୨୦ରୁ ତିନିଦିନିଆ ସର୍ବଭାରୀତୟ ସାଇଭକ୍ତ ସମ୍ମିଳନୀ

ଭୁବନେଶ୍ବର : ଆସନ୍ତା ୨୦ ତାରିଖରୁ ଢେଙ୍କାନାଳ କପିଳାସସ୍ଥିତ ଶ୍ରୀଦତ୍ତାତ୍ରେୟ ସାଇ ଆଶ୍ରମରେ ତିନିଦିନିଆ ସର୍ବଭାରତୀୟ ସାଇଭକ୍ତ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀରେ ଦେଶର ବିଭିନ୍ନ ସ୍ଥାନ ସମେତ ଶିରିଡ଼ିରୁ ବହୁସଂଖ୍ୟକ ଭକ୍ତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୧୯ ତାରିଖରେ ବିଶ୍ବଶାନ୍ତି ଉଦ୍ଦେଶ୍ୟରେ ଅତିରୁଦ୍ର ମହାଯଜ୍ଞ ପୁରୀ ପଣ୍ଡିତମଣ୍ଡଳୀମାନଙ୍କ ଦ୍ବାରା ୧୯ ତାରିଖରେ ଆରମ୍ଭ ହୋଇ ୨୨ ତାରିଖରେ ପୂର୍ଣ୍ଣାହୂତି କରାଯିବ। ୨୧ତାରିଖରେ ନାମଜପ, ପାରାୟଣ, ବିଷ୍ଣୁ ସହସ୍ରନାମ ଓ ସାଇସତ୍‌ଚରିତ ପାଠ କରାଯିବ। ସତ୍‌ସଙ୍ଗ ଆଶ୍ରମର ଅଧ୍ୟକ୍ଷ ଦ୍ବାରିକା ମୋହନ ମିଶ୍ରଙ୍କ ସଭାପତିତ୍ବ‌‌‌ରେ ଏହା ଅନୁଷ୍ଠିତ ହେବ। ଅପରାହ୍‌ଣରେ ନର୍ମଦା ନଦୀରୁ ୧ଲକ୍ଷ ୮ହଜାର ପବିତ୍ର ବାଣଲିଙ୍ଗଙ୍କୁ ସମସ୍ତ ଭକ୍ତମାନେ ଅଭିଷେକ କରିବା ସହିତ ଜ୍ୟୋତିର୍ଲିଙ୍ଗ ନିକଟରେ ସମର୍ପଣ କରିବେ ବୋଲି ଶ୍ରୀ ଦତ୍ତାତ୍ରେୟ ସାଇ ଆଶ୍ରମ ଟ୍ରଷ୍ଟର ସାଧାରଣ ସଂପାଦକ ଜ୍ଞାନଗୁରୁ ଦାସ ସୂଚନା ଦେଇଛନ୍ତି।

ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ଆୟୋଜକ କମିଟିର ବୈଠକ ଡା.ପ୍ରସନ୍ନ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଆଶ୍ରମ ପରିସରରେ ଏକ ଦାତବ୍ୟ ସ୍ବାସ୍ଥ୍ୟକେନ୍ଦ୍ରର ଉଦ୍‌ଘାଟନ କରାଯାଇଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ସବୁଦିନେ ଖୋଲା ରହିବା ସହ ଆଖପାଖ ଗାଁର ଲୋକମାନେ ଏହି ସୁବିଧା ନେଇପାରିବେ।

ବୈଠକରେ ଜିତେନ୍ଦ୍ର ପଟ୍ଟନାୟକ, ମଞ୍ଜୁର ଅଲ୍ଲୀ, ପ୍ରଫେସର ପ୍ରତାପ କୁମାର ସିଂହ, ପ୍ରମୋଦ କୁମାର ନନ୍ଦ, ବିଜୟ ମିଶ୍ର ଓ ଗୋପାଳ ଚନ୍ଦ୍ର ପାତ୍ରଙ୍କ ସମେତ ୪୦ଜଣ ଆବାହକ ଉପସ୍ଥିତ ଥିଲେ। ଆଶ୍ରମର କାର୍ଯ୍ୟକାରୀ ଅଧିକାରୀ ସୁବ୍ରତ ମହାନ୍ତି ବୈଠକରେ ବିବରଣୀ ଆଗତ କରିଥିବା ବେଳେ ଅକ୍ଷୟ କୁମାର ଜେନା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର