୩୦ରେ ଓଡ଼ିଶା ଆସିବ ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ଵୟ ସମିତି

ଭୁବନେଶ୍ୱର : ଆସନ୍ତା ୩୦ତାରିଖରେ ଓଡ଼ିଶା ଆସିବ ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ଵୟ ସମିତି। ୧୭୨ଟି ସଂଗଠନକୁ ନେଇ ଗଠିତ ଏହି ଯାତ୍ରାର ଆହ୍ଵାନ ହେଉଛି କୃଷି ବଞ୍ଚାଅ, କୃଷକ ବଞ୍ଚାଅ। ଦେଶ ବଞ୍ଚାଅ ଓ କୃଷକମାନଙ୍କୁ ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ପାଇଁ ସମିତି ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଏହାସହ ବିଧାନସଭା ସମ୍ମୁଖରେ ଏକ କୃଷକ ସମାବେଶ ଅନୁଷ୍ଠିତ ହେବ ବୋଲି କହିଛନ୍ତି ଓଡ଼ିଶା କୃଷକ ସଭାର ସାଧାରଣ ସଂପାଦକ ସୁରେଶ ପାଣିଗ୍ରାହୀ।

ଆଜି ନାଗଭୂଷଣ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାଣିଗ୍ରାହୀ କହିଲେ, ଗତ ୨୫ବର୍ଷ ଧରି ଦେଶରେ ପ୍ରଚଳିତ ନବ୍ୟ ଉଦାରବାଦ ଆର୍ଥିକ ନୀତି କୃଷି ଓ କୃଷକ ବିରୋଧୀ। ଦେଶରେ ଆଜିର ସମୟରେ ଦେଖା ଦେଇଥିବା ଗଭୀର କୃଷି ସଂକଟ ପାଇଁ କେନ୍ଦ୍ର ସରକାରଙ୍କ କୃଷିନୀତି ହିଁ ଦାୟୀ। ମୋଦି ସରକାରଙ୍କ କର୍ପୋରେଟ ସପକ୍ଷବାଦୀ କୃଷିନୀତିକୁ ଦ୍ରୁତ ଗତିରେ କାର୍ଯ୍ୟକାରୀ କରାଯାଉଛି। ଏଥିରେ କୃଷକମାନେ ଛନ୍ଦି ହୋଇ ଯାଇଛନ୍ତି। ଗତ ୩ବର୍ଷରେ ୩୬ହଜାର ଚାଷୀ ଆତ୍ମହତ୍ୟା କରିଛନ୍ତି। ତେଣୁ କୃଷକମାନଙ୍କୁ ସଂପୂର୍ଣ୍ଣଭାବେ ଋଣମୁକ୍ତ କରାଯାଉ। ଚାଷୀ ଓ ଭାଗଚାଷୀଙ୍କୁ ବିନା ସୁଧରେ ସଂସ୍ଥାଗତ ଋଣ ପ୍ରଦାନ, ସ୍ୱାମୀନାଥନ କମିସନ ସୁପାରିସ୍‌ ଅନୁଯାୟୀ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରାଯାଉ। ରାଜ୍ୟରେ ଧାନ କ୍ୱିଣ୍ଟାଲ ପିଛା ୩ ହଜାର ଟଙ୍କା ଧାର୍ଯ୍ୟ କରାଯାଉ। ଭାଗଚାଷୀଙ୍କୁ ଆଇନଗତ ଅଧିକାର ଜରିଆରେ ଚାଷୀର ମାନ୍ୟତା ଓ ଚାଷୀ ପାଉଥିବା ସମସ୍ତ ସରକାରୀ ସୁବିଧା ଭାଗଚାଷୀଙ୍କୁ ପ୍ରଦାନ କରିବା ଭଳି ଦାବି ଉପରେ ସମାବେଶରେ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତ କୃଷକ ମହାସଭାର ସାଧାରଣ ସଂପାଦକ ଅଶୋକ ପ୍ରଧାନ, ଆଶିଷ କାନୁନ୍‌ଗୋ, ଜ୍ୟୋତିରଂଜନ ମହାପାତ୍ର, ରଘୁନାଥ ଦାସ, ଶ୍ରୀକାନ୍ତ ମହାନ୍ତି, ଭାଲଚନ୍ଦ୍ର, ନରେନ୍ଦ୍ର ମହାନ୍ତି ଓ ଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର