‘ଇସ୍‌ଲାମ୍‌ରେ ହିଂସାର ସ୍ଥାନ ନାହିଁ’

ସର୍ବଭାରତୀୟ ଇସ୍‌ଲାମ୍‌ ଧର୍ମ ସମ୍ମିଳନୀ

କେନ୍ଦ୍ରାପଡ଼ା : ଇସ୍‌ଲାମ୍‌ ଧର୍ମରେ ହିଂସାର ସ୍ଥାନ ନାହିଁ। ଇସ୍‌ଲାମ୍‌ ଶାନ୍ତି ଉପରେ ପର୍ଯ୍ୟବେସିତ। ଯେଉଁମାନେ ହିଂସାର ମାର୍ଗ ଅବଲମ୍ବନ କରୁଛନ୍ତି ସେମାନେ ଇସ୍‌ଲାମ୍‌କୁ ଠିକ୍‌ ଭାବେ ବୁଝି ନାହାନ୍ତି। ଇସଲାମ୍‌ ଧର୍ମର ପ୍ରବର୍ତ୍ତକ ହଜରତ୍‌ ମହମ୍ମଦଙ୍କ ପ୍ରଦର୍ଶିତ ମାର୍ଗରେ ଜୀବନ ଅତିବାହିତ କଲେ ଶାନ୍ତି ମିଳିପାରିବ ବୋଲି ହୁଜୁର ହବିବେ ମିଲ୍ଲତ ମୌଲାନା ସୈୟଦ ଗୁଲାମ୍‌ ମହମ୍ମଦ ସାହବ ହବିବ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି।

କେନ୍ଦ୍ରାପଡ଼ାର ଗୋବରୀ ନଦୀ ଶଯ୍ୟାରେ ଆଜି ସର୍ବଭାରତୀୟ ଇସଲାମ୍‌ ଧର୍ମ ସମ୍ମିଳନୀକୁ ଉଦ୍‌ଘାଟନ କରି ସେ କହିଥିଲେ ଯେ ୧୯୪୯ରେ ମୁଜାହିଦେ ମିଲ୍ଲତ୍‌ଙ୍କ ଦ୍ୱାରା ଏହି ସଂଗଠନ ପ୍ରତିଷ୍ଠା କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶିକ୍ଷାର ପ୍ରଚାରପ୍ରସାର ଦ୍ୱାରା ସମାଜରେ ଭଲ ମଣିଷ ଗଢ଼ିବା। ଦେଶର ସେବା କରିବା ସହ ଯୁବକଯୁବତୀଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରାଇବା। ଏ ଦିଗରେ ସଂଗଠନ କାର୍ଯ୍ୟ କରିଆସୁଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମକୁ କପାଳେଶ୍ୱର-ଗୁଲ୍‌ନଗର୍‌ର ଗୋବରୀ ନଦୀ ପାର୍ଶ୍ୱ ସୁଜାନଗରଠାରେ ସର୍ବଭାରତୀୟ ତବ୍‌ଲିଗେ ସିରତ୍‌(ସୁନ୍ନି ତନଜିମୁଲ ଓ୍ଵଲମା) ପକ୍ଷରୁ ଆୟୋଜନ କରାଯାଇଥିଲା।

ସମ୍ମାନିତ ଅତିଥି ମୁଫ୍‌ତି ରଫିକୁଲ୍ଲା ଅଜହରୀ ଅହଲେ ସୁନ୍ନତର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ମୁଫ୍‌ତି ରିୟାଜତ୍‌ ହୁସୈନ୍‌ ଅଜହରୀ ଯୁବପିଢ଼ିଙ୍କୁ ଶିକ୍ଷାର ମହତ୍ତ୍ୱ ବିଷୟରେ ବୁଝାଇଥିଲେ। ମୌଲାନା ହନିଫ୍‌ ମିସବାହୀ ଓ ମୌଲାନା ସାହାବୁଦ୍ଦିନ୍‌ ନମାଜ ପାଠର ବିଶେଷତ୍ୱ ଉପରେ ଆଲୋଚନା କରିଥିଲେ। ମୁଫ୍‌ତି ଓକ୍କୁହୁଲ କମର୍‌, ମୌଲାନା ସାହାଦତ୍‌ ମିସ୍‌ବାହୀ କଫନ୍‌, ଦଫନ୍‌ (ଶବ ସତ୍କାର)ର ସମ୍ପୂର୍ଣ୍ଣ ପ୍ରଣାଳୀ ପ୍ରଦର୍ଶନ କରିଥିଲେ। ସାଏରେ ଇସଲାମ୍‌ ସାବିର ହୁସେନ୍‌ ମୋଜାହିଦି, ରିଆଜ୍‌ ହବିବି, ଅବ୍‌ଦୁଲ ରସିଦ୍‌ ସାବରି ନାତେପାକ୍‌ ପରିବେଷଣ କରିଥିଲେ। ଭଦ୍ରକ୍‌ ଧାମନଗର୍‌ ସରିଫ୍‌ସ୍ଥିତ ଖାନ୍‌କାହେ ହବିବିୟାର ମୌଲାନା ସୈୟଦ୍‌ ଗୁଲାମ୍‌ ମହମ୍ମଦ ହବିବିଙ୍କୁ ସେବା ପାଇଁ ‘ଇମାମ୍‌ ମହମ୍ମଦ ରଜା’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ମୌଲାନା ଜାକିର୍‌ ହୁସୈନ୍‌ ମିସବାହି ଧନ୍ୟବାଦ ଦେଇଥିଲେ।

ସମାବେଶକୁ ଶୃଙ୍ଖଳିତ କରିବା ପାଇଁ ପଟ୍ଟାମୁଣ୍ଡାଇ ବିଧାୟକ କିଶୋର ଚନ୍ଦ୍ର ତରାଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡ଼ା, ବ୍ଲକ୍‌ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ସ୍ତମ୍ଭକାର କ୍ଷୀରୋଦ କୁମାର କରଙ୍କ ସମେତ ସ୍ଥାନୀୟ ଗୁଲନଗର କପାଳେଶ୍ୱର ପଞ୍ଚାୟତର ସ୍ୱେଚ୍ଛାସେବୀ, କର୍ମକର୍ତ୍ତା ଧର୍ମସଭାରେ ଉପସ୍ଥିତ ରହି ଭାଇଚାରାର ନିଦର୍ଶନ ଦେଖାଇଥିଲେ।

ସମ୍ବନ୍ଧିତ ଖବର