ମଦ ପିଇ ଗାଡ଼ି ଚାଳନା କଟକଣାକୁ ଫୁଃ : ସେପ୍ଟେମ୍ବରରେ ବଢ଼ିଛି ମଦ ବିକ୍ରି, ଦ୍ୱିତୀୟ ତ୍ରୟମାସିକ ସୁଦ୍ଧା ଅବକାରୀ ରାଜସ୍ୱ୨ ହଜାର କୋଟି ଟପିଲା

ଭୁବନେଶ୍ବର : ସେପ୍ଟେମ୍ବର ମାସରୁ ସାରା ରାଜ୍ୟରେ ନୂତନ ମୋଟରଯାନ ଆଇନ କଡ଼ାକଡ଼ି ଲାଗୁ ହୋଇଛି। ନୂଆ ଆଇନର ବ୍ୟବସ୍ଥା ଅନୁଯାୟୀ ମଦ ପିଇ ଗାଡ଼ି ଚାଳନା କଲେ ୧୦ ହଜାର ଟଙ୍କା ଜରିମାନ ଦେବାକୁ ପଡ଼ିବ। ସେପ୍ଟେମ୍ବର ମାସରେ ଧରପଗଡ଼ ହେବା ପରଠୁ ଭୁବନେଶ୍ବର ସମେତ ଅନ୍ୟ ସହରରେ ବାର ଓ ଠିପି ଖୋଲା ପାନୀୟ ଦୋକାନରେ ମଦ ବିକ୍ରି ପ୍ରଭାବିତ ହୋଇଛି ବୋଲି କୁହାଯାଉଥିଲା। ଏପରିକି କଟକଣା ଯୋଗୁଁ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଓ ବିୟର ବାର୍‌ଗୁଡ଼ିକରେ ବେପାର ମାନ୍ଦା ଧରିଥିବା ନେଇ ଚର୍ଚ୍ଚା ହେଲା। ବାସ୍ତବ ଚିତ୍ର କିନ୍ତୁ ଅଲଗା କଥା ବୟାନ କରୁଛି। ଗତବର୍ଷଗୁଡ଼ିକ ତୁଳନାରେ ସେପ୍ଟେମ୍ବର ମାସରେ ଏଥର ସାରା ରାଜ୍ୟରେ ମଦ ବିକ୍ରି ବୃଦ୍ଧି ପାଇଛି। ଆଉ ସରକାରଙ୍କୁ ଆଖି ଝଲସାଇ ଦେଲାଭଳି ଅବକାରୀ ରାଜସ୍ବ ମିଳିଛି। ତେଣୁ ଏଥିରୁ ମଦ ପିଇ ଗାଡ଼ିଚାଳନା କଟକଣାକୁ ମଦୁଆମାନେ ଫୁଃ କରି ଦେଇଛନ୍ତି ବୋଲି ସ୍ପଷ୍ଟ ହୋଇଛି।

ଅବକାରୀ ବିଭାଗ ଓ ପାନୀୟ ନିଗମ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ମାସରେ ରାଜ୍ୟରେ ୩୯୦ କୋଟି ୮୬ ଲକ୍ଷ ଟଙ୍କାର ମଦ ବିକ୍ରି ହୋଇଛି। ସେଥିରୁ ୩୦୦ କୋଟିର ବିଦେଶୀ ମଦ , ୨୧.୧୪ କୋଟିର ଦେଶୀ ମଦ ଓ ୬୯.୭୨ କୋଟିର ବିୟର ବିକ୍ରି ହୋଇଛି। ଅନ୍ୟପକ୍ଷରେ ମଦ ଓ ଅନ୍ୟ ଅବକାରୀ ସାମଗ୍ରୀ ବିକ୍ରିରୁ ସରକାରଙ୍କୁ ସେପ୍ଟେମ୍ବର ମାସରେ ୩୬୧ କୋଟି ୨୬ ଲକ୍ଷ ଟଙ୍କା ରାଜସ୍ବ ମିଳିଛି। ଯାହାକି ଗତବର୍ଷ ସେପ୍ଟେମ୍ବର ତୁଳନାରେ ଯଥେଷ୍ଟ ଅଧିକ। ଗତବର୍ଷ ସେପ୍ଟେମ୍ବର ମାସରେ ସରକାରଙ୍କୁ ୩୨୮ କୋଟି ୫୯ ଲକ୍ଷ ଟଙ୍କାର ରାଜସ୍ବ ମିଳିଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବରରେ ୩୨ କୋଟି ୬୭ ଲକ୍ଷ ଟଙ୍କା ଅଧିକ ମିଳିଛି। ନୂତନ ମୋଟର ଯାନ ଆଇନ ଜନିତ କଟକଣା ସତ୍ତ୍ବେ ମଦ ବିକ୍ରିରେ ଏଭଳି ଅହେତୁକ ବୃଦ୍ଧି ଅନେକଙ୍କୁ ଚକିତ କରିଛି। ସେପ୍ଟେମ୍ବର ୯ ତାରିଖରେ ରାଜ୍ୟ ସରକାର ତିନି ମାସ ପାଇଁ ଟ୍ରାଫିକ ନିୟମ କୋହଳ କରିଥିଲେ ହେଁ ମଦ ପିଇ ଗାଡ଼ିଚାଳନା ଜନିତ ଜରିମାନା ପୂର୍ବବତ୍‌ ବଳବତ୍ତର ରହିଛି। ମାତ୍ର ଟ୍ରାଫିକ୍ ଧରପଗଡ଼ ଏକପ୍ରକାର ବନ୍ଦ ହୋଇଯିବାରୁ ମଦ୍ୟପମାନେ ମନ ଖୋଲି ମଦ ପିଇ ଗାଡ଼ିଚାଳନା କରିଛନ୍ତି, ଫଳରେ ମଦ ବିକ୍ରି ପୂର୍ବ ତୁଳନାରେ ବଢ଼ି ଯାଇଥିବା ଆଲୋଚନା ହେଉଛି।

ଅବକାରୀ ବିଭାଗ ତଥ୍ୟ ଅନୁଯାୟୀ, ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସରକାର ଅବକାରୀ ରାଜସ୍ବ ସଂଗ୍ରହ ବାବଦରେ ୪ ହଜାର ୬୦୦ କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସିକ ସୁଦ୍ଧା ଅବକାରୀ ରାଜସ୍ବ ବାବଦରେ ସରକାର ଧାର୍ଯ୍ୟ ଲକ୍ଷ୍ୟର ୪୫.୦୧% ସଂଗ୍ରହ କରିସାରିଲେଣି। ଗତବର୍ଷ ସେପ୍ଟେମ୍ବର ସୁଦ୍ଧା ମୋଟ ଅବକାରୀ ରାଜସ୍ବ ୧ ହଜାର ୭୭୦ କୋଟି ୪୭ ଲକ୍ଷ ଟଙ୍କା ମିଳିଥିବାବେଳେ ଏବର୍ଷ ସେପ୍ଟେମ୍ବର ସୁଦ୍ଧା ମୋଟ ୨ ହଜାର ୭୦ କୋଟି ୨୮ ଲକ୍ଷ ଟଙ୍କା ମିଳି ସାରିଲାଣି।

ଏଠାରେ ପ୍ରକାଶ ଥାଉକି ଓଡ଼ିଶା ରାଜ୍ୟ ପାନୀୟ ନିଗମର ତଥ୍ୟ ଅନୁଯାୟୀ ଚଳିତବର୍ଷ ଅଗଷ୍ଟ ବିଦେଶୀ ମଦ, ଦେଶୀ ମଦ ଓ ବିୟର ମିଶି ମୋଟ ୩୭୮ କୋଟି ୩୯ ଲକ୍ଷ ଟଙ୍କାର ମଦ ବିକ୍ରି ହୋଇଥିବାବେଳେ ସେପ୍ଟେମ୍ବରରେ ଏହା ୩୯୦ କୋଟ ଟପି ଯାଇଛି। ଚଳିତ ମାସ ଆଜି ସୁଦ୍ଧା ୨୩୩ କୋଟି ୫୪ ଲକ୍ଷ ଟଙ୍କାର ମଦ ବିକ୍ରି ହୋଇ ସାରିଥିବାରୁ ଏହା ପୂର୍ବ ବର୍ଷଗୁଡ଼ିକର ମଦ ବିକ୍ରି ରେକର୍ଡ଼ ଭାଙ୍ଗିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର