ଛୁଟିରେ ଗଲେ ଡିପ୍ଲୋମା ଇଞ୍ଜିନିୟର୍‌

ଭିତ୍ତିଭୂମି ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି ହେବା ଆଶଙ୍କା

ଭୁବନେଶ୍ୱର: ଡିପ୍ଲୋମା ଇଂଜିନିୟର୍‌ମାନଙ୍କ ପ୍ରତି ସରକାରଙ୍କ ପକ୍ଷପାତ ଓ ଅନ୍ୟାୟ ପ୍ରତିବାଦରେ ଓଡ଼ିଶା ଡିପ୍ଲୋମା ଇଂଜିନିୟର୍ସ ସେବା ସଂଘ ଆନ୍ଦୋଳନ ଜୋର୍‌ଦାର୍‌ କରିଛି। ପୂର୍ବ ଘୋଷଣା ଅନୁଯାୟୀ ଆଜି ଠାରୁ ରାଜ୍ୟରେ ସେବାରତ ୮୫୦୦ ଡିପ୍ଲୋମା ଇଞ୍ଜିନିୟର୍‌ ୪୪ ଦିନ ସମୂହ ଛୁଟିରେ ଯାଇଛନ୍ତି। ଆଜି ବିଭିନ୍ନ ଜିଲ୍ଲାରେ ଥିବା ସଂଘର କାର୍ଯ୍ୟାଳୟରେ ଡିପ୍ଲୋମା ଇଞ୍ଜିନିୟର୍‌ମାନେ ଏକାଠି ହୋଇ ସରକାରଙ୍କ ଉଦାସୀନତାର ପ୍ରତିବାଦ କରିଥିଲେ। ଭୁବନେଶ୍ୱରସ୍ଥିତ ଓଡେଶା ଭବନରେ ସଂଘର ବୈଠକ ବସି ବିଭିନ୍ନ ଦାବି ଉପରେ ଆଲୋଚନା ହୋଇଥିଲା। ପୂର୍ବରୁ ସମୂହ ଛୁଟି ସମ୍ପର୍କରେ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲେ ବି ସରକାର କୌଣସି ପଦକ୍ଷେପ ନେଲେ ନାହିଁ। ଫଳରେ ସେମାନେ ବାଧ୍ୟ ହୋଇ ସମୂହ ଛୁଟିରେ ଗଲେ ବୋଲି କହିଛନ୍ତି। ଏହି ବୈଠକରେ ସଂଘର ରାଜ୍ୟ ଉପଦେଷ୍ଟା ନରେନ୍ଦ୍ର କୁମାର ନାୟକ, ସଭାପତି ପ୍ରଦୀପ କୁମାର ପାତ୍ର, ସାଧାରଣ ସଂପାଦକ ସଚିତ୍ର ମୋହନ ରାଉଳ, ଭୁବନେଶ୍ୱର ଶାଖା ସଭାପତି ଶ୍ରୀକାନ୍ତ ମହାପାତ୍ର, ସମ୍ପାଦକ ପ୍ରଦୀପ ପଟ୍ଟନାୟକ, ସଦସ୍ୟ ସୁବାସ କୁମାର ପଣ୍ଡା ଓ ପ୍ରମୋଦ କୁମାର ପ୍ରଧାନ ପ୍ରମୁଖ ବିଭିନ୍ନ ଦାବି ଉପରେ ଆଲୋଚନା କରିଥିଲେ। ସରକାରଙ୍କ ୯ଟି ବିଭାଗରେ କାର୍ଯ୍ୟରତ ଏହି ଡିପ୍ଲୋମା ଇଞ୍ଜିନିୟରମାନେ ଛୁଟିରେ ଯାଇଥିବାରୁ ଭିତ୍ତିଭୂମି ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି।

ସୂଚନାଯୋଗ୍ୟ ଯେ, ଡିପ୍ଲୋମା ଇଂଜିନିୟର୍‌ମାନଙ୍କ ମୂଳ ନିଯୁକ୍ତି ପଦବିକୁ ସହକାରୀ ଯନ୍ତ୍ରୀ କରାଯିବା, ସେମାନଙ୍କ ପଦୋନ୍ନତି ହାର ଶତକଡ଼ା ୩୩ ଭାଗ ପରିବର୍ତ୍ତେ ୫୦ ଭାଗ କରିବା, ସମସ୍ତ ଜିପିଟିଏମାନଙ୍କୁ ଏକକାଳୀନ କନିଷ୍ଠ ଯନ୍ତ୍ରୀ କରିବା, ୩୧୪ କନିଷ୍ଠ ଯନ୍ତ୍ରୀ-୨ଙ୍କୁ ନିୟମିତ ନିଯୁକ୍ତି ଦେବା, ପଞ୍ଚାୟତିରାଜ ବିଭାଗର ସମସ୍ତ କନିଷ୍ଠ ଯନ୍ତ୍ରୀଙ୍କ ସହକାରୀ ଯନ୍ତ୍ରୀ ପଦବିକୁ ଉନ୍ନିତ କରିବା, ଖଣି ଓ ଭୂତତ୍ତ୍ୱ ବିଭାଗ ସମେତ ଅନ୍ୟ ଅଣଇଂଜିନିୟର ବିଭାଗର ଡିପ୍ଲୋମା ଇଂଜିନିୟର କ୍ୟାଡର ପୁନର୍ଗଠନ କରିବା, ୨୦ ବର୍ଷ ପୂରଣ କରିଥିବା କନିଷ୍ଠ ଯନ୍ତ୍ରୀ/ସହକାରୀ ଯନ୍ତ୍ରୀଙ୍କୁ ଆର୍‌ଏସିପିରେ ୫୪୦୦ ଟଙ୍କା ଗ୍ରେଡ୍‌ ଦରମା ପ୍ରଦାନ ଇତ୍ୟାଦି ଦାବି ସଂଘ ପକ୍ଷରୁ କରାଯାଇଛି।

ସମ୍ବନ୍ଧିତ ଖବର