିକଟରୁ ଏକ ଜାର୍‌ ଜବତ କରିଛି। ତେବେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର